କାଶ୍ମୀର: କାଶ୍ମୀରର କୃଷକମାନଙ୍କଠାରୁ ଉପଯୁକ୍ତ ମୂଲ୍ୟ ଦେଇ ପ୍ରାୟ ୧୨ଲକ୍ଷ ମେଟ୍ରିକ ଟନ୍ ସେଓ କିଣିବା ପାଇଁ ଭାରତ ସରକାରଙ୍କ ସ୍ୱତନ୍ତ୍ର ବଜାର ହସ୍ତକ୍ଷେପ ମୂଲ୍ୟ ଯୋଜନା ଲାଗୁ କରିବାକୁ ଜାମ୍ମୁ କାଶ୍ମୀର ରାଜ୍ୟପାଳଙ୍କ କାର୍ଯ୍ୟାଳୟ ବିଚାର କରୁଛି। ଏହି ଯୋଜନା ଲାଗୁ କରିବା ସକାଶେ ଜାମ୍ମୁ କାଶ୍ମୀର ମୁଖ୍ୟ ସଚିବ ବି.ଭି.ଆର୍ ସୁବ୍ରମଣ୍ୟମ ଭିଡିଓ କନ୍ଫରେନ୍ସ ମାଧ୍ୟମରେ କାଶ୍ମୀର ଡିଭିଜନର ଡେପୁଟି କମିଶନରମାନଙ୍କ ସହ ଏକ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ଯୋଜନା ଲାଗୁ ହେଲେ ପ୍ରଥମଥର ପାଇଁ ଜାମ୍ମୁ କାଶ୍ମୀରର କୃଷକମାନଙ୍କ ଘର ପାଖରୁ ଶତକଡ଼ା ୬୦ଭାଗ ସେଓ ସଂଗ୍ରହ କରାଯାଇପାରିବ।
ଗତବର୍ଷ ରାଜ୍ୟରେ ୨୦ଲକ୍ଷ ମେଟ୍ରିକ୍ ଟନ୍ ସେଓ ଉତ୍ପାଦିତ ହୋଇଥିଲା। ଏହାଦ୍ୱାରା କାଶ୍ମୀର ଉପତ୍ୟକାର ସେଓ ଚାଷୀମାନଙ୍କର ଆୟ ପୂର୍ବାପେକ୍ଷା ଆଉ ୨ ହଜାର କୋଟି ଟଙ୍କା ଅଧିକ ହେବ। ସେପ୍ଟେମ୍ବର ମାସ ପହିଲାରୁ ଏହି ସଂଗ୍ରହ ଆରମ୍ଭ ହୋଇ ଏହା ୬ ମାସ ପର୍ଯ୍ୟନ୍ତ ଚାଲିବ। ଏହି ଯୋଜନା ବାବଦରେ ୮ହଜାର କୋଟି ଟଙ୍କା ଆବଶ୍ୟକ ପଡ଼ିବ ବୋଲି ଅଟକଳ କରାଯାଇଛି। ଭାରତ ସରକାରଙ୍କ ପକ୍ଷରୁ ନାଫେଡ୍ ଏହି ସେଓ ସଂଗ୍ରହ କରିବାକୁ ଅଧିକାର ପାଇଥିବାବେଳେ ଜାମ୍ମୁକାଶ୍ମୀର ସରକାରଙ୍କ ପକ୍ଷରୁ ଉଦ୍ୟାନ ବିଭାଗ ନିର୍ଦ୍ଦେଶାଳୟ ସେଓ ସଂଗ୍ରହ କରିବାକୁ କ୍ଷମତା ପାଇଛି।



