ବିଶ୍ବକୁ ଚକିତ କଲେ ଫ୍ରାନ୍ସର ଉଡ଼ନ୍ତା ସୈନିକ

ନୂଆଦିଲ୍ଲୀ: କେବଳ ଭାରତ ନୁହେଁ, ବିଶ୍ବର ସମସ୍ତ ଦେଶ ନିଜ ସୀମା ସୁରକ୍ଷା ନେଇ ସର୍ବଦା ଯତ୍ନଶୀଳ। ଏବେକାର ବିଜ୍ଞାନ ଓ କାରିଗରୀ ଯୁଗରେ ଅଧିକାଂଶ ବିତ୍ତଶାଳୀ ରାଷ୍ଟ୍ର ସେମାନଙ୍କ ସେନାବାହିନୀର ଆଧୁନିକୀକରଣ କରିବା ସହ ଡିଜିଟାଲାଇଜେସନ ଉପରେ ଗୁରୁତ୍ବ ଦେଉଛନ୍ତି। ବିପଦ ଯେଉଁ ଅନୁଯାୟୀ ଦେଖାଯାଉଛି ଯୁଦ୍ଧର କୌଶଳ ଓ ଉପକରଣ ଦିନକୁ ଦିନ ସେହିପରି ପରିବର୍ତ୍ତନ ହେବାରେ ଲାଗିଛି। ଏହିକ୍ରମରେ ଫ୍ରାନ୍ସ ନିଜ ସେନା ପାଇଁ ଏପରି ଏକ ଉପକରଣ ଉଦ୍ଭାବନ କରିଛି, ଯାହା ସମଗ୍ର ବିଶ୍ବବାସୀଙ୍କୁ ଚକିତ କରିଛି। ନିକଟରେ ଦେଶର ରାଜଧାନୀ ପ୍ୟାରିସ୍‌ରେ ‘ବସ୍ତିଲ-ଡେ’ ପାଳନ କରାଯାଉଥିଲା। ସେଠାରେ ଦେଶର ୩ ସେନାମୁଖ୍ୟଙ୍କ ସହ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମ୍ୟାକ୍ରନ ଉପସ୍ଥିତ ଥିଲେ। ଏହି ସମୟରେ ହାତରେ ସ୍ବୟଂଚାଳିତ ବନ୍ଧୁକ ଧରି ଜଣେ ଫରାସୀ ସୈନିକ ଆକାଶରେ ଉଡୁଥିବା ଦେଖିବାକୁ ମିଳିଥିଲା। ସେ ଯେଉଁ ଉପକରଣ ଉପରେ ଛିଡ଼ା ହୋଇ ଉଡୁଥିଲେ ତାକୁ ‘ଜେଟ୍‌-ପାୱାର୍ଡ ପ୍ଲାଏବୋର୍ଡ’ କୁହାଯାଉଛି।
ଏହି ସୈନିକ ଜଣକ ପାଦରେ ଏକ କ୍ଷୁଦ୍ର ଜେଟ ମେସିନ ଲଗାଇ ସ୍ବୟଂ ଚାଳିତ ବନ୍ଧୁକ ଧରି ଆକାଶରେ ନିର୍ଭୟରେ ବିଭିନ୍ନ ଦିଗକୁ ଗତି କରୁଥିଲେ। ଏହାର ଭିଡିଓ ପ୍ରସାରିତ ହେବା ପରେ ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରଙ୍କ ନିଦ ହଜି ଯାଇଛି। ଏପରି କାରିଗରୀ ​‌େ​‌କୗଶଳ ସଭିଙ୍କୁ ଆଚମ୍ବିତ କରିଛି। ଫ୍ରାନ୍ସର ଏହି ସୈନିକ ଜଣକ ଭୂପୃଷ୍ଠରୁ ୧୫୦ ମିଟର ଉଚ୍ଚରେ ୧୦ ମିନିଟ ପର୍ଯ୍ୟନ୍ତ ଆକାଶର ବିଭିନ୍ନ ଦିଗକୁ ଯାଇପାରିଥିଲେ। ଏହି ଜେଟ୍‌ ଘଣ୍ଟା ପ୍ରତି ୧୯୦ କି.