ଲୋକସଭାରେ ଗତକାଲି ନିର୍ବାଚନ ଆଇନ (ସଂଶୋଧନ) ବିଲ୍, ୨୦୨୧ ଗୃହୀତ ହେବା ପରେ ଆଜି ହଟ୍ଟଗୋଳ ମଧ୍ୟରେ ରାଜ୍ୟସଭାରେ ଗୃହୀତ ହୋଇଛି। ଫଳରେ ଦେଶର ଭୋଟର ତାଲିକା ସହ ଆଧାର ସଂଯୋଗୀକରଣ ହେବା ପ୍ରସ୍ତାବ ଏକ ପ୍ରକାର ନିଶ୍ଚିତ ହୋଇଛି। ତେବେ ଆଜି ରାଜ୍ୟସଭାରେ ଏହି ସଂଶୋଧନ ବିଲ୍ ଆଗତ ହେବା ପରେ ବିରୋଧୀ ଦଳ ଏହାର ଦୃଢ଼ ବିରୋଧ କରିଥିଲେ।
ରାଜ୍ୟସଭାରେ ଆଜି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଏହି ବିଲ୍ ଉପସ୍ଥାପନ କରିଥିଲେ। ଅନ୍ୟପକ୍ଷରେ ଏଥିରେ ୫ଟି ସଂଶୋଧନ ପାଇଁ ଦାବି କରିବା ସହ ଏହାକୁ ସିଲେକ୍ଟ କମିଟିକୁ ବିଲ୍ ପଠାଇବା ପାଇଁ ବିରୋଧୀଦଳ ଦାବି କରିଥିଲେ। ସିପିଆଇଏମ ସାଂସଦ ଜନ ବ୍ରିତାସ ଏହି ବିଲରେ ୫ଟି ନକାରାତ୍ମକ ଦିଗ ରହିଥିବା ଦର୍ଶାଇଥଲେ।



