www.samajalive.in
Friday, December 5, 2025
23.1 C
Bhubaneswar

ପ୍ରତିଶ୍ରୁତିରେ ପୁନରୁଦ୍ଧାର; ମାଟିରେ ମିଶିବ ଆସିକା ସୂତାକଳ!

ଆସିକା: ୩୯ ବର୍ଷ ତଳେ ସ୍ଥାପନ ହୋଇଥିବା ଗଞ୍ଜାମ ଜିଲାର ଆସିକା ସୂତାକଳ ଏବେ ମାଟିରେ ମିଶିବାକୁ ବସିଛି। ରୁଗଣ ଦର୍ଶାଇ ତତ୍କାଳୀନ ସରକାର ଏହି କାରଖାନାକୁ ଘରୋଇ କମ୍ପାନୀ ହାତକୁ ଟେକି ଦେଇଥିଲେ ମଧ୍ୟ ୨୦୧୩ ମସିହା ଫାଇଲିନ ପରଠାରୁ ଏହି କାରଖାନା ବନ୍ଦ ପଡିଛି। କାରଖାନାରେ କର୍ମସଂସ୍ଥାନ ପାଇ ପରିବାର ପ୍ରତିପୋଷଣ କରୁଥିବା କର୍ମଚାରୀଙ୍କ ମଧ୍ୟରୁ କେତେକ ମରିହଜି ଗଲେଣି। ଯେଉଁମାନେ ରହିଛନ୍ତି ସେମାନେ କାରଖାନା ଖୋଲିବା ଆଶାରେ ଚାତକ ଭଳି ଚାହିଁ ବସିଛନ୍ତି। ଗତ ନିର୍ବାଚନ ସମୟରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଏହି ସୂତାକଳର ପୁନରୁଦ୍ଧାର ପ୍ରତିଶ୍ରୁତି  ଦେଇଥିଲେ ହେଁ ତାହା ମରୀଚିକା ପାଲଟିଛି।  ଏହି କାରଖାନାର ପୁନରୁଦ୍ଧାର କରିବାକୁ ବର୍ତ୍ତମାନର ବିଧାୟକ ଧ୍ୟାନ ଦେଉନଥିବା କର୍ମଚାରୀ ଓ ଶ୍ରମିକମାନେ ଅଭିଯୋଗ କରିଛନ୍ତି।

ଏହି କାରଖାନା ପାଇଁ କେନ୍ଦ୍ର ସରକାରଙ୍କ ଅନୁଦାନରେ ରାଜ୍ୟ ସରକାର ଇଡକୋ ଦ୍ୱାରା ଆସିକା ତହସିଲର ହରଡ଼ାପଦର ପଞ୍ଚାୟତ ଅଧୀନ କଲେଜ ଛକ ନିକଟ ଧୋବାଡି ମୌଜାର ୬୬ ଏକର ଜମି ଅଧିଗ୍ରହଣ କରାଯାଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ୧୯୮୨ ମସିହାରେ ଦୈନିକ ୪୦୦ କିଲୋଗ୍ରାମ ସୂତା ଉତ୍ପାଦନ କ୍ଷମତାବିଶିଷ୍ଟ ଏହି ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୧୯୮୬ମସିହାରେ ଏହା ଉଦଘାଟିତ ହୋଇ କାର୍ଯ୍ୟକ୍ଷମ ହେଲା। ଏଥିରେ ଏକ ହଜାରରୁ ଅଧିକ ଜିଲାର ବିଭିନ୍ନ ଗ୍ରାମରୁ ପୁରୁଷ ଓ ମହିଳା ଶ୍ରମିକ କର୍ମସଂସ୍ଥାନ ପାଇଥିଲେ। କାରଖାନା ଦୀର୍ଘବର୍ଷ ଧରି ଓଡ଼ିଶାର ଏକ ଲାଭଜନକ ଶିଳ୍ପ ରୂପେ ଖ୍ୟାତି ଅର୍ଜନ କରିଥିଲା। ପରବର୍ତ୍ତୀ ସମୟରେ ପରିଚାଳନାଗତ ବିଭ୍ରାଟ ଯୋଗୁ ଶ୍ରମିକ ଅଶାନ୍ତି ସୃଷ୍ଟି ହେବାରୁ ୨୦୦୨ ରୁ ୨୦୦୭ କାରଖାନାକୁ ବନ୍ଦ କରି ଦିଆଯାଇଥିଲା। ସରକାର ଜର୍ଜ ଡିଷ୍ଟ୍ରିବ୍ୟୁଟର ପ୍ରାଇଭେଟ ଲିମିଟେଡ଼ ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଇ ଶାଗମାଛ ଦରରେ କମ୍ପାନୀକୁ ବିକ୍ରି କରିଦେଲେ।  ବର୍ଷକ ପରେ ଆସିକା ସୂତାକଳକୁ ବାଲାଜୀ ସୂତାକଳ ନାମରେ ଏକ ଘରୋଇ କମ୍ପାନୀକୁ ପରିଚାଳନା ଦାୟିତ୍ବ ଦିଆଯାଇଥିଲା। ହେଲେ ପ୍ରଥମେ କିଛି ଶ୍ରମିକଙ୍କୁ ସ୍ବେଚ୍ଛାକୃତ ଅବସର ନେବାକୁ କୁହାଗଲା।

- Advertisement -

ପରବର୍ତ୍ତୀ ସମୟରେ ଆଉ କିଛି ଶ୍ରମିକଙ୍କୁ ଛଟେଇ କରିଦିଆଗଲା। ୨୦୧୩ ମସିହା ଫାଇଲିନ ପରେ ଅଧିକ କ୍ଷତି ଦର୍ଶାଇ କାରଖାନାକୁ ବନ୍ଦ କରି ଦିଆଯାଇଥିଲା। ସେହି ସମୟରେ ଯେଉଁ ଶ୍ରମିକମାନେ କାର୍ଯ୍ୟ କରୁଥିଲେ ସେମାନଙ୍କ ଅବସ୍ଥା ଏବେ ଦୟନୀୟ। ସୂତାକଳର ପଛପଟେ ସେହି ସମୟରେ ଶ୍ରମିକମାନେ ପାଇଥିବା ଭଙ୍ଗାଦଦରା କ୍ବାର୍ଟରରେ ଏବେ ବି ଦୟନୀୟ ଅବସ୍ଥାରେ ପଡି ରହିଛନ୍ତି । ପୁଣି ସୂତାକଳ ଚାଲିବା ଆଶାରେ  ଚାହିଁ ରହିଛନ୍ତି ଶତାଧିକ କର୍ମଚାରୀ । ଏପଟେ କୋଟି କୋଟି ଟଙ୍କାରେ ନିର୍ମାଣ ହୋଇଥିବା କୋଠା ନଷ୍ଟ ହେବାକୁ ବସିଲାଣି । ଯନ୍ତ୍ରପାତି ସବୁ ମାଟିରେ ମିଶିଗଲାଣି । ସୂତାକଳ ଜମି ଜବରଦଖଲକୁ ଚାଲି ଗଲାଣି । କେବଳ କାରଖାନାର ରକ୍ଷଣାବେକ୍ଷଣ ପାଇଁ ୬ ଜଣ ସୁରକ୍ଷା କର୍ମୀ ଓ ଜଣେ ଅଧିକାରୀ ରହିଛନ୍ତି । ଗଞ୍ଜାମର କୁଶଳୀ ଶ୍ରମିକ ଅନ୍ୟ ରାଜ୍ୟର ସୂତାକଳରେ କାମ କରିବାକୁ ଯାଉଥିବା ବେଳେ ଏହି ସୂତାକଳର ପୁନରୁଦ୍ଧାର ପାଇଁ ସରକାର ଧ୍ୟାନ ଦେଉ ନାହଁାନ୍ତି।

୨୦୨୪ ନିର୍ବାଚନ କାଳରେ ବିଜେପିର ଆସିକା ସଂସଦୀୟ କ୍ଷେତ୍ରର ପ୍ରଭାରୀ ତଥା ତତ୍କାଳୀନ କେନ୍ଦ୍ର ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଏହି ସୂତାକଳ  ଚାଲୁ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ନିର୍ବାଚନକୁ ୧୬ମାସ ବିତି ଯାଇଥିଲେ ମଧ୍ୟ ଏହି ସୂତାକଳ ଖୋଲିବା ପାଇଁ ସରକାର କୌଣସି ପଦକ୍ଷେପ ନେଉନଥିବାରୁ ଶ୍ରମିକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories