www.samajalive.in
Thursday, December 11, 2025
15.1 C
Bhubaneswar

ମହାମାରୀ ସମୟରେ ମହଙ୍ଗା ବଜାର : ଯୋଗାଣ ବିଭାଗର ନିଘା ନାହିଁ

ଭୁବନେଶ୍ବର :ଖାଉଟି ବଜାରରେ ଲାଗିଛି ନିଆଁ । ହୁ ହୁ ହୋଇ ବଢ଼ିଚାଲିଛି ପନିପରିବା ଆଉ ତେଜରାତି ସାମଗ୍ରୀ ଦର । ବଜାରରେ ବର୍ତ୍ତମାନ ଖାଇବାତେଲ, ଡାଲି, ଚିନି ଓ ଅଟା ଦର ବଢିଥିବାବେଳେ ସାବୁନ୍‌ ଏବଂ ବିସ୍କୁଟ୍‌ ଯୋଗାଣ କମୁଛି । ଏଥିରେ ଅତିଷ୍ଠ ହେବାରେ ଲାଗିଲେଣି ଖାଉଟି । କେଉଁଠି ଯୋଗାଣ ସମସ୍ୟା ଉପୁଜିଲାଣି ତ, କେଉଁଠାରେ ପିଡିଏସ୍‌ ସାମଗ୍ରୀ ଲୋକଙ୍କୁ ନ ଦିଆଯାଇ ହରିଲୁଟ୍‌ କରାଯାଉଛି । ପୁଣି ଆଉ କେଉଁଠି ମୁନାଫାକାରୀ ଚଢ଼ା ଦରରେ ଜିନିଷ ବିକି ଖାଉଟିଙ୍କୁ ଶୋଷଣ କଲେଣି । ସତେ ଯେମିତି ଲାଗୁଛି ଯୋଗାଣ ବିଭାଗ ଏସବୁ ​‌ବେଆଇନ କାର୍ଯ୍ୟ ପ୍ରତି ​‌କୋହଳ ମନୋଭାବ ଆପଣାଇଛି । ହେଲେ ଏସବୁ ପ୍ରତି ଏବେ ଯୋଗାଣ ବିଭାଗର ନିଘା ନାହିଁ । କାରଣ ଏ ସମସ୍ୟା ଦେଖିବାକୁ ​‌ଯୋଗାଣ ବିଭାଗରେ ଅଧିକାରୀଙ୍କ ଅଭାବ । ବିଭାଗର ମାର୍କେଟ୍‌ ଇ‌େଣ୍ଟଲିଜେନ୍ସ ୟୁନିଟ୍‌ରେ ବହୁ ଅଧିକାରୀ ପଦ ଖାଲିପଡିବା ରାଜ୍ୟ​‌ରେ ଯୋଗାଣ ବିଭାଗର କାର୍ଯ୍ୟଶୈଳୀକୁ ପଦାରେ ପକାଇ ​‌ଦେଇଛି।

ନିକଟରେ ବଜାରରେ ରିଫାଇନ୍‌ଡ ହେଉ କି ସୂର୍ଯ୍ୟମୁଖୀ କିମ୍ବା ସୋରିଷତେଲ ସବୁର ମୂଲ୍ୟରେ ଲିଟର ପିଛା ୧୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ହରଡ ଡାଲି କିଲୋ ପିଛା ୮୪ରୁ-୯୦ ଟଙ୍କା ଏବଂ ବୁଟ ଡାଲି କିଲୋ ୫ଟଙ୍କା ବଢି ୬୫ରୁ ୭୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି । ସେହିଭଳି ମସୁର ଡାଲି କିଲୋ ପିଛା ୫ ଟଙ୍କା ବଢ଼ି ୭୫ ଟଙ୍କା ହୋଇଛି । ଚୁଡା ଏବଂ ମଇଦା ଉଭୟ କିଲୋ ପିଛା ୨ ଟଙ୍କା ବୃଦ୍ଧି ହୋଇଛି । ଏହାର ଫାଇଦା ନେଇ କେତେକ ବ୍ୟବସାୟୀ, କିଲୋ ପିଛା ୧୦ ଟଙ୍କା ବଢ଼ିଥିଲେ ଖାଉଟିଙ୍କଠାରୁ ୧୨-୧୫ ଟଙ୍କା ନେଉଛନ୍ତି । ସେହିଭଳି ଆଳୁ ଓ ପିଆଜ ଭଳି ପନିପରିବା କ୍ଷେତରେ ସମାନ ସ୍ଥିତି । କୁଇଣ୍ଟାଲ ପିଛା ଆଳୁ ଓ ପିଆଜ ୧୦୦ ଟଙ୍କା ବଢ଼ିଲେ ​‌କେ​‌ତେକ ଖୁଚୁରା ବିକ୍ରେତା ଖାଉଟିଙ୍କଠାରୁ କିଲୋ ପିଛା ୫ ଟଙ୍କା ଯାଏ ନେଉଛନ୍ତି । ଅନେକ ଯୋଗାଣ କମୁଥିବା ନାମରେ ସାମଗ୍ରୀ ମହଜୁଦ କରି ଦର ବଢ଼ାଇବାରେ ଲାଗିଛନ୍ତି ।

- Advertisement -

ସେହିଭଳି ବଜାରକୁ ବିସ୍କୁଟ୍‌, ସାବୁନ୍‌ ଏବଂ ନିର୍ଦିଷ୍ଟ କିଛି କମ୍ପାନୀର ଡିଟରଜେଣ୍ଟ ପାଉଡର ଭଳି ଅନେକ ସାମଗ୍ରୀ ଯୋଗାଣ କମୁଛି । ଲକ୍‌ ଡାଉନ୍‌ର ଫାଇଦା ଉଠାଇ କିଛି ବ୍ୟବସାୟୀ ତେଲ ଏବଂ ଅଟା ଭଳି ଅତ୍ୟାବଶ୍ୟକ ସାମଗ୍ରୀ ମନ ଇଚ୍ଛା ଦରରେ ବିକ୍ରି କରୁଛନ୍ତି । ଏହା ଉପରେ ଯୋଗାଣ ବିଭାଗର ସେଭଳି କୌଣସି କଟକଣା ରହୁନାହିଁ । କାରଣ ବିଭାଗରେ ବଜାର ସ୍ଥିତି ଅନୁଧ୍ୟାନ କରିବାକୁ ପର୍ଯ୍ୟାପ୍ତ ସଂଖ୍ୟାରେ ଅଧିକାରୀ ନାହାନ୍ତି । ବିଭାଗରେ ବହୁ ଅଧିକାରୀଙ୍କ ପଦ ଖାଲି ପଡିଛି । ଉପନି​‌ର୍ଦେଶକ ଏବଂ ସହକାରୀ ନିର୍ଦେଶକ ପଦ ବ୍ୟତୀତ ବିଭାଗରେ ଏହାତଳକୁ ସବୁ ସ୍ତରରେ ପଦପଦବୀ ଖାଲିପଡିଛି । ଯେମିତିକି ମାର୍କେଟ୍‌ ଇଣ୍ଟେଲିଜେନ୍ସ ଅଧିକାରୀ(ଏମ୍‌ଆଇଓ-ବିପଣୀ ଗୁପ୍ତବାର୍ତ୍ତା ଅଧିକାରୀ) ପଦରେ ୧୦ ଜଣଙ୍କ ସ୍ଥାନରେ ମାତ୍ର ୨ ଜଣ ଅଧିକାରୀଙ୍କୁ ନେଇ କାମ କରାଯାଉଛି । ଏହି ପଦରେ ଆଉ ୮ ଅଧିକାରୀ ପଦ ପ୍ରାୟ ୨୦୧୨-୧୩ଠାରୁ ଖାଲିପଡିଛି । ଦୁଃଖର ବିଷୟ ହେଉଛି ମାର୍କେଟ୍‌ ଇଣ୍ଟେଲିଜେନ୍ସ ସୁପରଭାଇଜର (ଏମ୍‌ଆଇଏସ୍‌-ବିପଣୀ ଗୁପ୍ତବାର୍ତ୍ତା ପର୍ଯ୍ୟବେକ୍ଷକ) ପଦରେ ଜଣେ ହେଲେ ବି ଅଧିକାରୀ ନାହାନ୍ତି । ଦୀର୍ଘ ୭ରୁ ୮ବର୍ଷ ହେବ ଏହି ପଦ ଖାଲିପଡିଛି । ସେହିଭଳି ମାର୍କେଟ୍‌ ଇଣ୍ଟେଲିଜେନ୍ସ ଇନ୍ସପେକ୍ଟର (ଏମ୍‌ଆଇଆଇ-ବିପଣୀ ଗୁପ୍ତବାର୍ତ୍ତା ନିରୀକ୍ଷକ) ପଦରେ ୩୪ ଜଣରୁ ମାତ୍ର ୨୧ ଜଣ ଅଧିକାରୀ ରହିଛନ୍ତି । ଏଥିରେ ମଧ୍ୟ ୧୩ ପଦ ଖାଲିପଡିଛି ।

କୌଣସି ଦ୍ରବ୍ୟରେ ଖାଉଟିଙ୍କଠାରୁ ଅଧିକ ମୂଲ୍ୟ ନେବା, କଳାବଜାରି ରୋକିବା, ଅପମିଶ୍ରଣକାରୀଙ୍କୁ ଧରିବା, ନିର୍ଦ୍ଧାରିତ ଓଜନଠାରୁ କମ୍‌ ଓଜନରେ ଦ୍ରବ୍ୟ ବିକ୍ରି କରିବା ଏବଂ ଏଲ୍‌ପିଜି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ବିଳମ୍ବିତ କରିବା ଭଳି କାର୍ଯ୍ୟଗୁଡିକ ବିପଣୀ ଗୁପ୍ତବାର୍ତ୍ତା ଅଧିକାରୀଙ୍କ କାର୍ଯ୍ୟ ପରିସରଭୁକ୍ତ । ହେଲେ ଅଧିକାରୀ ନ ଥିବାରୁ ବଜାର ମୁକୁଳା । ଜଣେ ଏମ୍‌ଆଇଓ ସମ୍ପ୍ରତି ଅନୁଗୋଳ ସମ୍ବଲପୁର ଏବଂ ବରଗଡ ଆଦି ଜିଲା ଦେଖୁଥିବାବେଳେ ଉପକୂଳ କ୍ଷେତ୍ରରେ ଆଉ ଜଣେ ମାତ୍ର ଏମ୍‌ଆଇଓ ଖୋର୍ଦ୍ଧା, ପୁରୀ, ନୟାଗଡ ଏବଂ ବୌଦ୍ଧ ଜିଲା ଦାୟିତ୍ବରେ ରହିଛନ୍ତି । ଅନ୍ୟ ଜିଲାଗୁଡିକୁ ଯୋଗାଣ ଅଧିକାରୀମାନଙ୍କ ଦାୟିତ୍ବରେ ଛରାଡି ଦିଆଯାଇଥିବା ଜଣାଯାଇଛି ।

ବଜାରରେ ସାମଗ୍ରୀ ମୂଲ୍ୟରେ ଏଭଳି ବୃଦ୍ଧି ଏବେ ଖାଉଟିଙ୍କ ନିଦ ହଜାଇ ଦେଇଛି । ଏ ସମ୍ପର୍କରେ ଗୃହିଣୀ ସ୍ବର୍ଣ୍ଣପ୍ରିୟା ମହାପାତ୍ର କହିଛନ୍ତି ଯେ, ଲକ୍‌ ଡାଉନ୍‌ ସମୟରେ ବଜାରରେ ତେଜରାତିିଠାରୁ ପନିପରିବା ଦର ଢ଼େର ବଢ଼ିଯାଇଛି । ଏ ସବୁ ଉପରେ ଯୋଗାଣ ବିଭାଗ ଅଙ୍କୁଶ ଲଗାଇବା ଆବଶ୍ୟକ । ବଜାରରେ କେଉଁ ବେପାରୀ କ‘ଣ ଦର ନେଉଛନ୍ତି ତାହା କହିହେବ ନାହିଁ । ସମସ୍ତେ ମନଇଚ୍ଛା ମୂଲ୍ୟ ଧାର୍ଯ୍ୟ କରୁଛନ୍ତି । ରାଜ୍ୟ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ମଧ୍ୟ ଏ ସମ୍ପର୍କରେ କହିଛନ୍ତି ଯେ, ବଜାରରେ ବର୍ତ୍ତମାନ ଯାହା ସ୍ଥିତି ସେଥିରେ ଦର ନିୟନ୍ତ୍ରଣକୁ ସରକାର କଡାକଡି କରିବା ଦରକାର । ପାଇକାରୀ ଦରଠାରୁ ଅଧିକ ମୂଲ୍ୟ​ରେ ବିକିବା ଏବଂ କୌଣସି ସାମଗ୍ରୀର ଅପମିଶ୍ରଣ କରିବା ଏସବୁ ପୂର୍ବରୁ ହୋଇଆସୁଛି । ଏସବୁ ଅଣବ୍ୟବସାୟୀଙ୍କ ଉପରେ କର୍ତ୍ତୃତ୍ବ ନାହିଁ । ଏଭଳି ବ୍ୟବସାୟୀଙ୍କୁ ଧରି କାର୍ଯ୍ୟନୁଷ୍ଠାନ ନେବା ହେଉଛି ଯୋଗାଣ ବିଭାଗର କାମ ​‌ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories