ନବରଙ୍ଗପୁର: କରୋନା ମହାମାରୀର ମୁକାବିଲା ପାଇଁ ଠିକା ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପାଇଁ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପାଖକୁ ନବରଙ୍ଗପୁର ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଏକ ପତ୍ର ଲେଖିଛନ୍ତି । ଶ୍ରୀ ମାଝୀଙ୍କ ଏହି ପତ୍ରରେ କରୋନା ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ମାନ ନେଉଛନ୍ତି । ବିଗତ ଦିନରେ କରୋନା ସମୟରେ ରାଜ୍ୟ ସରକାର କିଛି ଠିକା ସ୍ୱାସ୍ଥ୍ୟ କର୍ମୀଙ୍କୁ ନିଯୁକ୍ତି ଦେଇଥିଲେ କିନ୍ତୁ କରୋନାର ପ୍ରକୋପ କମିବା ପୂର୍ବରୁ ହିଁ ସେମାନଙ୍କୁ ଛଟେଇ କରି ଦିଆଯାଇଛି । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ବିଗତ ଦିନରେ ନିଯୁକ୍ତି ପାଇଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ପୁନଃ ନିଯୁକ୍ତି ପାଇଁ ୨୬/୪/୨୦୨୧ ରେ ପତ୍ର ସଂଖ୍ୟା – ୧୨୫୧୫ ପ୍ରକାରେ ଏକ ଆଦେଶ ଜାରିକଲେ । ଏହି ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୫/୪/୨୧ ରେ ୩୪ଜଣ ପୁରୁଷ ସ୍ୱାସ୍ଥ୍ୟ କର୍ମୀଙ୍କୁ ନିଯୁକ୍ତି କରିବା ପାଇଁ ଏକ ଆଦେଶ ବାହାର କରିଥିଲେ କିନ୍ତୁ ହଠାତ ୨୮/୪/୨୦୨୧ ରେ ପ୍ରଶାସନ ତାକୁ ନିରସ୍ଥ କଲେ ଏବଂ ସେହିଦିନ ଅର୍ଥାତ ୨୮/୪/୨୦୨୧ ରେ ଏଲ ଏଣ୍ଡ କେ ନାମକ ଏକ ଠିକା ସଂସ୍ଥା ୩୪ ଜଣଙ୍କ ମଧ୍ୟରୁ ୩୩ (କ୍ରମାଙ୍କ ୧୮ କୁ ଛାଡି) ଜଣଙ୍କ ନାମରେ ନିଯୁକ୍ତି ଆଦେଶ ଜାରି କରିଥିଲେ ଯେଉଁଥିରେ ଉଲ୍ଲେଖ ରହିଥିଲା ଯେ ଯଦି ତୁରନ୍ତ କାର୍ୟ୍ୟରେ ଯୋଗ ନ ଦେବେ ତାହାହେଲେ ବିହିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଅନ୍ୟପକ୍ଷେ ଦେବଗଡ଼ ରେ ୨/୫/୨୧, ବାଲେଶ୍ଵର ରେ ୩୦/୪/୨୧, ଭଦ୍ରକ ୩/୫/୨୧ ଏବଂ କଳାହାଣ୍ଡିରେ ୩/୫/୨୧ ତାରିଖରେ ଏହି ଜିଲ୍ଲାମାନଙ୍କରେ ବ୍ୟକ୍ତିଗତ ଭାବେ ନିଯୁକ୍ତି ଦିଆଯାଇ ପାରୁଛି କିନ୍ତୁ ନବରଙ୍ଗପୁର ଜିଲ୍ଲାରେ କାହିଁକି ଠିକ ସଂସ୍ଥା ଦ୍ୱାରା ନିଯୁକ୍ତି ଦିଆଯାଉଛି । ଗୋଟିଏ ରାଜ୍ୟ ଭିତରେ ଗୋଟିଏ ଜିଲ୍ଲା ପାଇଁ ଗୋଟେ ନିୟମ କାହିଁକି ବୋଲି ପ୍ରଶ୍ନ କରି ଏହି ପତ୍ର ମାଧ୍ୟମରେ ଉଲ୍ଲେଖ କରିଛନ୍ତି ନବରଙ୍ଗପୁର ପୂର୍ବତନ ସାଂସଦ ବଳଭଦ୍ର ମାଝୀ ।



