ନବରଙ୍ଗପୁର : ନବରଙ୍ଗପୁର ଜିଲାର ଜଣେ ଯୁବ ଆଇନଜୀବୀ ନିଜ ଚେଷ୍ଟାରେ ଚାଷ କାମ କରି ଏକ ସଫଳ ଚାଷୀ ଭାବେ ଅଂଚଳରେ ନିଜର ପରିଚୟ ସୃଷ୍ଟି କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇଛନ୍ତି | ନବରଙ୍ଗପୁର ବ୍ଲକ ଭତରା ସିଉନି ଗ୍ରାମରେ ରହୁଥିବା ଆଇନଜୀବୀ ବାଲାଜୀ ମିଶ୍ର ପେଷାରେ ଓକିଲାତି କରୁଥିଲେ। ତାଙ୍କର ନିଜସ୍ୱ ୧୭ ଏକର ଧାନ ଜମିରେ ତାଙ୍କ ପିତା ସ୍ବର୍ଗତ ରମେଶ ଚନ୍ଦ୍ର ମିଶ୍ର ପୂର୍ବରୁ ଚାଷ କରି ନିଜ ପରିବାର ଗୁଜୁରାଣ ମେଣ୍ଟାଉ ଥିଲେ, ପିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେ ଧୀରେ ଖରାପ ହେବା ଯୋଗୁ ବାଲାଜୀ ବାପା ଙ୍କୁ ଚାଷ କାମରେ ଅଳ୍ପ ସହଯୋଗ କରିବା ଆରମ୍ଭ କଲେ। ୨୦୧୦ରେ ବାପାଙ୍କ ଦେହାନ୍ତ ପରେ ବାଲାଜୀ ନିଜେ ଚାଷ କାର୍ଯ୍ୟକୁ ନିଜ ମୁଣ୍ଡ ଉପରେ ନେଇ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ, ହେଲେ ନିଜର ପେଷା ଓକିଲାତି କରିବା ଛାଡି ନଥିଲେ। ଚାଷ କାର୍ଯ୍ୟରେ ସେତେଟା ଅଭିଜ୍ଞତା ନଥିବା ଯୋଗୁଁ ସେ ପ୍ରାୟ ୨ରୁ ୩ ବର୍ଷ କ୍ଷତି ମଧ୍ୟ ସହିଥିଲେ | ହେଲେବି ନିଜର ୧୭ ଏକର ଜମିରେ ଧାନ ଚାଷ କରି ଆସୁଥିଲେ। ଆଜକୁ ଦୁଇ ବର୍ଷ ହେବ କୋର୍ଟ ବନ୍ଦ ରହିବା ଯୋଗୁ ନିଜର ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପଡିବାରୁ ଅଲଗା ଉପାୟ ନ ପାଇ ବାଲାଜୀ ଚାଷ କାର୍ଯ୍ୟକୁ ଗୁରୁତ୍ୱ ଦେଇ ଚାଷ କାମ ଆଡେ ମନ ବଳେଇଥିଲେ। ଚାଷ କାର୍ଯ୍ୟରେ ଅଧିକା ସମୟ ଦେବାସହ ପ୍ରାଇଭେଟ ଫାଇନାନ୍ସ ରେ ଟ୍ରାକ୍ଟର ଆଣି ଦରକାର ପଡିଲେ ଟ୍ରାକ୍ଟର ଯୋଗେ ନିଜେ ବିଲରେ ହଳ ମଧ୍ୟ କରିବାକୁ ଲାଗିପଡ଼ିଲେ ବାଲାଜୀ। ସରକାରଙ୍କ ବିଜୁ ଜଳସେଚନ ସ୍କିମ ରେ ଦୁଇଟି ବୋରଏଲ ଖୋଳି ଖରାଦିନେ ମକା ଚାଷ ସାଙ୍ଗକୁ ନଦୀ କୂଳିଆ ଜମିରେ ଆଖୁଚାଷ କରି ସେଥିରୁ ଗୁଡ଼ ତିଆରି କରି ବଜାରରେ ଭଲ ଦରରେ ବିକ୍ରି କରି ବେଶ ଦୁଇ ପଇସା ଲାଭବାନ ହେବା ସାଙ୍ଗକୁ ଆର୍ଥିକ ସ୍ଥିତିରେ ମଧ୍ୟ ପରିବର୍ତ୍ତନ ଆସିଲା। ପରେ ସେ ଦିନରାତି ଚାଷ କାର୍ଯ୍ୟରେ ମନବଳାଈ ଅଧିକରୁ ଅଧିକ ଲlଭପାଇବା ପାଇଁ ସେ ଅନ୍ୟ ମାନଙ୍କର ପ୍ରାୟ ୧୦ ଏକର ରୁ ଅଧିକ ଜମିରେ ଭାଗଚାଷ ମଧ୍ୟ କରୁଥିବା କହିଛନ୍ତି ବାଲାଜୀ।
ତାଙ୍କ କହିବା ଅନୁଯାଇ, ସେ ଚାଷ କାମରେ ସଫଳତାର ରହସ୍ୟ ହେଉଛି ବାପାଙ୍କ ଅନୁଭୂତି ରୁ ଶିକ୍ଷା ହାସଲ। ଦୁଃଖର ବିଷୟ ଆଜକୁ ଏହି ଅଂଚଳ ରେ ୫ ବର୍ଷ ହେବ କୌଣସି କୃଷି ଅଧିକାରୀଙ୍କ ପାଦ ପଡି ନଥିବା ବେଳେ ଏହି ଅଞ୍ଚଳର ଦାୟିତ୍ୱରେ ଥିବା ଗ୍ରାମସେବକ ମାନଙ୍କ ଚାଷ କାର୍ଯ୍ୟରେ ଅଭିଜ୍ଞତା ନଥିବା ଯୋଗୁଁ ନୂତନ ଜ୍ଞାନ କୌଶଳ ସମ୍ବନ୍ଧରେ ଅଧିକା କିଛି ଜାଣିପାରୁନଥିବା କହିଛନ୍ତି। ଯଦି ଅଂଚଳରେ ଧାନଗଛରେ ପୋକ ଲାଗିଲେ କିମ୍ବା ଅନ୍ୟ କୌଣସି ସମସ୍ୟା ଦେଖାଦେଲେ ସାର ବ୍ୟବସାୟୀଙ୍କୁ ପଚାରି ଔଷଧ ବ୍ୟବହାର କରିଥାନ୍ତି। ଯଦି ସରକାର କିମ୍ୱା କୃଷି ବିଭାଗ ତରଫରୁ ଯଦି ପ୍ରାତ୍ସାହନ ମିଳିଲେ ଅଧିକା ରୁ ଅଧିକା ଚାଷ କାର୍ଯ୍ୟ କରି ନିଜେ ଲାଭବାନ ହେବାସହ ଏହି ଅଂଚଳର ଚାଷୀ ଉପକୃତ ହୋଇ ପାରିବେ ବୋଲି ସଫଳ ଚାଷୀ ତଥା ଆଇନଜୀବୀ ଜଣଙ୍କ କହିଛନ୍ତି।



