www.samajalive.in
Saturday, December 6, 2025
26.1 C
Bhubaneswar

ପର୍ଯ୍ୟଟନ ଋତୁରେ ଖାଁ ଖାଁ ଗୋପାଳପୁର ଇକୋ ରିଟ୍ରିଟ୍ ସେଣ୍ଟର

ଗୋପାଳପୁର: ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦେଶ ଓ ବିଦେଶରୁ ପର୍ଯ୍ୟଟକଙ୍କୁ ଓଡ଼ିଶାକୁ ଆକୃଷ୍ଟ କରିବା ପାଇଁଁ ରବିବାରଠାରୁ ଆସନ୍ତା ଫେବୃଆରୀ ୨୯ ପର୍ଯ୍ୟନ୍ତ ଇକୋ ରିଟ୍ରିଟ ଫେଷ୍ଟିଭାଲର ଆୟୋଜନ କରାଯାଉଛି। ଓଡ଼ିଶାର ଭିତରକନିକା, ସାତକୋଶିଆ, ହୀରାକୁଦ, ଦାରିଙ୍ଗବାଡି ଓ ପୁତସିଲଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଟେଣ୍ଟ ଘର କରି ଇକୋ ରିଟ୍ରିଟର ଶୁଭାରମ୍ଭ କରାଯାଇଛି। କିନ୍ତୁ ଗୋପାଳପୁରଠାରେ ସ୍ଥାୟୀ ରୂପରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଇକୋ ରିଟ୍ରିଟ୍ ସେଣ୍ଟରଟି ଏବେ ଉଦଘାଟନ ଅପେକ୍ଷାରେ ନିଜ ଦ୍ବାର ମୁହଁରେ ତାଲା ଝୁଲାଇ ପର୍ଯ୍ୟଟକଙ୍କୁ ଅପେକ୍ଷା କରି ରହିଛି।

୨୦୧୬ ମସିହାରେ ୯ କୋଟି ବ୍ୟୟରେ ବେଳାଭୂମିର ଅନତି ଦୂରରେ ଗୋପାଳପୁର ଆଇପିଏସ୍ ଗେଷ୍ଟ ହାଉସ୍ ନିକଟରେ ୪୫ ଏକର ପରିମିତ ଜମିରେ ଇକୋ ରିଟ୍ରିଟ୍ ସେଣ୍ଟର ନିର୍ମାଣ କାମ ଆରମ୍ଭ କରାଯାଇଥିଲା। ୨୦୨୦ରେ ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। କିନ୍ତୁ ଆଜି ଯାଏଁ ୪ ବର୍ଷ ପରେ ମଧ୍ୟ ଏହା ଉଦଘାଟନ ନ ହୋଇ ପଡ଼ିରହିଛି। ଫଳରେ ଯେଉଁ ଉଦ୍ଦେଶ୍ୟ ନେଇ ଇକୋ ରିଟ୍ରିଟ୍ ନିର୍ମାଣ କରାଯାଇଥିଲା, ତାହା ପୂରଣ ହୋଇପାରି ନଥିବାବେଳେ ଏବେ ଏହା ବିଡିଏର ଅଘୋଷିତ କଲ୍ୟାଣମଣ୍ଡପ ପାଲଟି ଯାଇଛି। ବିବାହ ଋତୁରେ ଦୈନିକ ଲକ୍ଷେ ଟଙ୍କା ଲେଖାଏଁ ଭଡ଼ା ବିଡିଏ ପକ୍ଷରୁ ଆଦାୟ କରାଯାଉଛି। ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଗୋପାଳପୁର ଏକ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଥିବାରୁ ଏଠାକାର ବେଳାଭୂମିକୁ ପ୍ରତିଦିନ ଶହଶହ ସଂଖ୍ୟାରେ ଦେଶୀ ଓ ବିଦେଶୀ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି। ପର୍ଯ୍ୟଟକଙ୍କ ରହଣି ପାଇଁ ଗୋପାଳପୁରରେ ଛୋଟ ବଡ଼ ହୋଟେଲ୍ ରହିଛି। ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ମଧ୍ୟ କରାଯାଇଛି। ତେବେ ଇକୋ ରିଟ୍ରିଟ୍ ନିର୍ମାଣ କରାଯାଇ ଏହାକୁ ଲୋକାର୍ପଣ କରାନଯିବା ପଛରେ ପ୍ରକୃତ କାରଣ କ’ଣ ତାହା ଜଣାପଡୁନାହିଁ।

- Advertisement -

ସୂଚନା ଅନୁଯାୟୀ, ୨୦୧୬ ମସିହାରେ ଗୋପାଳପୁର ବାଲୁକା ତଟରେ ଏହି ଇକୋ ରିଟ୍ରିଟ୍ ନିର୍ମାଣ କରାଯାଇଥିଲା। ଏହାର ନିର୍ମାଣ କାର୍ଯ୍ୟକୁ ତତ୍କାଳୀନ ସରକାରଙ୍କ ପକ୍ଷରୁ ପର୍ଯ୍ୟଟନ ବିଭାଗକୁ ଦିଆ ନଯାଇ ବ୍ରହ୍ମପୁର ଉନ୍ନୟନ ପରିଷଦ(ବିଡିଏ)କୁ ଦିଆଯାଇଥିଲା। ଏଠାରେ ୧୪ଟି ଶୀତତାପ ନିୟନ୍ତ୍ରିତ କଟେଜ୍ ରହିଥିବାବେଳେ ଶିଶୁ ଉଦ୍ୟାନ, ଘାସବଗିଚା, ଗାଡ଼ି ପାର୍କିଂ ସ୍ଥଳ, ସ୍ବିମିଂ ପୁଲ୍ ରହିଛି। ଏହାର ମୁଖ୍ୟ ଆକର୍ଷଣ ହେଉଛି କଟେଜଠାରୁ ବେଳାଭୂମିକୁ ଯିବା ପାଇଁ ରହିଥିବା କାଠ ନିର୍ମିତ ପୋଲ ପ୍ରମୁଖ ନିର୍ମାଣ କରାଯାଇଛି। ଏହା ସହ ଏହି ସେଣ୍ଟର ପରିସରରେ ଓଡ଼ିଶାର ପ୍ରମୁଖ ହୋଟଲ ଶିଳ୍ପ ସ୍ବସ୍ତି ଗ୍ରୁପ୍ ଅଫ ହୋଟେଲକୁ ମଧ୍ୟ ଜମି ଦିଆ ଯାଇଥିବାବେଳେ ସଂସ୍ଥା ପକ୍ଷରୁ ସେଠାରେ କୌଣସି ନିର୍ମାଣ କାମ ଆରମ୍ଭ ହୋଇ ପାରିନଥିବା ଦେଖିବାକୁ ମିଳିଛି। ସେଣ୍ଟର ସମ୍ମୁଖରେ ରହିଥିବା ପଡ଼ିଆଟି ଅନ୍ଧକାର ରହୁଥିବାରୁ ସନ୍ଧ୍ୟା ହେଲେ ସେଠାରେ ମଦୁଆଙ୍କ ଆଡ୍ଡା ଜମୁଥିବା ଅଭିଯୋଗ ହେଉଛି। ଇକୋ ରିଟ୍ରିଟ୍ ସେଣ୍ଟର ନିର୍ମାଣ ପରେ ଏହାକୁ ଓଡ଼ିଶା ପର୍ଯ୍ୟଟନ ବିଭାଗକୁ ବିଡିଏ ହସ୍ତାନ୍ତର କରିବା କଥା। କିନ୍ତୁ କ’ଣ ପାଇଁ ଆଜି ଯାଏଁ ଦୀର୍ଘ ୩ ବର୍ଷ ହେଲା ବିଡିଏ ପର୍ଯ୍ୟଟନ ବିଭାଗକୁ ସେଣ୍ଟରକୁ ହସ୍ତାନ୍ତର ନକରି ନିଜ ଅଧିନରେ ରଖିଛୁ ଯା‌ହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପରେ ବି କାହିଁକି ଉଦ୍‌ଘାଟନ କରାଯାଉନାହିଁ ତା’କୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ପ୍ରଶାସନ ପକ୍ଷରୁ ଏନେଇ ପଦକ୍ଷେପ ଗ୍ରହଣ କରିବା ସହ ତୁରନ୍ତ ପର୍ଯ୍ୟଟକଙ୍କ ନିମନ୍ତେ ଏହା ଖୋଲିବାକୁ ଦାବି ହେଉଛି। ଅନ୍ୟପଟେ ଗୋପାଳପୁରଠାରୁ ୩୦ କିମି ଦୂରରେ ସୋନପୁର ବେଳାଭୂମିରେ ଦ୍ବିତୀୟ ବର୍ଷ ପାଇଁ ଟେଣ୍ଟ ପକାଇ ଇକୋ ରିଟ୍ରିଟ ଆଜିଠୁ ଆରମ୍ଭ ହୋଇଥିବାବେଳେ ଗୋପାଳପୁରକୁ ଜାଣିଶୁଣି ପ୍ରଶାସନ ପକ୍ଷରୁ ଅବହେଳା କରାଯାଉଥିବା ଅଭିଯୋଗ ହେଉଛି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories