www.samajalive.in
Monday, December 8, 2025
13.1 C
Bhubaneswar

କରୋନା ହେଲା କାଳ, ପାଠପଢା ବଦଳରେ ଗୋରୁ ଛେଳି ଜଗୁଛନ୍ତିି ଛାତ୍ରଛାତ୍ରୀ

ଖଡିଆଳ : କରୋନା ବିପତ୍ତି ପାଇଁ ଛୋଟ ଠାରୁ ବଡ ଯାଏଁ ସମସ୍ତେ ଏବେ ସମସ୍ୟା ଘେରରେ। କାମଧନ୍ଦାର ଅଭାବ ସାଙ୍ଗକୁ ନିତିଦିନିଆ ଚଳଣିରେ ନାହିଁ ନ ଥିବାର ବ୍ୟତିକ୍ରମ। ସବୁଠାରୁ ବେଶି କରୋନା ଛାଟ ପଡିଛି ସ୍କୁଲ ପିଲା ମାନଙ୍କ ଉପରେ। ଗତ ମାର୍ଚ୍ଚ ମାସରୁ ସେମାନଙ୍କ ପାଠ ପଢାରେ ଡୋରୀ ବନ୍ଧା ହୋଇଛି। ସଂକ୍ରମଣ ଭୟରେ ସରକାର ସ୍କୁଲ ଖୋଲିବାକୁ ସାହସ କରିପାରୁନାହାନ୍ତି। ଧନୀ ଲୋକ କିନ୍ତୁ ନିଜ ପିଲା ମାନଙ୍କ ପାଇଁ ଟ୍ୟୁସନ ବ୍ୟବସ୍ଥା କରିବା ସହ ଅନଲାଇନ କ୍ଲାସ ପାଇଁ ଆଣ୍ଡ୍ରୋଏଡ ମୋବାଇଲ ଫୋନ ଯୋଗାଇ ଦେଇଛନ୍ତି। ଗରିବ ଲୋକ ଏସବୁ ବ୍ୟବସ୍ଥା କରିବାକୁ ସକ୍ଷମ ନୁହନ୍ତି, ପୁଣି ଅନେକ ଜାଗାରେ ନେଟୱାର୍କ ଆସୁନଥିବାରୁ ଅନଲାଇନ କ୍ଲାସ ଅସମ୍ଭବ ହୋଇପଡିଛି। ଅନେକ ପିଲା ଏବେ ପାଠ୍ୟପୁସ୍ତକ ବଦଳରେ ହାତରେ କପ ପ୍ଲେଟ ଧରୁଛନ୍ତି କିମ୍ବା ସାଇକେଲରେ ପନିପରିବା, ମାଛ ଧରି ଗାଁ ଗାଁ ବୁଲି ବିକ୍ରୟ କରୁଛନ୍ତି। କରୋନା କାଳରେ ବାପାମାଁଙ୍କ ମୁହଁରେ ଦାନା ମୁଠେ ଦେବା ପାଇଁ ସେମାନେ ନିଜ ପାଠ ପଢାକୁ ଛାଡି ଦେଇଛନ୍ତି। ଅନେକ ପିଲା ଏବେ ଛେଳି, ଗାଈ ଜଗୁଛନ୍ତି। ସକାଳରୁ ସଞ୍ଜ ଯାଏଁ ଗାଈ, ଛେଳି ପଛରେ ସେମାନଙ୍କ ଜୀବନ ବିତୁଛି। ଖାଇବା ପିଇବାରେ ଠିକ ଠିକଣା ନାହିଁ। ପଚାରିଲେ କୁହନ୍ତି ଘରେ ଖାଇବାକୁ କିଛି ନାହିଁ, ଗୋରୁ ଜଗିବୁନି ତ କଣ କରିବୁ। ମହାମାରୀ କରୋନା ଏଭଳି ସ୍ଥିତି ଜାହିର କରିଛି ଗ୍ରାମାଞ୍ଚଳର ଗରିବ ପରିବାରେ। ସେମାନଙ୍କୁ ଆହା କରିବାକୁ କେହି ନାହାନ୍ତି। ବାପା ମାଙ୍କ ଦାରିଦ୍ର୍ୟତା କାରଣରୁ ସେମାନେ ମଧ୍ୟ କାମ କରିବାକୁ ବାଧ୍ୟ ହେଉଛନ୍ତି। ଏକ ସର୍ଭେ ମୁତାବକ ଗ୍ରାମାଞ୍ଚଳର ପଞ୍ଚମରୁ ନବମ ଶ୍ରେଣୀର ଅନେକ ପିଲା ଛେଳି କିମ୍ବା ଗାଈ ଜଗୁଛନ୍ତି। ଅନେକ ଦାଦନ ଶ୍ରମିକଙ୍କ ପିଲା ମାନେ ବାପା ମା ଓ ପରିବାରକୁ ସାହାଯ୍ୟ କରିବାକୁ କିଛି ନାକିଛି କାମଧନ୍ଦା କରୁଛନ୍ତି। ନୂଆପଡା ଜିଲା ଏକ ଦାଦନ ପ୍ରବଣ ଜିଲା ହୋଇଥିବା ବେଳେ ଅଧିକାଂଶ ପରିବାର ଦାଦନ ଖଟିଯାଇ ପେଟ ପୋଷନ୍ତି। କିନ୍ତୁ କରୋନା ସମୟରେ ସେମାନେ ଗାଁକୁ ଫେରିଛନ୍ତି ଓ ବାହାରକୁ ଯାଇ ପାରୁ ନାହାନ୍ତି। ଗାଁରେ ମଧ୍ୟ କାମଧନ୍ଦାର ଘୋର ଅଭାବ। ସରକାରଙ୍କ ମନରେଗା ଯୋଜନାର ବ୍ୟତିକ୍ରମ କାରଣରୁ କାମ କଲେ ଶ୍ରମିକଙ୍କୁ ମାସ ମାସ ଧରି ପାଉଣା ମିଳିପାରୁନାହିଁ। ଏ ପରିପେକ୍ଷୀରେ ଛୋଟ ଛୋଟ ପିଲା ମାନେ ହିଁ ପରିବାରର ସାହାରା ପାଳଟିଛନ୍ତି। କମ ପଇସାରେ କାମ କରିବାକୁ ରାଜି ହେଉଥିବାରୁ ସେମାନଙ୍କୁ ବିଭିନ୍ନ ହୋଟେଲ ମାଲିକ ନିଯୁକ୍ତି ଦେଉଛନ୍ତି। ଧନୀ ଲୋକ ମାନେ ସେମାନଙ୍କ ଜମିବାଡି ଦେଖାରେଖା ସହ ଗାଈଗୋରୁ, ଛେଳିମେଣ୍ଢା ଜଗିବା କାମରେ ଲଗାଉଛନ୍ତି।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories