ଫିରିଙ୍ଗିଆ ପୁଲିସର ଚଢ଼ାଉ, ୫ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

ଫୁଲବାଣୀ : ଫିରିଙ୍ଗିଆ ଥାନା ଅଧୀନରେ ଥିବା ଏକ ଜଙ୍ଗଲରେ ଅତର୍କିତ ଚଢ଼ାଉ କରି ୫ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ଫିରିଙ୍ଗିଆ ପୁଲିସ । ତେବେ ଜଙ୍ଗଲରୁ ସମସ୍ତ ମାଫିଆ ଫେରାର ହୋଇଯାଇଛନ୍ତି । ଫିରିଙ୍ଗିଆ ଥାନା ତଳଦଣ୍ଡିକିଆ ପଞ୍ଚାୟତର ବନ୍ଧଗଡ଼ ତଳଦଣ୍ଡିକିଆ ମୁଖ୍ୟ ରାସ୍ତାର ଜୋକେ ଛକ ନିକଟରେ ଥିବା ଜଙ୍ଗଲରେ କିଛି ଗଞ୍ଜେଇ ମାଫିଆ ଚାଲାଣ ପାଇଁ ପ୍ରସ୍ତୁତି ଚଳାଇ ଥିବା ପୁଲିସକୁ ଖବର ମିଳିଥିଲା । ସୂଚନା ପାଇ ଫିରିଙ୍ଗିଆ ଥାନା ଅଧିକାରୀଙ୍କ ନେତୃତ୍ୱରେ ଥାନାରେ କାର୍ଯ୍ୟରତ ଏସଆଇ ଅଜୟ କୁମାର ସାହୁ, ଏସଆଇ ଦୀପକ ରାଉତ, ଏଏସଆଇ ଶ୍ରୀକାନ୍ତ ପାତ୍ର, ଏଏସଆଇ ପ୍ରିୟରଞ୍ଜନ ନାୟକ ଓ ଅନ୍ୟ ପୁଲିସ କର୍ମଚାରୀ ଉକ୍ତ ଜଙ୍ଗଲରେ ଅତର୍କିତ ଚଢ଼ାଉ କରିଥିଲେ । ତେବେ ପୁଲିସକୁ ଦେଖି ଜଙ୍ଗଲ ଭିତରେ ପ୍ରସ୍ତୁତି ଚଳାଇଥିବା ସମସ୍ତ ମାଫିଆ ଅନ୍ଧାରର ସୁଯୋଗ ନେଇ ଫେରାର ମାରିଥିବାବେଳେ ପୁଲିସ  ଗଞ୍ଜେଇକୁ ଜବତ କରିବାରେ ସଫଳ ହୋଇଥିଲା । ଘଟଣାରେ ଫିରିଙ୍ଗିଆ ଥାନାରେ ୫୦/୨୪ ରେ ଏକ ମାମଲା ରୁଜୁ କରି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ  ବୁଧବାର ଜବତ ଗଞ୍ଜେଇକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

 

Comments are closed.