www.samajalive.in
Thursday, December 11, 2025
13.1 C
Bhubaneswar

ଆଜିଠୁ କାଶ୍ମୀରରେ ଜି-୨୦ ବୈଠକ

ଶ୍ରୀନଗର : ସୋମବାରଠାରୁ ଜାମ୍ମୁ-କାଶ୍ମୀରରେ ଆୟୋଜିତ ହେବାକୁ ଯାଉଛି ଜି-୨୦ ପର୍ଯ୍ୟଟନ କାର୍ଯ୍ୟକାରୀ ଗୋଷ୍ଠୀ (ଟିଡବ୍ଲ୍ୟୁଜି)ର ବୈଠକ। ଜି-୨୦ର ଅଧ୍ୟକ୍ଷ ଭାବେ ଭାରତ ଏହି ବୈଠକର ଆୟୋଜନ କରିଛି। ଶ୍ରୀନଗରର ସେର-ଇ-କାଶ୍ମୀର ଆନ୍ତର୍ଜାତିକ ସମ୍ମିଳନୀ କେନ୍ଦ୍ରରେ ମେ ୨୨ରୁ ୨୪ ପର୍ଯ୍ୟନ୍ତ ହେବାକୁ ଥିବା ଏହି ବୈଠକରେ ୬୦ ଜଣ ବିଦେଶୀ ପ୍ରତିନିଧି ଯୋଗ ଦେବେ। ବୈଠକ ପାଇଁ କାଶ୍ମୀରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଶେଷ ମୁହୂର୍ତ୍ତରେ କାର୍ଯ୍ୟସୂଚୀକୁ ପରିବର୍ତ୍ତନ କରାଯାଇଛି। ବୈଠକକୁ ଭଣ୍ଡୁର କରିବା ଲାଗି ଆତଙ୍କବାଦୀ ସଂଗଠନଗୁଡିକ ୨୬/୧୧ ମୁମ୍ବଇ ଆକ୍ରମଣ ଅନୁରୂପ ଆକ୍ରମଣ କରିବାକୁ ଯୋଜନା କରିଛନ୍ତି। ପାକିସ୍ତାନ ଆଇଏସ୍‌ଆଇର ପ୍ରରୋଚନାରେ ଆତଙ୍କବାଦୀ ସଂଗଠନଗୁଡିକ ଆକ୍ରମଣ ଯୋଜନା କରିଥିଲେ। ଆତଙ୍କବାଦୀ ସଂଗଠନର ଜଣେ ସହଯୋଗୀ (ଓଭର ଗ୍ରାଉଣ୍ଡ ୱାର୍କର) (ଓଜିଡବ୍ଲ୍ୟୁ)କୁ ଗିରଫ କରିବା ପରେ ଏହି ଯୋଜନା ଜଣାପଡିଛି। ଓଜିଡବ୍ଲ୍ୟୁ ଜଣଙ୍କ ହେଉଛି ଫାରୁକ ଅହମ୍ମଦ ୱାନି। ତାର ଘର ବାରମୂଲାର ହାଇଗାମ। ସେ ସ୍ଥାନୀୟ ପଞ୍ଚ ତାରକା ପୋସ ହୋଟେଲରେ ଗାଡି ଚାଳକ ଭାବେ କାମ କରୁଥିବାବେଳେ ପାକିସ୍ତାନ ଆଇଏସଆଇ ଯୋଗାଯୋଗରେ ରହିଥିଲା। ଜେରା ସମୟରେ ୱାନି କହିଛି ଯେ ହୋଟେଲରେ ରହିବାକୁ ଥିବା ବିଦେଶୀ ପ୍ରତିନିଧିଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରାଯାଉଥିଲା। ଆତଙ୍କବାଦୀଙ୍କୁ ହୋଟେଲ ମଧ୍ୟକୁ ପ୍ରବେଶ କରାଇବା ପୂର୍ବକ ଏହାକୁ ମୁମ୍ବଇର ତାଜ ହୋଟେଲ ଭଳି ଅକ୍ତିଆର କରିବାକୁ ଯୋଜନା କରାଯାଉଥିଲା। ହୋଟେଲକୁ ଅକ୍ତିଆର କରି ଏଠାରେ ଥିବା ବିଦେଶ ପ୍ରତିନିଧିଙ୍କୁ ପଣବନ୍ଦ କରାଯିବାର ଯୋଜନା ହୋଇଥିଲା। ଯାହା ୨୦୦୮ ନଭେମ୍ବର ୨୬ରେ ମୁମ୍ବଇର ତାଜ ହୋଟେଲରେ ଲସ୍କର ଆତଙ୍କବାଦୀମାନେ କରିଥିଲେ। ୱାନି କହିଛି ଯେ ଜି-୨୦ ସମ୍ମିଳନୀ ଅବସରରେ କାଶ୍ମୀର ଦୁଇ-ତିନି ସ୍ଥାନରେ ଆକ୍ରମଣ ଘଟାଇବାକୁ ଆତଙ୍କବାଦୀମାନେ ଯୋଜନା କରିଛନ୍ତି।
ଆତଙ୍କବାଦୀଙ୍କ ଏହି ଯୋଜନା ସମ୍ପର୍କରେ ଜଣାପଡିବା ପରେ ଜି-୨୦ ସମ୍ମିଳନୀ ସ୍ଥଳର ସୁରକ୍ଷା ବଢାଇ ଦିଆଯାଇଛି । ଏହା ସହିତ ବୈଠକର କାର୍ଯ୍ୟସୂଚୀ ପରିବର୍ତ୍ତନ କରାଯାଇଛି। କାଶ୍ମୀର ପୁଲିସ ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ନିର୍ଦେଶନାମା ଜାରି କରିଛି। ଏଥିରେ ସନ୍ଦେହଜନକ ଆନ୍ତର୍ଜାତିକ ଫୋନ କଲ୍‌ ପ୍ରତି ସତର୍କ ରହିବାକୁ କୁହାଯାଇଛି। ଏହା ସହିତ ଜି-୨୦ ସମ୍ପର୍କରେ କୌଣସି ଗୁଜବ ପ୍ରଚାର ନ କରିବାକୁ କୁହାଯାଇଛି। ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ବୈଠକକୁ ଆସୁଥିବା ପ୍ରତିନିଧିମାନେ ଶ୍ରୀନଗରର ଦାଚିଗାମ ଜାତୀୟ ଉଦ୍ୟାନ ଓ ଗୁଲମାର୍ଗ ପରିଦର୍ଶନ କରିବାକୁ ସ୍ଥିର କରାଯାଇଥିଲା। ମାତ୍ର ସୁରକ୍ଷା କାରଣରୁ ଏହି ଦୁଇସ୍ଥାନକୁ ପରିଦର୍ଶନ ତାଲିକାରୁ ବାଦ୍ ଦିଆଯାଇଛି। ସରକାରଙ୍କ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପ୍ରତିନିଧିମାନେ ଉପରୋକ୍ତ ଦୁଇ ସ୍ଥାନ ବଦଳରେ ପୋଲୋ ଭିୟୁ ମାର୍କେଟ ଓ ସାଲିମାରବାଗସ୍ଥିତ ମୋଗଲ ଗାର୍ଡେନ ପରିଦର୍ଶନ କରିବେ। ଶ୍ରୀନଗର ସ୍ମାର୍ଟ ସିଟି ପ୍ରକଳ୍ପ ଯୋଜନାରେ ୯୮୦ କୋଟି ଟଙ୍କା ବ୍ୟୟରେ ପୋଲୋ ଭିୟୁ ମାର୍କେଟ ତିଆରି କରାଯାଇଛି। ଜି-୨୦ ବୈଠକ ପାଇଁ ଏହି ମାର୍କେଟକୁ ସକାଳ ୯ଟାରୁ ଖୋଲାଯିବ। ଏଥିପାଇଁ ସମସ୍ତ ଦୋକାନୀଙ୍କୁ ସୂଚନା ଦିଆଯାଇଛି। ସୁରକ୍ଷା ଦୃଷ୍ଟିକୋଣରୁ ଦୋକାନୀମାନଙ୍କୁ ସ୍ବତନ୍ତ୍ର ପାସ୍ ଦିଆଯାଇଛି। ପ୍ରତିନିଧିମାନେ ପରୀ ମହଲ, ଚସମ-ଏ-ସାହି ଆଦି ସ୍ଥାନ ପରିଦର୍ଶନ କରିବେ।
ବୈଠକର ପ୍ରଥମ ଦିନରେ କାଶ୍ମୀର ହସ୍ତଶିଳ୍ପ ପ୍ରଦର୍ଶନ କରାଯିବ। ଏହା ମଧ୍ୟରେ ଗାଲିଚା, ଶାଲ୍‌, କାଠ ଖୋଦେଇ କାରୁକାର୍ଯ୍ୟ ରହିଛି। ଦକ୍ଷିଣ କାଶ୍ମୀରରେ ଥିବା ୮ମ ଶତାବ୍ଦୀର ସୂର୍ଯ୍ୟ ମନ୍ଦିର (ମାର୍ତ୍ତଣ୍ଡ ମନ୍ଦିର)ର ଏକ ପ୍ରତିକୃତିକୁ ପ୍ରଦର୍ଶନ କରାଯିବ। ପ୍ରତିନିଧିଙ୍କ ରହଣି ସମୟରେ ରୟାଲ ସ୍ପ୍ରିଙ୍ଗ ଗଲ୍ଫ କୋର୍ସରେ ଗଲ୍ଫ ଖେଳିବା ଲାଗି ୩୦ଜଣ ସ୍ଥାନୀୟ ଖେଳାଳିଙ୍କୁ ଡକାଯାଇଛି। କାଶ୍ମୀରରେ ଜି-୨୦ ବୈଠକ ଆୟୋଜନକୁ ଚୀନ ଓ ପାକିସ୍ତାନ ସମେତ କେତେକ ରାଷ୍ଟ୍ର ବିରୋଧ କରି ବର୍ଜନ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories