www.samajalive.in
Friday, December 5, 2025
20.1 C
Bhubaneswar

ସମ୍ପାଦକୀୟ: ଅସୁରକ୍ଷିତ କାରାଗାର

ସୁଦୃଢ଼ ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ଥିବା ଜେଲରୁ କଏଦୀ ଚମ୍ପଟ ମାରିବା ସହଜ କଥା ନୁହେଁ। ଏହା ସତ୍ତ୍ବେ ନିକଟରେ  ଚୌଦ୍ବାରସ୍ଥିତ ମଣ୍ଡଳ ଜେଲରୁ ଦୁଇ ଜଣ ଦୁର୍ଦ୍ଧର୍ଷ କଏଦୀ ନିଜର ପ୍ରକୋଷ୍ଠ (ସେଲ)ର ଲୁହାରଡ଼କୁ ଆରି କରତରେ କାଟି ବାହାରକୁ ବାହାରିବା ସହିତ ସେମାନେ ବ୍ୟବହାର କରୁଥିବା କମ୍ବଳ ଓ ଜିନ୍‌ପେଣ୍ଟକୁ ଚିରି ରଶି ତିଆରି  କରି କାରାଗାରର ସୁଉଚ୍ଚ ପାଚେରି ଡେଇଁ ପଳାୟନ କରିବା ଘଟଣାକୁ କେହି ସହଜରେ ବିଶ୍ବାସ କରିବେ ନାହିଁ। ଜେଲ ଭିତରେ ଦୁର୍ଗାପୂଜା ଚାଲୁଥିଲା। ସମସ୍ତେ ସେତେବେଳେ ପୂଜାରେ ମାତିଥିଲେ ଓ ସେହି ସୁଯୋଗରେ କଏଦୀଦ୍ବୟ ଚମ୍ପଟ ମାରିଲେ କହିବା ଠିକ୍‌ ହେବ ନାହିଁ। ଜେଲ ନିରାପତ୍ତାର ଏକ ପ୍ରବର୍ତ୍ତିତ  ମାନ ବା ଏସ୍‌ଓପି ରହିଛି। ସେଥିରେ କୌଣସି ପରିସ୍ଥିତିରେ ସାଲିସ ସମ୍ଭବ ନୁହେଁ। ହେଲେ ଏତେ ସୁଦୃଢ଼ ବ୍ୟବସ୍ଥା ମଧ୍ୟରେ ଦୁଇଜଣ କଏଦୀ ସମସ୍ତଙ୍କ ଅଜାଣତରେ ନାଟକୀୟ ଭାବେ ଖସିଯିବା ଅନେକ ସନ୍ଦେହ ସୃଷ୍ଟି କରିବା ସ୍ବାଭାବିକ।

ଏହି ଦୁଇ ଚମ୍ପଟ ଅଭିଯୁକ୍ତ ଯାଜପୁରରୋଡ଼ ଅଞ୍ଚଳରେ ଏକ ଗହଣାଦୋକାନ ଲୁଟୁଥିବାବେଳେ ସାଧାରଣ ଲୋକଙ୍କ ଦ୍ବାରା କାବୁ ହୋଇଥିଲେ। ଲୋକଙ୍କ ହାତରୁ ପୁଲିସ ସେମାନଙ୍କୁ ଉଦ୍ଧାର କରି ଗିରଫ କରିବା ସହ ଚୌଦ୍ବାର ଜେଲକୁ ପଠାଇଥିଲା। ଦୁଇଜଣଯାକ  ବିହାରର ଅଧିବାସୀ ଏବଂ ସେମାନଙ୍କ ବିରୋଧରେ  ଗୁରୁତର ମାମଲାମାନ ରହିଛି। କେତେକଙ୍କ କହିବା ଅନୁସାରେ ଏହି ଦୁଇ କଏଦୀଙ୍କର ବିହାରରେ ରାଜନୀତିକ ନେତାଙ୍କ ସହ ସମ୍ପର୍କ ଅଛି। ଏ କଥାର ସତ୍ୟତା କେତେ ତାହା ଜାଣିବା ଅବଶ୍ୟ କଷ୍ଟ। ତେବେ ସେମାନେ ଯେଉଁ ନାଟକୀୟ ପରିସ୍ଥିତିରେ ଖସିଗଲେ ସେଥିରୁ ସେମାନଙ୍କୁ ଜାଣିଶୁଣି ଖସାଇ ଦିଆଯାଇଥିବାର ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ। ଜେଲକୁ ଆରିପାତ, ଅସ୍ତ୍ରଶସ୍ତ୍ର, ​‌େ‌ଫାନ, ମାଦକଦ୍ରବ୍ୟ ଆଦି ଆସିବା ଉପରେ କଡ଼ା କଟକଣା ରହିଛି। ଏହା ସତ୍ତ୍ବେ ଏସବୁ ଅନାୟାସରେ ଆସିପାରୁଛି କେମିତି?

- Advertisement -

ଏହି ଦୁଇ କଏଦୀ ଚମ୍ପଟ ମାରିବା ପରେ ଦାୟିତ୍ବରେ ଥିବା ଦୁଇଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ଏକ ସାଧାରଣ ପ୍ରକ୍ରିୟା ଓ ଧର୍ମକୁ ଆଖିଠାର। ଆମ ରାଜ୍ୟର ଜେଲଗୁଡ଼ିକ ଅତ୍ୟନ୍ତ ଜନାକୀର୍ଣ୍ଣ ଓ ଅସୁରକ୍ଷିତ। ଜେଲ ପ୍ରଶାସନର ସ୍ଥିତି ମଧ୍ୟ ଭଲ ନୁହେଁ। ଜେଲରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ, ଅପମୃତ୍ୟୁ, ଆତ୍ମହତ୍ୟା ଓ ବିଚାରାଧୀନ ବନ୍ଦୀଙ୍କ ପଳାୟନ ଏକ ସାଧାରଣ ଘଟଣାରେ ପରିଣତ ହେଲାଣି। ଜେଲ  ସଂସ୍କାର ପ୍ରକ୍ରିୟା ପୂରାଦମ୍‌ରେ ଚାଲିଥିବା ସରକାର କହୁଥିବାବେଳେ ରାଜ୍ୟରେ କାରାସମୂହରେ ଯାହା ସବୁ ଘଟୁଛି ତାହା ଅତ୍ୟନ୍ତ ଚିନ୍ତାଜନକ। ଅବ୍ୟବସ୍ଥିତ ଓ ଅସୁରକ୍ଷିତ କାରାଗାର ଗଣତନ୍ତ୍ର, ନ୍ୟାୟତନ୍ତ୍ର ଓ ମାନବାଧିକାର ପାଇଁ ଏକ ବଡ଼ ଆହ୍ବାନ। ଆଶା କରିବା ସରକାର ଏହି ପ୍ରସଙ୍ଗକୁ ଗୁରୁତ୍ବର ସହ ବିଚାରକରି ଏ ଦିଗରେ କିଛି ପଦକ୍ଷେପ ଗ୍ରହଣ କରିବେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories