www.samajalive.in
Friday, December 5, 2025
27.1 C
Bhubaneswar

କହ ଲୋ ଝିଅ, ତୁ କାହିଁ ଜଳିଲୁ ?

ଭୁବନେଶ୍ଵର:  ଆମ ରାଜ୍ୟର ଆଗ ଧାଡ଼ିର ବିଶ୍ୱବିଦ୍ୟାଳୟ ଅଗଣାରେ ଘଟିଥିବା ଦୁଃଖଦ ଘଟଣା ସମସ୍ତ ଓଡ଼ିଆ ହୃଦୟକୁ ଆଘାତ ଦେଇଛି। ସ୍ବପ୍ନ ସାଉଣ୍ଟିବା ବୟସରେ ନିଆଁ ସାଉଁଟିଛି। କହିବାକୁ ତ ଇଚ୍ଛା ହେଉଛି “କାହିଁକି ଜଳିଲୁ ଝିଅ, ତୁ ସେ ନିଷ୍ପତ୍ତି ନେଲା ବେଳକୁ ତୋ ଘରେ ଚୁଲି ଜଳୁଥିଲା ଯେ- ଗରମ ଭାତର ବାମ୍ଫ ଭିତରେ ବାପାମାଆ ତୋ ଶୀତଳ ଘର ଫେରନ୍ତାକୁ ଚାହିଁଥିଲେ ଯେ, ତୁ ଲଢୁଆ ପିଲା ଥିଲୁ, ଏତେ ଶୀଘ୍ର ହାରିଗଲୁ କେମିତି ?’’ ସମାଜର ଏକ ଅଂଶ ଭାବେ ଅଭିମାନ କରି ଏସବୁ ପଚାରିବାକୁ ମନ ଡାକୁଥିଲେ ବି ବିବେକ ତାଚ୍ଛଲ୍ୟ କରୁଛି। ଧିକ୍‌କାରୁଛି ଆତ୍ମା। କେଡ଼େ କାପୁରୁଷ କିହୋ, ତାକୁ ନ୍ୟାୟ ଦେଇ ପାରିଲନି, ତାକୁ ସାହା ହେଇ ପାରିଲନି, ତା ପାଇଁ ସୁସ୍ଥ ପରିବେଶ ରଖି ପାରିଲନି; ଆଉ ସିଏ ଭାଙ୍ଗି ପଡ଼ିଲା ଯେ ତାକୁ କାହିଁକି ଝଡ଼ିବାକୁ ନିଷ୍ପତ୍ତି ନେଲୁ ବୋଲି ପ୍ରଶ୍ନ କରୁଛ?
ଝିଅଟି ନ୍ୟାୟ ନ ମିଳିବାର ଦୁଃଖରେ ହେଉ କି ସାମାଜିକ ବ୍ୟବସ୍ଥାର ଅସହଯୋଗରେ ହାରିଯାଇ ନିଜ ଶରୀରକୁ ନିଆଁକୁ ଠେଲିଦେଲା। ସେ କହିଲା ‘ମୁଁ ଥକି ଗଲିଣି- ମୋତେ ଆଉ ନ୍ୟାୟ ମିଳିବନି, ମୁଁ ନିଆଁକୁ ଯାଉଛି’। ଏହି ଭାବ କେବଳ ଏକ କ୍ଳାନ୍ତ ପରିପ୍ରକାଶ ନୁହେଁ, ଏହା ଏକ ଅନ୍ତରାତ୍ମାର ବିଦ୍ରୋହ; ଏହି ଯୁଗ ଓ ସମାଜ ପାଇଁ ତୀକ୍ଷ୍ଣ ଭର୍ତ୍ସନା, ଯାହା ଆମ ସାଂସ୍କୃତିକ ମୂଲ୍ୟବୋଧ, ଆଦର, ଆତ୍ମସମ୍ମାନ ଓ ଦାୟିତ୍ୱର ନାଡ଼ିକୁ ବିଦାରି ଦେଉଛି। ଏହି ଘଟଣା ସମାଜ ଆଗରେ ଅନେକ ପ୍ରଶ୍ନ ରଖୁଛି। ଝିଅଟି ନିଜ ଉପରେ ଘଟୁଥିବା ଉତ୍ପୀଡ଼ନକୁ ନେଇ ଅଭିଯୋଗ କଲା। ତା’ ଅଭିଯୋଗ ଶୁଣିବା ପାଇଁ ବ୍ୟବସ୍ଥା ମଧ୍ୟ ଥିଲା, ହେଲେ ସିଏ ହାରିଗଲା କେମିତି? ଯେଉଁ ଶିକ୍ଷାଳୟ ଏବଂ ଶିକ୍ଷା ବ୍ୟବସ୍ଥା ତାକୁ ମାନସିକ ଆଶ୍ରୟ ଦେବା ଉଚିତ ଥିଲା, ସେଠି ସେ ଏମିତି କ​‌େ​‌ଠାର ନିଷ୍ପତ୍ତିକୁ କେମିତି ରୂପ ଦେଲା। ସେଠି ଅଧ୍ୟାପିକାମାନେ ତାକୁ ଝିଅ ଭଳି ଆଦରି ବୁଝେଇବାର ଦାୟିତ୍ୱ ନେଇଥିଲେ କେତେ ଭଲ ହେଇ ଥାଆନ୍ତା ଭାବିଲେ! ଆମେସବୁ ଥିବା ଆଉ ଆମ ପିଲା ଆମ ଆଗରେ ନିଜକୁ କେମିତି ଜାଳିଦେବ ?
