ନୂଆଦିଲ୍ଲୀ: ପ୍ରଖ୍ୟାତ ଆଇନଜୀବୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ଜେଠମାଲାନୀଙ୍କ ପରଲୋକ ଘଟିଛି। ୯୫ ବର୍ଷ ବୟସରେ ଦିଲ୍ଲୀସ୍ଥିତ ବାସଭବନରେ ରବିବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି। ବାର୍ଦ୍ଧକ୍ୟ ଜନିତ କାରଣରୁ ସେ ପ୍ରାୟ ୨ ସପ୍ତାହ ହେଲା ଅସୁସ୍ଥ ଥିଲେ। ଜେଠମାଲାନୀ ବାର୍ କାଉନ୍ସିଲ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଆଇନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଏହା ସହିତ ସେ ସୁପ୍ରିମକୋର୍ଟରେ ବହୁ ଗୁରୁତ୍ଵପୂର୍ଣ୍ଣ ମାମଲା ଲଢ଼ି ଖ୍ୟାତି ଅର୍ଜନ କରିଥିଲେ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ବିଟ୍ କରି ଜେଠମାଲାନୀଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି। କେଜ୍ରିୱାଲ କହିଛନ୍ତି, କିମ୍ବନ୍ଦନ୍ତୀ ଆଇନଜୀବୀ ରାମ ଜେଠମାଲାନୀଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ମର୍ମାହତ। ସେ ନିଜେ ଜଣେ ଶିକ୍ଷାନୁଷ୍ଠାନ ଥିଲେ। ସ୍ବାଧୀନତା ପରବର୍ତ୍ତୀ ଭାରତରେ ଫୌଜଦାରି ଆଇନକୁ ସେ ଏକ ନୂଆ ରୂପ ଦେଇଥିଲେ। ତାଙ୍କ ଶୂନ୍ୟସ୍ଥାନ କେବେ ବି ପୂରଣ ହୋଇପାରିବ ନାହିଁ। ଆଇନ ଇତିହାସରେ ତାଙ୍କ ନାମ ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ।



