www.samajalive.in
Tuesday, November 18, 2025
16.1 C
Bhubaneswar

ଏବେ ଭୋଟ ହେଲେ ଏନ୍‌ଡିଏ ପାଇବ ୩୪୩ ଆସନ

ନୂଆଦିଲ୍ଲୀ : ଏବେ ଦେଶରେ ଲୋକସଭା ନିର୍ବାଚନ ହେଲେ ବିଜେପି ନେତୃତ୍ବାଧୀନ ଏନଡିଏ ୩୪୩ଟି ଆସନରେ ବିଜୟୀ ହେବ ବୋଲି ମୁଡ ଅଫ୍ ଦି ନେସନ ଜନମତ ସର୍ଭେରେ ଆକଳନ କରାଯାଇଛି। ଇଣ୍ଡିଆ ଟୁଡେ ଓ ସି-ଭୋଟର ପକ୍ଷରୁ କରାଯାଇଥିବା ଏହି ସର୍ଭେରେ ଆକଳନ କରାଯାଇଛି ଯେ, ଏବେ ଲୋକସଭା ନିର୍ବାଚନ ହେଲେ ଇଣ୍ଡି ମେଣ୍ଟର ଆସନ ସଂଖ୍ୟା ୨୩୨ରୁ ୧୮୮କୁ ହ୍ରାସ ପାଇବ। ବିଜେପି ଏକାକୀ ୨୮୧ଟି ଆସନ ପାଇବ। ସେହିପରି କଂଗ୍ରେସର ଆସନ ସଂଖ୍ୟା ୯୯ରୁ ୭୮କୁ ହ୍ରାସ ପାଇବ ବୋଲି କୁହାଯାଇଛି। ଗତ ଲୋକସଭା ନିର୍ବାଚନରେ ଏନଡିଏ ୨୯୨ଟି ଆସନ ପାଇଥିବାବେଳେ ବିଜେପି ଏକାକୀ ୨୪୦ଟି ଆସନ ପାଇଥିଲା। ଗତ ଜାନୁଆରୀ ୨ରୁ ଫେବୃଆରୀ ୯ ମଧ୍ୟରେ ହୋଇଥିବା ଏହି ସର୍ଭେରେ ଦେଶର ସମସ୍ତ ଲୋକସଭା ନିର୍ବାଚନମଣ୍ଡଳୀରୁ ମୋଟ ୧,୨୫,୧୨୩ଙ୍କ ମତାମତ ନିଆଯାଇଥିଲା। ସର୍ଭେରେ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରାଯାଇଥିଲା। ଭୋଟ ସେୟାର ଦୃଷ୍ଟିକୋଣରୁ ଏନଡିଏର ଭୋଟ ସେୟାର ୩% ବୃଦ୍ଧି ପାଇ ୪୭%ରେ ପହଞ୍ଚିବ। ଇଣ୍ଡି ମେଣ୍ଟର ଭୋଟ ସେୟାର ୧% ବୃଦ୍ଧି ପାଇବ ବୋଲି କୁହାଯାଇଛି। ଅନ୍ୟପଟେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଏଠାରେ ଏନଡିଏ କ୍ଷମତା ବଜାୟ ରଖିବାର ସମ୍ଭାବନା ରହିଛି। କାରଣ ବିହାରର ୪୦ଟି ଲୋକସଭା ଆସନରୁ ଏନଡିଏ ୩୩ରୁ ୩୫ଟି ଆସନ ପାଇବ ବୋଲି ଅନୁମାନ କରାଯାଇଛି। କଂଗ୍ରେସ, ଆରଜେଡିକୁ​‌ ନେଇ ଗଠିତ ମହାମେଣ୍ଟ ୫ରୁ ୭ଟି ଆସନ ପାଇବ ବୋଲି ଅନୁମାନ କରାଯାଇଛି। ବିହାର ପାଇଁ ହୋଇଥିବା ସର୍ଭେରେ ଏନଡିଏର ଭୋଟ ସେୟାର ୫% ବୃଦ୍ଧି ପାଇ ୪୭% ହୋଇଥିବାବେଳେ ମହାମେଣ୍ଟର ଭୋଟ ସୋୟାର ୩% ବୃଦ୍ଧି ହୋଇ ୪୨%ରେ ପହଞ୍ଚିଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ବିଜେପି ଏବେ ବିହାର ଉପରେ ଲକ୍ଷ୍ୟ ଧାର୍ଯ୍ୟ କରିଛି। ମୁଡ ଅଫ୍ ଦି ନେସନ ସର୍ଭେ ବିଜେପିର ଏହି ଲକ୍ଷ୍ୟ ହାସଲକୁ ଆହୁରି ଦୃଢ କରିଛି। ସର୍ଭେରେ ବିହାରରେ ଏନଡିଏର ସ୍ଥିତ ଭଲ ରହିବାକୁ ଆକଳନ କରାଯାଇଛି। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ପାଇଁ ଚଳିତବର୍ଷ ଅକ୍ଟୋବର କିମ୍ବା ନଭେମ୍ବରରେ ଭୋଟ ଗ୍ରହଣ ହେବ।

Hot this week

ଯାଜପୁର ଜିଲା ଜଖପୁର ଜଙ୍କସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସମାଜଲାଇଭ ଡେସ୍କ: ଯାଜପୁର ଜିଲା ଜଖପୁର ଜଙ୍କସନରେ ସୋମବାର ରାତିରେ ଏକ...

ପରଲୋକରେ ତାରକା କଣ୍ଠଶିଳ୍ପୀ ହ୍ୟୁମାନ୍‌‌ ସାଗର

କଟକ: ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ ଗାୟକ ତଥା ତାରକା କଣ୍ଠଶିଳ୍ପୀ...

୫୦ ବର୍ଷ ପରେ ପ୍ରେକ୍ଷାଳୟକୁ ଫେରୁଛି ‘ଶୋଲେ’

ମୁମ୍ବାଇ ୧୭/୧୧: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ "ଶୋଲେ" ପୁଣି ଥରେ ବଡ଼...

ଷ୍ଟେସନରୁ ୮ ଶ୍ରମିକ ଓ ୫ ଶିଶୁ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ...

ଦିଲ୍ଲୀ ବିସ୍ଫୋରଣ: ସହଯୋଗୀ ଷଡ଼ଯନ୍ତ୍ରକାରୀ ଆତଙ୍କୀ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସହଯୋଗୀ...

Related Articles

Popular Categories