କେନ୍ଦୁଝର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା କେନ୍ଦୁଝର କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ପାଟଣା ବ୍ଲକ୍ ଅନ୍ତର୍ଗତ ତୁରୁମୁଙ୍ଗା ଠାରେ ଥିବା ଦଧିବାମନ ଡିଗ୍ରୀ ମହାବିଦ୍ୟାଳୟରେ ଏକ ଦୁଇଦିନିଆ ସଚେତନତା କାର୍ଯ୍ୟକ୍ରମ ଆଜି ଓ ଆସନ୍ତାକାଲି ଅନୁଷ୍ଠିତ ହେଉଅଛି। ତେବେ ଅନ୍ତର୍ଜାତୀୟ ମହିଳା ଦିବସକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମରେ ‘ବେଟି ବଚାଓ, ବେଟି ପଢ଼ାଓ’, ସୁକନ୍ୟା ସମୃଦ୍ଧି ଯୋଜନା ଆଦି ବିଷୟବସ୍ତୁକୁ ନେଇ ଆଜି ପ୍ରଥମ ଦିନରେ ପ୍ରାକ୍ସଚେତନତା କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ବହୁସଂଖ୍ୟାରେ ଯୋଗ ଦେଇଥିଲେ।
ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ନେଇ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ଛାତ୍ରୀମାନଙ୍କୁ ନେଇ ରଙ୍ଗୋଲି ଓ ମ୍ୟୁଜିକ୍ ଚେୟାର୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ରଙ୍କ ପ୍ରେରଣାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାବେଳେ କେନ୍ଦୁଝର କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟର କ୍ଷେତ୍ର ପ୍ରଚାର ଅଧିକାରୀ ପାର୍ଥସାରଥୀ ମଲ୍ଲିକ୍ ଓ ସହକାରୀ ଅଧିକାରୀ ଜୀବନ କୁମାର ସାମନ୍ତସିଂହାର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।



