www.samajalive.in
Monday, December 8, 2025
14.1 C
Bhubaneswar

ପରଲୋକରେ ଫୁଟବଲ କିମ୍ବଦନ୍ତୀ ଚୁନି ଗୋସ୍ବାମୀ

କୋଲକାତା : କିମ୍ବଦନ୍ତୀ ଫୁଟବଲର ଷ୍ଟ୍ରାଇକର ତଥା ପ୍ରଥମ ଶ୍ରେଣୀ କ୍ରିକେଟର ସୁବିମଲ ଗୋସ୍ବାମୀ(ଚୁନି)ଙ୍କ ଗୁରୁବାର ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। ଗୁରୁବାର ଗୋସ୍ବାମୀ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଚିକିତ୍ସା ଲାଗି ପରିବାର ପକ୍ଷରୁ ନିକଟସ୍ଥ ସିଟି ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଅପରାହ୍ଣ ୫ଟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ୧୫ ଜାନୁଆରୀ ୧୯୩୮ରେ ବେଙ୍ଗଲର କିଷନଗଞ୍ଜରେ ଜନ୍ମିତ ଚୁନି ବେଙ୍ଗଲ ପକ୍ଷରୁ ପ୍ରଥମ ଶ୍ରେଣୀ କ୍ରିକେଟ ଓ ଭାରତ ପାଇଁ ଅନ୍ତର୍ଜାତୀୟ ଫୁଟବଲ ମ୍ୟାଚ ଖେଳିବାରେ ଦକ୍ଷତା ହାସଲ କରିଥିଲେ। ଚୁନିଙ୍କ ଅଧିନାୟକତ୍ବ​‌​‌ରେ ଭାରତୀୟ ଫୁଟବଲ ଦଳ ୧୯୬୨ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲା। ୧୯୬୪ ଏସିଆନ କପରେ ମଧ୍ୟ ଭାରତ ଚୁନିଙ୍କ ନେତୃତ୍ବରେ ରନର୍ସଅପ ଆଖ୍ୟା ଅର୍ଜନ କରିଥିଲା। ଗୋସ୍ବାମୀ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରେ ଏକାଧିକ ଥର କୋଲକାତାର ମୋହନବାଗାନ୍‌ କ୍ଲବ ପାଇଁ ଖେଳୁଥିଲେ। କୋଲକାତା ବିଶ୍ବବିଦ୍ୟାଳୟର ଅଧିନାୟକ ଦାୟିତ୍ବ ମଧ୍ୟ ତୁଲାଇଥିଲେ। ୧୯୫୭ରେ ଅନ୍ତର୍ଜାତୀୟ ଫୁଟବଲ କ୍ୟାରିୟର ଆରମ୍ଭ କରିଥିଲେ। ୭ ବର୍ଷ ଅନ୍ତର୍ଜାତୀୟ ଫୁଟବଲ ମ୍ୟାଚ ଖେଳିବା ପରେ ମାତ୍ର ୨୭ ବର୍ଷ ବୟସରେ ୧୯୬୪ରେ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ନେଇଯାଇଥିଲେ। ୩୨ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳି ୯ଟି ଗୋଲ ସ୍କୋର କରିଥିଲେ। ଖେଳ ଛାଡ଼ିବା ପରେ କ୍ରିକେଟ ପ୍ରତି ମନ ବଳାଇଥିଲେ। ବଙ୍ଗଳା କ୍ରିକେଟ ଦଳ ପକ୍ଷରୁ ୧୯୬୬ରୁ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ଜଣେ ଅଲରାଉଣ୍ଡର ଭାବେ ଇନ୍ଦୋରରେ କେନ୍ଦ୍ରୀୟ ଓ ପୂର୍ବାଞ୍ଚଳ ଜୋନାଲ ମ୍ୟାଚରେ ୮ଟି ୱିକେଟ ନେଇଥିଲେ। ଗୋସ୍ବାମୀ ୧୯୭୧-୭୨ରେ ବେଙ୍ଗଲ ରଣଜୀ ଦଳର ଅଧିନାୟକ ଦାୟିତ୍ବ ତୁଲାଇବା ସହିତ ଦଳକୁ ଫାଇନାଲରେ ପହଞ୍ଚାଇଥିଲେ। ବାବୋର୍ଣ୍ଣ ଷ୍ଟାଡ଼ିୟମରେ ଖେଳାଯାଇଥିବା ମୁମ୍ବଇ ବିପକ୍ଷ ରଣଜୀ ଫାଇନାଲରେ ବେଙ୍ଗଲ ପରାଜିତ ହୋଇଥିଲା। ଗୋସ୍ବାମୀ ୪୬ଟି ମ୍ୟାଚ ଖେଳି ଗୋଟିଏ ଶତକ ଓ ୭ଟି ଅର୍ଦ୍ଧଶତକ ସହ୧୫୯୨ରନ କରିଥିବାବେଳେ ବୋଲିଂରେ ୪୭ଟି ୱିକେଟ ନେଇଥିଲେ। ସ୍ବର୍ଗତ ଗୋସ୍ବାମୀ ୧୯୬୩ରେ ଅର୍ଜୁନ ପୁରସ୍କାର ଓ ୧୯୮୩ରେ ପଦ୍ମଶ୍ରୀ ପୁରସ୍କାର ହାସଲ କରିଥିଲେ। ଚୁନି ଗୋସ୍ବାମୀଙ୍କ ପରଲୋକରେ ଫୁଟବଲ ଓ କ୍ରିକେଟ ମହଲରେ ଶୋକର ଛାୟା ଖେଳିଯାଇଛି। ସର୍ବଭାରତୀୟ ଫୁଟବଲ ମହାସଂଘ ଚୁନିଙ୍କ ପରଲୋକରେ ଶୋକବ୍ୟକ୍ତ କରିବା ସହିତ ଭାରତୀୟ ଫୁଟବଲ ଜଣେ ଦକ୍ଷ ଷ୍ଟ୍ରାଇକରଙ୍କୁ ହରାଇଲା ବୋଲି ଅଭିହିତ କରିଛି। ସୂଚନାଯୋଗ୍ୟ , ସ୍ବର୍ଗତ ଗୋସ୍ବାମୀ ୨୦୧୨ରେ ଭୁବନେଶ୍ବର ୟୁନିଟ୍‌-୬ଆଥ୍‌ଲେଟିକ୍‌ ଆସୋସିଏସନର ରୌପ୍ୟ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହାଛଡ଼ା ଓଡ଼ିଶାରେ ଫୁଟବଲର ବିକାଶ ନେଇ କର୍ମଶାଳାରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ତାଙ୍କ ପରଲୋକରେ ୟୁନିଟ୍‌-୬ ଆଥ୍‌ଲେଟିକ୍‌ ଆସୋସିଏସନ ପକ୍ଷରୁ ଗଭୀର ଶୋକବ୍ୟକ୍ତ କରାଯିବା ସହିତ ଅମର ଆତ୍ମାର ସଦ୍‌ଗତି କାମନା କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories