ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା

ଗଜପତି : ପୁଣି ଗୁଣିଗାରେଡିକୁ କେନ୍ଦ୍ର କରି ଦୁଇ ଜଣଙ୍କୁ ବିଭତ୍ସ ହତ୍ୟା । ଘରେ ପଶି ଯୁବକଙ୍କୁ ହତ୍ୟା ପରେ ତାଙ୍କ ସ୍ତ୍ରୀକୁ ମଧ୍ୟ ହତ୍ୟା କଲେ ଦୁର୍ବୃତ୍ତ। ଗତ ଫେବୃଆରୀ ମାସରେ ଗୁଣି ସନ୍ଦେହରେ ଯୁବକକୁ ହୋଇଥିଲା ଗୁଳିମାଡ଼ । ଏନେଇ ଥାନାରେ ଜଣାଇଥିବା ସତ୍ବେ ଛାଡ଼ିଲେନି ଦୁର୍ବୃତ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି ବିଳମ୍ବିତ ରାତି ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଦମାଦୁଆ ପଞ୍ଚାୟତର ଘୋଡାପଙ୍କା ଗ୍ରାମରେ । ଘରେ ପଶି ଯୁବକଙ୍କୁ ବିଭତ୍ସ ହତ୍ୟା କରିବା ପରେ ତାଙ୍କ ସ୍ତ୍ରୀକୁ ଦୁର୍ବୁତ୍ତ ହତ୍ୟା କରିଛନ୍ତି। ସୋମବାର ରାତି ପ୍ରାୟ ୭ଟା ବେଳେ ଘଟିଛି ଏହି ହତ୍ୟାକାଣ୍ଡ। ମୃତକ ହେଲେ ଘୋଡାପଙ୍କା ଗାଁର କପିଳେନ୍ଦ୍ର ମଲ୍ଲିକ (୪୫) ଓ ତାଙ୍କ ସ୍ତ୍ରୀ ଶଶି ମଲିକ (୪୦) । ଗତକାଲି ସନ୍ଧ୍ୟା ପ୍ରାୟ ସାତଟାରେ କପିଳେନ୍ଦ୍ର ଘରେ ଥିବା ସମୟରେ ପ୍ରଥମେ କିଛି ଦୁର୍ବୃତ୍ତ ଘରେ ପଶି ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲେ । ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଖବର ପାଇ ସ୍ତ୍ରୀ ଘରକୁ ଆସୁଥିବା ବେଳେ ଗାଁ ରାସ୍ତାରେ ସ୍ତ୍ରୀ ଶଶିଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ , ଶେଷରେ ସ୍ତ୍ରୀକୁ ଘରେ ଅତି ବିଭତ୍ସ ଭାବେ ହତ୍ୟା କରିଥିଲେ ।
ଏଭଳି ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ । ହତ୍ୟାର କାରଣ ଏ ଯାଏଁ ସ୍ବଷ୍ଟ ହୋଇନଥିଲେ ମଧ୍ୟ ଗୁଣିଗାରେଡି ସନ୍ଦେହରୁ ହୋଇଥିବା ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଖବର ପାଇ ଗତ ବିଳମ୍ବିତ ରାତିରେ ଅଡବା ଥାନା ପୁଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଏହା ପୁର୍ବରୁ ଗତ ଫେବୃଆରୀ ମାସରେ କପିଳେନ୍ଦ୍ରଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା। କପିଳେନ୍ଦ୍ର ବାଇକ୍ ଯୋଗେ ଗାଁକୁ ଆସୁଥିବା ବେଳେ ତାଙ୍କୁ କେହି ପଛପଟୁ ଗୁଳିମାଡ଼ କରିଥିଲା। ସେତେବେଳେ ସେ ଗୁରୁତର ହୋଇ ଯାଇଥିଲେ। ତେବେ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ। ସେତେବେଳେ ତାଙ୍କୁ ଗୁଣି ସନ୍ଦେହରେ ଆକ୍ରମଣ କରାଯାଇଥିବା ନେଇ କପିଳେନ୍ଦ୍ର ଅଡବା ଥାନାରେ ଅଭିଯୋଗ କରିଥିଲେ । ସେହି ମାମଲାର ତଦନ୍ତ ଚାଲିଥିବା ବେଳେ ସୋମବାର ରାତିରେ ସଂଘବଦ୍ଧ ଆକ୍ରମଣ କରି ସ୍ୱାମୀ ସ୍ତ୍ରୀଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଛି। ଏହି ଘଟଣାରେ ଅଡବା ପୁଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ଗଜପତି ଜିଲ୍ଲାରେ ଗୁଣିଗାରେଡି ବିଶ୍ବାସରେ ଅନେକ ଝାଡଫୁଙ୍କ ଓ ଚେରମୂଳ ଉପଚାର ଉପରେ ନିର୍ଭରଶୀଳ ହେଉଥିବା ବେଳେ କେତେବେଳେ କାହାର ଅଚାନକ ମୃତ୍ୟୁ ଘଟିଲେ ଗୁଣିଆ ସନ୍ଦେହରେ ବୋଲି ଭାବି ପ୍ରତିହିଂସା ପରାୟଣ ଭାବେ ଏଭଳି ଅନେକଙ୍କ ଜୀବନ ହାନୀ ଅକାଳରେ ବିଗତ ଦିନରେ ଯାଇଛି । ତେବେ ବାରମ୍ବାର ଏଭଳି ଘଟଣା ପୁର୍ବରୁ ଘଟିଆସୁଛି , କିନ୍ତୁ ପ୍ରଶାସନର କୌଣସି ପଦକ୍ଷେପ ନିଆଯାଉ ନାହିଁ। ଯାହା ବିଡ଼ମ୍ବନାର ବିଷୟ ପାଲଟିଛି। ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଡବଲ ମର୍ଡର ଘଟଣାରେ ଅଡବା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା କହିଛନ୍ତି ଆର୍ ଉଦୟଗିରି ଏସଡ଼ିପିଓ ଆଶ୍ୱିନ କୁମାର୍ ନାୟକ । ମୃତ କପିଳେନ୍ଦ୍ରଙ୍କ ତିନୋଟି ସନ୍ତାନ ଅଛନ୍ତି।

Comments are closed.