ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ କଟକଣା ଅବଧି ବୃଦ୍ଧି ସହିତ କିଛିଟା କଟକଣାକୁ କୋହଳ କରାଯାଇଛି। ୫ ରାଜ୍ୟରେ ନିର୍ବାଚନ ପାଇଁ ଲାଗୁ ହୋଇଥିବା କଟକଣା ଅବଧି ବୃଦ୍ଧି କରାଯାଇଛି। ପୂର୍ବରୁ ଲାଗୁ କଟକଣାକୁ ଫେବୃୟାରୀ ୧୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଶୋଭାଯାତ୍ରା, ରୋଡ୍ ଶୋ, ପଦଯାତ୍ରା, ବାଇକ ଶୋଭାଯାତ୍ରା ଫେବୃୟାରୀ ୧୧ ପର୍ଯ୍ୟନ୍ତ ମନା। ସର୍ବାଧିକ ଏକ ହଜାର ଲୋକଙ୍କୁ ନେଇ ନିର୍ବାଚନୀ ସଭା ହୋଇପାରିବ। ଆଶାୟୀ ପ୍ରାର୍ଥୀମାନେ ୨୦ଜଣଙ୍କୁ ନେଇ ଘରକୁ ଘର ବୁଲି ପ୍ରଚାର କରିପାରିବେ। ଏହି କଟକଣା ଫେବୃଆରୀ ୧୧ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। କୋଭିଡ୍ ସଂକ୍ରମଣର ପ୍ରଭାବ ହ୍ରାସ ପାଇ ନଥିବାରୁ ଆମକୁ ପ୍ରତିଷେଧମୂଳକ ପଦକ୍ଷେପ ନେବାକୁ ପଡ଼ିବ ବୋଲି ନିର୍ବାଚନ କମିଶନ କହିଛନ୍ତି। ସେହିପରି ରାଜନୈତିକ ଦଳ ଲାଗି ଇନଡୋର ମିଟିଂ ପାଇଁ ୫୦୦ ଲୋକଙ୍କୁ ଅନୁମତି ଦେଇଛନ୍ତି ନିର୍ବାଚନ କମିଶନ।
ପୂର୍ବରୁ ଏହା ୩୦୦ ଲୋକ କିମ୍ବା ହଲର ୫୦ ପ୍ରତିଶତ କ୍ଷମତାରେ ସୀମିତ ଥିଲା। ଅଥବା ସଭାସ୍ଥଳ ସ୍ଥିର ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ବାଞ୍ଛନୀୟ ବୋଲି ନିର୍ବାଚନ କମିଶନ କହିଥିଲେ। ତେବେ ଏହି ସଂଖ୍ୟାରୁ ସୁରକ୍ଷା କର୍ମୀଙ୍କୁ ବାଦ ଦିଆଯାଇଛି। ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନେ କୋଭିଡ୍ ପ୍ରୋଟୋକଲକୁ ମାନିବା ନେଇ ସୁନିଶ୍ଚିତ କରିବେ ବୋଲି ନିର୍ବାଚନ କମିଶନ କହିଛନ୍ତି।



