ଭୁବନେଶ୍ଵର: ୧୪ ଦିନିଆ ତାଲା ବନ୍ଦ ସମୟରେ ରାଜ୍ୟ ସରକାର ନିର୍ବାଚନ କାର୍ଯ୍ୟକୁ ଅନୁମତି ପ୍ରଦାନ କରିଛନ୍ତି। ନିର୍ବାଚନ କାର୍ଯ୍ୟ କ୍ଷେତ୍ରରେ ସଟ୍ଡାଉନ ଏବଂ ତାଲାବନ୍ଦ ଲାଗୁ ହେବନାହିଁ। ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଲୋକମାନେ ଯାତାୟାତ କରିପାରିବେ।
ସେହିପରି ପ୍ରାର୍ଥୀ, ଅଧିକାରୀ, ପୋଲିଂ ଏବଂ ଭୋଟ ଗଣତି ସମୟରେ ଉପସ୍ଥିତ ରହୁଥିବା ଏଜେଣ୍ଟମାନଙ୍କୁ ଯାଆସ ପାଇଁ ଅନୁମତି ମିଳିବ। ପ୍ରଶିକ୍ଷଣ ଏବଂ ଭୋଟ ଗ୍ରହଣ କେନ୍ଦ୍ରକୁ ଯିବାକୁ ଅଧିକାରୀମାନଙ୍କୁ ଅନୁମତି ମିଳିବ।
ସେହିପରି ବାହାରୁ ଆସୁଥିବା ଲୋକ ଏବଂ ପ୍ରବାସୀଙ୍କ ଉପରେ ନଜର ରଖିବା ଲାଗି ସରକାର ସରପଞ୍ଚମାନଙ୍କୁ ପରାମର୍ଶ ଦେଇଛନ୍ତି। ସେମାନଙ୍କୁ ଗୃହରେ ସଙ୍ଗରୋଧରେ ରଖିବା ଲାଗି ସଚେତନ କରାଇବାକୁ ସରପଞ୍ଚମାନଙ୍କୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି। ଯେଉଁମାନଙ୍କର ଘରେ ବ୍ୟବସ୍ଥା ନ ଥିବା ସେମାନଙ୍କୁ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରଖାଯାଉ ବୋଲି ମୁଖ୍ୟ ସଚିବ କହିଛନ୍ତି।