ମି ବେଗରେ ଉଡିପାରେ। ଅଧିକ ସମୟ ଆକାଶରେ ରହିବା ପାଇଁ ଏହି ଉପକରଣକୁ ଅଧିକ ବିକଶିତ କରାଯାଉଥିବା ଫ୍ରାନ୍ସ ସେନା ପକ୍ଷରୁ କୁହାଯାଇଛି। ଏବେ ଅଧିକାଂଶ ଦେଶର ପ୍ରତିରକ୍ଷା ଓ ଅନୁସନ୍ଧାନ ସଂସ୍ଥା ନୂଆନୂଆ ବିପଦର ମୁକାବିଲା ପାଇଁ ବିଭିନ୍ନ ଜ୍ଞାନକୌଶଳର ପରୀକ୍ଷାନିରୀକ୍ଷା ଚଳାଇଛନ୍ତି। ଏପରିସ୍ଥିତିରେ ଫ୍ରାନ୍ସର ଏହି ଉଦ୍ଭାବନ ପ୍ରତିରକ୍ଷା କ୍ଷେତ୍ରକୁ ନୂତନ ଦିଶା ଦେବାରେ ସହାୟକ ହୋଇପାରେ। ବିଶେଷକରି ଆତଙ୍କବାଦୀଙ୍କ ସହ ମୁକାବିଲା ପାଇଁ ଏହି ଉପକରଣ ସହାୟକ ହେବ।
ଏହି ଉପକରଣକୁ ଉପଯୋଗ କରିବା ପାଇଁ କୌଣସି ‘ଲଞ୍ଚିଂ ପ୍ୟାଡ’ କିମ୍ବା ‘ରନ୍‌-ୱେ’ର ଆବଶ୍ୟକତା ନାହିଁ। ଏହାକୁ ଯେକୌଣସି ସମୟରେ ଓ ଯେକୌଣସି ପରିସ୍ଥିତି ଅଥବା ପାଣିପାଗରେ ଉପଯୋଗ କରାଯାଇପାରେ। ଏହା ଏତେ ହାଲୁକା ଯେ ଜଣେ ସୈନିକ ଆରାମରେ ନିଜ କାନ୍ଧରେ ଏହାକୁ ବୋହି ନେଇ ଯେକୌଣସି ସ୍ଥାନରୁ ଆକାଶ ମାର୍ଗକୁ ଯାଇପାରନ୍ତି। ଯନ୍ତ୍ରର ଏହି ବିଶେଷତା ପଦାତିକ ବାହିନୀଙ୍କ ପାଇଁ ବିଶେଷ ସହାୟକ ହେବ। ବିଶ୍ବର ଏକ ପ୍ରମୁଖ ଗୁଇନ୍ଦା ସଂସ୍ଥାର ସୂଚନା ଅନୁଯାୟୀ, ଫ୍ରାନ୍ସର ବୈଜ୍ଞାନିକମାନେ ବର୍ଷେ ହେଲା ଏପରି ଏକ ଯନ୍ତ୍ରର ଉଦ୍ଭାବନ ପାଇଁ ପ୍ରୟାସ ଜାରି ରଖିଥିଲେ। ଏଥିପାଇଁ ଫ୍ରାନ୍ସ ସରକାର ୧୪ ଲକ୍ଷ ୭୦ ହଜାର ଆମେରିକୀୟ ଡଲାର ଯୋଗାଇ ଦେଇଥିଲେ। ଏହାକୁ ଅଧିକ ବିକଶିତ କରାଯାଇ ସେନାକୁ ହସ୍ତାନ୍ତର କରାଯିବ ବୋଲି ଦେଶର ରକ୍ଷାମନ୍ତ୍ରୀ ଫ୍ଲୋରେନ୍ସ ପେରୀ କହିଛନ୍ତି। ନିକଟରେ ପ୍ରକାଶ ପାଇଥିବା ବୈଶ୍ବିକ ଉଦ୍ଭାବନ ସୂଚକାଙ୍କ-୨୦୧୯ ତାଲିକାରେ ଭାରତ ୫୨ତମ ସ୍ଥାନରେ ରହିଛି। ଗତବର୍ଷ ୫୭ ଓ ୨୦୧୫ରେ ୮୧ତମ ସ୍ଥାନରେ ଥିଲା। ଏହି ତାଲିକାରେ ୧୨୯ଟି ଦେଶ ମଧ୍ୟରୁ ସ୍ବିଜରଲ୍ୟାଣ୍ଡ, ସ୍ବିଡେନ, ଯୁକ୍ତରାଷ୍ଟ୍ର ଆମେରିକା, ନେଦରଲ୍ୟାଣ୍ଡ ଓ ବ୍ରିଟେନ ଯଥାକ୍ରମେ ପ୍ରଥମରୁ ୫ମ ସ୍ଥାନରେ ଅଛନ୍ତି। ପୂର୍ବାପେକ୍ଷା ଉଦ୍ଭାବନ ସୂଚକାଙ୍କରେ ଭାରତର ଉନ୍ନତି ଘଟିଛି। ତେବେ ଆମ ଦେଶର ଜନସଂଖ୍ୟାକୁ ଦୃଷ୍ଟିରେ ରଖିଲେ ଏହା କିଛି ନୁହେଁ ବୋଲି ମାନିବାକୁ ହେବ। ଇସ୍ରାଏଲ ଓ ଫିନଲ୍ୟାଣ୍ଡ ପରି କ୍ଷୁଦ୍ର ଦେଶ ଭାରତଠାରୁ ଯଥେଷ୍ଟ ଆଗରେ ଅଛନ୍ତି।
