ଅମୂଲ ମୂଲ ସୁନା

ଭୁବନେଶ୍ଵର: ଭାରତରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୮ ହଜାର ଟଙ୍କା ଟପିଛି ଏବଂ ନିକଟ ଭବିଷ୍ୟତରେ ଏହା ଏକ ଲକ୍ଷ ପାର ହୋଇପାରେ ବୋଲି ଅନୁମାନ କରାଯାଉଛି। ତୋଳା ବା ୧୨ ଗ୍ରାମର ମୂଲ୍ୟ ୧,୦୫,୦୭୨ ଟଙ୍କାରେ ପହଞ୍ଚିଛି। ଆନ୍ତର୍ଜାତିକ ବଜାରରେ ସୁନାର ମୂଲ୍ୟ ବୃଦ୍ଧି ସହିତ ଏହାର ଚାହିଦା ବଢ଼ୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ଅନ୍ୟ ଅର୍ଥରେ ସୁନା ଭଳି ଧାତୁ ଭାରତରେ ଏବେ ପୁଞ୍ଜିନିବେଶର ଶ୍ରେଷ୍ଠ ସାମଗ୍ରୀ ପାଲଟିଛି। ସୁନା ସହିତ ଅତି ସାଧାରଣ ଲୋକଙ୍କର କୌଣସି ବିଶେଷ ଆକର୍ଷଣ ନ ଥାଏ ଏବଂ ଏହାର ମୂଲ୍ୟ ବୃଦ୍ଧି ହ୍ରାସ ସେମାନଙ୍କ ପାଇଁ ଏକ ପ୍ରକାର ନିରର୍ଥକ। ତଥାପି ମଧ୍ୟମ ବର୍ଗର ଲୋକଙ୍କର ସୁନା ପ୍ରତି ଆକର୍ଷଣ ଥାଏ ଏବଂ ବିବାହ, ବ୍ରତ ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟ ତଥା ଭବିଷ୍ୟତ ଆବଶ୍ୟକତା ପାଇଁ ଏହି ବର୍ଗ ନିଜର ସାଧ୍ୟ ମୁତାବକ ସୁନା କିଣିଥାନ୍ତି। ଏବେ ସୁନାର ଆକାଶଛୁଆଁ ମୂଲ୍ୟରେ ଏହି ବର୍ଗ ତାଟକା। ସ୍ବର୍ଣ୍ଣ ଅଳଙ୍କାର ବ୍ୟବସାୟ ମଧ୍ୟ ଚଢ଼ା ମୂଲ୍ୟ ଯୋଗୁଁ ପ୍ରଭାବିତ ହୋଇଛି। ଐତିହାସିକ ଦୃଷ୍ଟିରୁ ଦେଖିଲେ ନିବେଶକ ଓ ଧନିକବର୍ଗ ଯୁଦ୍ଧବିଗ୍ରହ ଏବଂ ଉଚ୍ଚ ମୁଦ୍ରାସ୍ଫୀତି (ମହଙ୍ଗା) କାଳରେ ଅଧିକ ସୁନା କିଣିଥାନ୍ତି। ଏହା ଏଭଳି ଏକ ମୂଲ୍ୟବାନ ଧାତୁ ଯାହାର ଦାମ କେବେ କମେ ନାହିଁ ଓ ଯେତେବେଳେ ବିକ୍ରି ହୁଏ ସେତେବେଳେ ହାତକୁ ଅଧିକ ପଇସା ଆସେ। ଏଥରର ବ୍ୟତିକ୍ରମ ହେଲା ବିଶ୍ବରେ ଯୁଦ୍ଧ ବିଗ୍ରହ ସ୍ଥିତିରେ କ୍ରମଶଃ ଉନ୍ନତି ପରିଲକ୍ଷିତ ହେଉଥିବାବେଳେ ଭାରତ ଭଳି ଅନେକ ରାଷ୍ଟ୍ରରେ ମୁଦ୍ରାସ୍ଫୀତି ମଧ୍ୟ କମୁଛି। ତେଣୁ ଭାରତରେ ସୁନାର ଚାହିଦା ଓ ଅସ୍ବାଭାବିକ ମୂଲ୍ୟବୃଦ୍ଧି ବଜାର ବିଶେଷଜ୍ଞଙ୍କ ପାଇଁ ଗବେଷଣାର ବିଷୟ ପାଲଟିଛି। କିଛି ବିଶେଷଜ୍ଞଙ୍କ ମତରେ ଆମେରିକାରେ ଟ୍ରମ୍ପଙ୍କ ପ୍ରତ୍ୟାବର୍ତ୍ତନ ଓ ତାଙ୍କ ଜାତୀୟ ଓ ଅନ୍ତର୍ଜାତୀୟ ନୀତି ପାଇଁ ବିଶ୍ବ ଅର୍ଥନୀତିରେ ଅସ୍ଥିରତା ସୃଷ୍ଟି ହୋଇଛି। ଆଗକୁ ଆମେରିକାରେ ମାନ୍ଦାବସ୍ଥା ସୃଷ୍ଟି ହେବାର ଆଶଙ୍କା କରି ନିବେଶକମାନେ ଅଧିକରୁ ଅଧିକ ସୁନା କିଣିବାରୁ ବିଶ୍ବ ବଜାରରେ ଏହାର ମୂଲ୍ୟ ଚଢ଼ା ରହୁଛି। ତେଣେ ଆମେରିକୀୟ ଡଲାର ସୂଚୀ କମିବାରୁ ସେଠାକାର ପୁଞ୍ଜିବଜାରରୁ ନିବେଶକ ଅର୍ଥ ଉଠାଇନେଇ ସୁନା କିଣୁଛନ୍ତି। ସେମାନଙ୍କ ପାଇଁ ସୁନା ସବୁଠୁ ନିରାପଦ ନିବେଶ ପାଲଟିଛି। ଆହୁରି ମଧ୍ୟ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଯଦି ସୁଧହାର କମାଇବ ସୁନାର ମୂଲ୍ୟ ଆହୁରି ବଢ଼ିବ ବୋଲି କୁହାଯାଉଛି। ଏହା ଛଡ଼ା ବିଭିନ୍ନ ଦେଶଙ୍କ ସହ ଆମେରିକାର ସମ୍ଭାବ୍ୟ ବାଣିଜ୍ୟ ଯୁଦ୍ଧ ଆଶଙ୍କାର ପ୍ରଭାବ ସୁନା ମୂଲ୍ୟକୁ ତେଜୁଛି। ଡଲାର ପରିବର୍ତ୍ତେ ନିବେଶକ ଏବେ ସୁନାକୁ ଅଗ୍ରାଧିକାର ଦେଉଛନ୍ତି।
ଭାରତୀୟ ରିଜର୍ଭ ବ୍ୟାଙ୍କ ପରିସ୍ଥିତିକୁ ନଜରରେ ରଖି ସୁନା କିଣି ନିଜର ସ୍ବର୍ଣ୍ଣ ମହଜୁଦ ବଢ଼ାଇଛି। ଏବେ ରିଜର୍ଭ ବ୍ୟାଙ୍କ ପାଖରେ ମହଜୁଦ ବୈଦେଶିକ ବିନିମୟ ମୁଦ୍ରାର ୧୧ ଶତାଂଶ ମୂଲ୍ୟର ସୁନା ରହିଛି। ଦୁଇ ବର୍ଷ ଆଗରୁ ଏହି ହାର ଥିଲା ୭.୫ ଶତାଂଶ। ଆଗକୁ ରିଜର୍ଭ ବ୍ୟାଙ୍କ ଆହୁରି ଅଧିକ ସୁନା ରଖିବ ବୋଲି ବିଶେଷଜ୍ଞ କହୁଛନ୍ତି। ସେମାନଙ୍କ ମତରେ ସୁନା ମୂଲ୍ୟ ବୃଦ୍ଧି ଭାରତ ପାଇଁ ଖରାପ ଖବର ନୁହେଁ। ଭାରତୀୟ କ୍ରେତା ମୂଲ୍ୟ ଦୃଷ୍ଟିରୁ ଅତି ସମ୍ବେଦନଶୀଳ ହୋଇଥିବାରୁ ମହଙ୍ଗା ସୁନା କିଣିବାକୁ ଅନାଗ୍ରହୀ ହେବେ। ତେଣୁ ଏହାର ଚାହିଦା କମିବ। ସୁତରାଂ ଭାରତ ତାହାର ସୁନା ଆମଦାନୀ କମାଇବ। ଏହା ଫଳରେ ବାଣିଜ୍ୟ ନିଅଣ୍ଟ ହ୍ରାସ ପାଇବ। ଏହି ସମୟରେ ଲୋକଙ୍କ ପାଖରେ ଯେଉଁ ସୁନା ଅଛି ତାହାକୁ ଲୋକେ ବିକ୍ରି କରି ବା ବନ୍ଧକ ପକାଇ ଅର୍ଥ ଆଣିବେ ଯାହାଦ୍ବାରା ଉଭୟ ଟଙ୍କା ଓ ଘର ସୁନାର ପ୍ରସାରଣ ବଢ଼ିବ। ତେବେ ସେ ଯା’ହେଉ ସୁନା ଭଳି ମୂଲ୍ୟବାନ ଧାତୁର ମୂଲ୍ୟ ଥରେ ବଢ଼ିଲେ ତାହା କ୍ବଚିତ୍ ହ୍ରାସ ପାଏ। ତେଣୁ ଜୀବନ କାଳରେ ସୁନା ଟିକେ କିଣିବାକୁ ଯେଉଁମାନେ ସ୍ବପ୍ନ ଦେଖୁଛନ୍ତି ସେଭଳି ସାଧାରଣ ବର୍ଗ ପାଇଁ ଏହା ଅସମ୍ଭବ ହୋଇପାରେ।
Comments are closed.