କଲକାତା : ପୂର୍ବତନ ପ୍ରଖ୍ୟାତ ଭାରତୀୟ ଫୁଟବଲ ଖେଳାଳି ପିକେ ବାନାର୍ଜୀଙ୍କ ଶୁକ୍ରବାର ଅପରାହ୍ଣ ୧୨.୪୦ ମିନିଟ୍ରେ ପରଲୋକ ହୋଇଯାଇଛି। ପରଲୋକ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ଗତ ୨ ତାରିଖରୁ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ନିମୋନିଆ ଯୋଗୁଁ ନିଶ୍ବାସ ନେବାରେ ସେ ଅସୁବିଧା ଭୋଗୁଥିଲେ। ଏଥିସହ ତାଙ୍କର ପାର୍କିନସନ୍ ଓ ହୃଦଯନ୍ତ୍ରରେ ସମସ୍ୟା ରହିଥିଲା।
ଦୀର୍ଘ ୫୧ ବର୍ଷ ପର୍ଯ୍ୟନ୍ତ ପିକେ ବାନାର୍ଜୀ ଭାରତୀୟ ଫୁଟବଲ୍ ସହ ଜଡ଼ିତ ଥିଲେ। ତାଙ୍କର ଦୁଇ ଝିଅ ପାଉଲା ଓ ପୂର୍ଣ୍ଣା ଅଛନ୍ତି। ଉଭୟେ ବେଶ୍ ପ୍ରତିଷ୍ଠିତ ଶିକ୍ଷାବିତ୍। ସେହିପରି ତାଙ୍କ ସାନ ଭାଇ ପ୍ରସୁନ୍ ବାର୍ନାଜୀ ହେଉଛନ୍ତି ତୃଣମୂଳ କଂଗ୍ରେସ ଦଳର ସାଂସଦ। ପଶ୍ଚିମବଙ୍ଗର ଜଲପାଇଗୁଡିସ୍ଥିତ ମୈନାଗୁରିରେ ୧୯୩୬ ମସିହା ଜୁନ୍ ୨୩ରେ ପିକେ ବାନାର୍ଜୀ ଜନ୍ମଗ୍ରହଣ କରିଥିଲେ। ଛୋଟବେଳୁ ଫୁଟବଲ ପ୍ରତି ତାଙ୍କର ପ୍ରବଳ ଆଗ୍ରହ ରହିଥିଲା। ସେ ସନ୍ତୋଷ ଟ୍ରଫିରେ ଭଲ ପ୍ରଦର୍ଶନ କରି ଭାରତୀୟ ଫୁଟବଲ ଦଳରେ ସାମିଲ ହୋଇଥିଲେ। ସେ ଦେଶ ପାଇଁ ୮୪ଟି ମ୍ୟାଚ୍ ଖେଳି ୬୫ଟି ଗୋଲ୍ ଦେଇଥିଲେ। ୧୯୬୨ ମସିହାରେ ଭାରତୀୟ ଫୁଟବଲ ଦଳ ଏସୀୟ କ୍ରୀଡ଼ାର ଫୁଟବଲରେ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ପିକେ ବାନାର୍ଜୀ ଏହି ଦଳର ସଦସ୍ୟ ଥିଲେ। ଜଣେ ଖେଳାଳି ଭାବେ ତାଙ୍କ କୃତିତ୍ବକୁ ଫିଫା ମାନ୍ୟତା ଦେଇଥିଲା। ତାଙ୍କୁ ଫିଫା ତରଫରୁ ୨୦୦୪ ମସିହାରେ ସେଣ୍ଟେନିଆଲ୍ ଅର୍ଡର ଅଫ୍ ମେରିଟ୍ ପ୍ରଦାନ କରାଯାଇଥିଲା।
୧୯୬୨ ଏସୀୟ କ୍ରୀଡ଼ାରେ ଭାରତୀୟ ଦଳ ସ୍ବର୍ଣ୍ଣ ପଦକ ଜିତିିଥିବା ବେଳେ ପିକେ ବାନାର୍ଜୀ ଦଳ ତରଫରୁ ଗୋଲ୍ ସ୍କୋର କରିଥିଲେ। ଏହାବାଦ୍ ୧୯୫୬ ମସିହା ମେଲବୋର୍ଣ୍ଣ ଅଲିମ୍ପିକ୍ସରେ ଭାରତୀୟ ଦଳ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ପିକେ ବାନାର୍ଜୀ ଏହି ଦଳର ସଦସ୍ୟ ଥିଲେ। ସେହିପରି ୧୯୬୦ ମସିହା ରୋମ୍ ଅଲିମ୍ପିକ୍ସରେ ପିକେ ବାନାର୍ଜୀ ଭାରତୀୟ ଫୁଟବଲ ଦଳର ନେତୃତ୍ବ ନେଇଥିଲେ। ୧୯୬୭ ମସିହାରେ ଖେଳାଳି ଭାବେ ପିକେ ବାନାର୍ଜୀ ଫୁଟବଲରୁ ସନ୍ନ୍ୟାସ ନେଇଥିଲେ। ପରବର୍ତ୍ତୀ ସମୟରେ ପ୍ରଶିକ୍ଷକ ଭାବେ ମଧ୍ୟ ସେ ବେଶ୍ ସୁନାମ ଅର୍ଜନ କରିବା ସହ ୫୪ଟି ଟ୍ରଫି ଜିତିଥିଲେ। ୧୯୭୭ ମସିହାରେ ସେ ମୋହନବାଗାନ ଦଳର ପ୍ରଶିକ୍ଷକ ଭାବେ ଦାୟିତ୍ବ ନିର୍ବାହ କରୁଥିବା ବେଳେ ବ୍ରାଜିଲ୍ର ମହାନ୍ ଫୁଟବଲ ଖେଳାଳି ପେଲେଙ୍କୁ ନେଇ ଗଠିତ ନ୍ୟୁୟର୍କ କସମସ୍ ଦଳ ସହ ମୋହନବାଗନ୍ ଦଳ ୨-୨ରେ ମ୍ୟାଚ୍ ଡ୍ର ରଖି ସମସ୍ତଙ୍କୁ ଚକିତ କରି ଦେଇଥିଲା। ଅନ୍ୟପକ୍ଷରେ ନିଜ କ୍ୟାରିୟରରେ ପିକେ ବାନାର୍ଜୀ କେବେ ବି ମୋହନବାଗାନ କିମ୍ବା ଇଷ୍ଟବେଙ୍ଗଲପରି ପ୍ରଖ୍ୟାତ ଦଳ ତରଫରୁ ଖେଳିନଥିଲେ। ସେ ସାରା ଜୀବନ ପୂର୍ବତଟ ରେଳବାଇ ତରଫରୁ ଘରୋଇ ଫୁଟବଲ ଖେଳିଥିଲେ। ପ୍ରଶିକ୍ଷକ ଭାବେ େସ ଫିଫା ତରଫରୁ ସାର୍ଟିଫିକେଟ୍ ହାସଲ କରିଥିଲେ। ୧୯୭୦ ମସିହାରେ ପିକେ ବାନାର୍ଜୀ ଭାରତୀୟ ଦଳର ପ୍ରଶିକ୍ଷକ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ତାଙ୍କ ସହ ଜିଏମ୍ ବାସାଙ୍କୁ ଯୁଗ୍ମ ଭାବେ ଭାରତୀୟ ଫୁଟବଲ ଦଳର ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଥିଲା। ସେହିବର୍ଷ ଭାରତୀୟ ଦଳ ବ୍ୟାଙ୍କକ୍ ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ୍ ପଦକ ଜିତିଥିଲା। ତାଙ୍କ ପ୍ରଶିକ୍ଷଣରେ ମୋହନବାଗାନ ଦଳ ୧୯୭୭ ମସିହାରେ ଆଇଏଫ୍ଏ ସିଲ୍ଡ, ରୋଭର୍ସ କପ୍ ଓ ଡୁରାଣ୍ଡ କପ୍ ଚମ୍ପିଆନ୍ ହୋଇଥିଲା।
ପିକେ ବାନାର୍ଜୀଙ୍କ ପରଲୋକରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ଭାରତୀୟ ଫୁଟବଲ ଦଳର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୁଟିଆ ପ୍ରମୁଖ ଶୋକବ୍ୟକ୍ତ କରିବା ସହ ତାଙ୍କୁ ଭାରତୀୟ ଫୁଟବଲର ଜଣେ ମହାନ୍ ବ୍ୟକ୍ତିତ୍ବ ବୋଲି ଅଭିହିତ କରିଥିଲେ।