ବିଶ୍ବରେ ବୈଷୟିକ ଜ୍ଞାନକୌଶଳ ଯେପରି ଭାବେ ଆଗଉଛି ଓ ବିଭିନ୍ନ ଦେଶ ଏହାକୁ ଆପଣାଉଛନ୍ତି ହୁଏତ ୨୦୫୦ ବେଳକୁ ପଦାତିକ ବାହିନୀ ଅପେକ୍ଷା ଆକାଶ ବାହିନୀ ହିଁ ଦେଶ ସୁରକ୍ଷାର ପ୍ରମୁଖ ଭୂମିକା ତୁଲାଇବ। ଏହା ବ୍ୟତୀତ ଦେଶର ଅଧିକାଂଶ ସେନା ଡିଜିଟାଲାଇଜେସନକୁ ଆପଣାଇବାରେ ଲାଗିଛନ୍ତି। ଏବେ ଆମେରିକା ଓ ଇରାନ ମଧ୍ୟରେ କିପରି ସମ୍ପର୍କ ରହିଛି ତାହା ଅଧିକାଂଶ ଜାଣନ୍ତି। କ୍ଷେପଣାସ୍ତ୍ର ଅଥବା ଗୋଳା, ବାରୁଦ ବିନା ଆମେରିକାର ହ୍ୟାକରମାନେ ଇରାନର ପ୍ରତିରକ୍ଷା ସରଞ୍ଜାମଗୁଡ଼ିକୁ ଅଚଳ କରି ଦେଇଥିଲେ। ଯବାନଙ୍କ ମଧ୍ୟରେ ଯୋଗାଯୋଗ ଓ ଶତ୍ରୁର ଉପସ୍ଥିତି ସଂକ୍ରାନ୍ତରେ ଜାଣିବା ପାଇଁ ରେଡାରର ଆବଶ୍ୟକତା ରହିଛି। ସାଟେଲାଇଟ ଦ୍ବାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ କମ୍ପ୍ୟୁଟର ମାଧ୍ୟମରେ ଏଗୁଡ଼ିକୁ ପରିଚାଳନା କରାଯାଏ। ଏଥିପାଇଁ ଇଣ୍ଟରନେଟର ଆବଶ୍ୟକତା ମଧ୍ୟ ରହିଛି। ଏକ ଯୁଦ୍ଧ ବିମାନ କେତେ ଗତିରେ କେଉଁ ଦିଗକୁ ଯାଇ ବୋମା ବର୍ଷଣ କରିବ ତାହା ମଧ୍ୟ କମ୍ପ୍ୟୁଟର ଦ୍ବାରା ସ୍ଥିରୀକୃତ ହୋଇଥାଏ। ଏପରିସ୍ଥଳେ ଆମେରିକା ପ୍ରତିରକ୍ଷା ବିଭାଗର ହ୍ୟାକରମାନେ ଇରାନର ଏକାଧିକ କମ୍ପ୍ୟୁଟରକୁ ଅଚଳ କରିଦେଇଥିଲେ। ଯେତେ ବିଶାଳ ସେନା ହେଉ ନା କାହିଁକି ଯଦି ସୈନ୍ୟ-ସୈନ୍ୟଙ୍କ ମଧ୍ୟରେ ଯୋଗାଯୋଗର ମାଧ୍ୟମ ବନ୍ଦ ହୋଇଯାଏ ତେବେ ପରାଜୟ ଅବଶ୍ୟାମ୍ଭାବୀ। କ୍ଷେପଣାସ୍ତ୍ର ଦ୍ବାରା ଇରାନର ସାଧାରଣ ନାଗରିକ ନିହତ ହେବେ, ତେଣୁ ଆମେରିକା ସେ ଦେଶର ପ୍ରତିରକ୍ଷା କମ୍ପ୍ୟୁଟରଗୁଡ଼ିକୁ ହ୍ୟାକରଙ୍କ ଜରିଆରେ ନିଷ୍କ୍ରିୟ କରିଦେଇଥିଲା। ଭାରତ ଏହାକୁ ଉଦାହରଣ ଭାବେ ଗ୍ରହଣ କରିବା ଉଚିତ୍। ଆମ ଦେଶରେ ୧୪ ଲକ୍ଷ ସୈନ୍ୟ ଅଛନ୍ତି ମାନେ ନୁହେଁ ଯେ ଆମେ ବିଜୟୀ ହୋଇଯିବା। ଆଗକୁ ଆଉ ସୈନ୍ୟ-ସୈନ୍ୟ ନୁହେଁ, ଉନ୍ନତ ଯନ୍ତ୍ରାଂଶ ମଧ୍ୟରେ ଯୁଦ୍ଧ ହେବ। ଏପରି ପରିସ୍ଥିତିରେ ଫ୍ରାନ୍ସର ଉପରୋକ୍ତ ଉଦ୍ଭାବନ ଅନ୍ୟ ଦେଶଗୁଡ଼ିକୁ ବିକଳ୍ପ ଖୋଜିବା ପାଇଁ ବାଧ୍ୟ କରିଛି।

Comments are closed.