ସମାଜ ଡିଜିଟାଲ ଡେସ୍କ: ବଲିଉଡ଼ ଅଭିନେତା ସୋନୁ ସୁଦ୍ ତାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଫତେହ’କୁ ନେଇ ଏବେ ଚର୍ଚ୍ଚାରେ। ଚଳିତ ବର୍ଷ ଜୁଲାଇରେ ଅଭିନେତା ନିଜ ଜନ୍ମଦିନ ଅବସରରେ ‘ଫତେହ’ର ନୂଆ ପୋଷ୍ଟର ଜାରି କରି ଏହାର ମୁକ୍ତିଲାଭ ତାରିଖ ଘୋଷଣା କରିଥିଲେ, ଯାହାପରେ ଦର୍ଶକଙ୍କ ଉତ୍ସାହ ବଢି ଯାଇଥିଲା। ଆଉ ଏବେ ସାମାଜିକ ଗଣମାଧ୍ୟମରେ ଫିଲ୍ମର ଦମ୍ଦାର ଟିଜର ଶେୟାର କରିଛନ୍ତି ସୋନୁ ସୁଦ୍।
ଜୀ ଷ୍ଟୁଡିଓଜ୍ ଏବଂ ଶକ୍ତି ସାଗର ପ୍ରଡକ୍ସନ୍ସ ‘ଫତେହ’ର ଟିଜର ରିଲିଜ୍ କରିଛନ୍ତି। ଏହି ଚଳଚ୍ଚିତ୍ର ମାଧ୍ୟମରେ ନିର୍ଦେଶନା କ୍ଷେତ୍ରରେ ପାଦ ଥାପିଛନ୍ତି ସୋନୁ ସୁଦ୍। ଟିଜରରେ ସୋନୁଙ୍କ ଚରିତ୍ରର ଝଲକ ଦେଖିବାକୁ ମିଳିଛି, ଯାହା ଜନ୍ ଓ୍ବିକ୍ ଫ୍ରାଞ୍ଚାଇଜି ଭଳି ଲାଗୁଛି, ଯେଉଁଥିରେ ମୃତ୍ୟୁ ସଂଖ୍ୟା ବଢି ଚାଲିଛି। ଟିଜରର ମୁଖ୍ୟ ଆକର୍ଷଣ ହେଉଛି ଜବରଦସ୍ତ ଆକ୍ସନ। ଏଥିରେ ସହ କଳାକାରମାନଙ୍କ ଝଲକ୍ ମଧ୍ୟ ଦେଖିବାକୁ ମିଳିଛି, ଯେଉଁଥିରେ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍, ନାସିରୁଦ୍ଦିନ ଶାହ ଓ ବିଜୟ ରାଜ ପ୍ରମୁଖ ନଜର ଆସିଛନ୍ତି। ସୋନାଲି ସୁଦ୍ ଏବଂ ଉମେଶ କେ.ଆର. ବନ୍ସଲଙ୍କ ଦ୍ୱାରା ନିର୍ମିତ ‘ଫତେହ’ ଡିଜିଟାଲ ସୁରକ୍ଷା ଏବଂ ଅନଲାଇନ୍ ଠକେଇର ବିଷୟବସ୍ତୁ ଉପରେ ଆଧାରିତ।



