ଫୁଲବାଣୀ: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ସରାମୂଳି ପଞ୍ଚାୟତର ସରାମୂଳି ଗ୍ରାମରେ ଗ୍ୟାସ୍ ସିଲିଣ୍ଡର ଲିକ୍ରୁ ଅଗ୍ନିକାଣ୍ଡ ଘଟି ଦୁଇଟି ଘର ସଂପୂର୍ଣ୍ଣଭାବେ ପୋଡ଼ି ନଷ୍ଟ ହୋଇଯାଇଛି। ଗତକାଲି ଅପରାହ୍ନରେ ସରାମୂଳି ଗ୍ରାମର ଶରତ ଦଣ୍ଡସେନାଙ୍କ ଘରେ ଗ୍ୟାସ ସିଲିଣ୍ଡର ଲିକ୍ରୁ ନିଆଁ ଲାଗିଥିଲା। ହଠାତ୍ ନିଆଁ ହୁତୁ ହୁତୁ ହୋଇ ଉଠିବାରୁ ଭୟଭୀତ ହୋଇ ପରିବାରର ସଦସ୍ୟମାନେ ଘରୁ ବାହାରକୁ ଧାଇଁ ଆସିଥିଲେ। ତେବେ ଘରର ଚାଳାରେ ନିଆଁ ଲାଗିଯିବା ଯୋଗୁଁ ଘର ଜଳିଯିବା ସହିତ ପଡ଼ିଶା ଗର ବିରିକା ବିନ୍ଧାଣୀଙ୍କ ଘରେ ମଧ୍ୟ ନିଆଁ ଲାଗିଯାଇଥିଲା। ଏନେଇ ଶରତ ଦାରିଙ୍ଗବାଡ଼ି ଅଗ୍ନିସମ ବାହିନିକୁ ଖବର ଦେଇବା ସହିତ ଗ୍ରାମବାସୀ ମାନେ ମିଳିତ ଭାବେ ନିଆଁକୁ ଆୟତ କରିବାପାଇଁ ସମସ୍ତ ପ୍ରକାର ଉଦ୍ୟମ କରିଥିଲେ ମଧ୍ୟ ଦୁଇଟି ପରିବାରର ଆସବାସ ପତ୍ର ସହିତ ଧାନ, ଚାଉଳ ଓ ଲୁଗାପଟା ପୋଡ଼ି ଯାଇଛି। ଅଗ୍ନିସମ ବାହିନି ପହଞ୍ଚିବା ବେଳେ ସବୁ ପୋଡ଼ି ପାଉଁଶ ହୋଇଯାଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି।ଏନେଇ ଉଭୟ ପରିବାର ପକ୍ଷରୁ ସ୍ଥାନୀୟ ସରପଂଚ ଓ ରାଜସ୍ୱ ନିରୀକ୍ଷକଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଥିବାର ଜଣାଯାଇଛି।
Popular Categories