ସମାଜ ବିକାଶ କରୁଛି ନା ସ୍ବାର୍ଥସର୍ବସ୍ବ ହେଉଛି? ଓଡ଼ିଶା ଯେଉଁଠି ସମ୍ବେଦନା ଏକ ଅନନ୍ୟ ମୂଲ୍ୟବୋଧ, ସେଇଠି ଆଜି ଲାଗୁଛି ଆମେ ନିଜ ନିଜ ରାସ୍ତାରେ ଏତେ ବ୍ୟସ୍ତ ରହିବାକୁ ଚେଷ୍ଟା କରୁଛୁ ଯେ ଭିତରେ କେହି ଯେମିତି ମଣିଷପଣିଆର ତାଟିକୁ ବୁଜି ଦେଲାଣି। ଆଜି ଦେଖିବାକୁ ମିଳୁଛି– କେବଳ ତରୁଣ ପିଢ଼ି ନୁହେଁ; ବୟସ୍କମାନେ ମଧ୍ୟ ପାଶ୍ଚାତ୍ୟ ସଂସ୍କୃତିରେ ନିଜସ୍ୱ ମୂଲ୍ୟବୋଧ ହରାଇଛନ୍ତି। ତାଙ୍କର ଦୈନିକ ଜୀବନରେ ନିଜ ଅଜାଣତରେ ସ୍ନେହ, କରୁଣା ଏବଂ ଦୟା ବିଲୁପ୍ତ ହୋଇଯାଇଛି। ଆଜି ଓଡ଼ିଶା ଗଭୀର ଅନ୍ତଃଚିନ୍ତାର ସମୟରେ ଅଛି। ଏହି ଦୁଃଖ ଆମ ପାଇଁ ଦୁଇଟି ପ୍ରଶ୍ନ ରଖୁଛି– ଆମ ପାଇଁ ସମ୍ବେଦନା କ’ଣ? ସାମୂହିକ ଦାୟିତ୍ୱ କଣ? ଏହି ଦୁଃଖ ଆମ ସମସ୍ତଙ୍କୁ ଏକ ଆହ୍ୱାନ ମଧ୍ୟ ଦେଉଛି– ସମାଜ ଏ ପ୍ରସଙ୍ଗରେ ଆତ୍ମଚିନ୍ତନ କରୁ।
ଏ ଘଟଣା ଏହା ପ୍ରମାଣିତ କଲା ଯେ ଆମେ ଏବଂ ଆମ ସମାଜ ନୈତିକ ଭାବେ ଶତ ପ୍ରତିଶତ ଦଗ୍ଧ। ପ୍ରତି ଶିକ୍ଷାଳୟ, ପ୍ରତି ପରିବାର ଓ ପ୍ରତି ନାଗରିକ ଆଜି ଉତ୍ତରଦାୟୀ। ଏଠି ସମସ୍ତେ ଦୋଷୀ। ଯେଉଁଠି ସାମାଜିକ ମୂଲ୍ୟ, ଆଦର, ଆତ୍ମସମ୍ମାନ ଓ ନୀତି ଅନ୍ଧାରରେ ଯାତ୍ରା କରୁଛି, ସେଠି ଏସବୁ ଘଟଣାମାନ ମାନବତା ଉପରେ ପ୍ରଶ୍ନଚିହ୍ନ ରଖି ଦେଉଛି। ଅନୁଶାସନର ଅନୁପସ୍ଥିତି, ସମ୍ବେଦନହୀନ ବାତାବରଣ- ଏଠି କିଏ କାହାକୁ ଶୁଣୁଛି? ସେ ତ ବାରମ୍ବାର କହିଥିଲା, ସ୍ବର ଉତ୍ତୋଳନ କରିଥିଲା, କିନ୍ତୁ ପ୍ରତିଫଳ ଥିଲା– ଅଗ୍ନିକୁ ଆଲିଙ୍ଗନ। ଏଥିରେ ଆମ ପାଇଁ ଲଜ୍ଜା ଅଛି, ଦୁଃଖ ଅଛି, ପଶ୍ଚାତ୍ତାପ ଅଛି ଆଉ ପରିଣାମ ଭୋଗିବାର ଭାଗ୍ୟ ବି ଅଛି।
କୁଆଡେ ଗଲା ଆମ ପାରମ୍ପରିକ ଓଡ଼ିଆ ଜୀବନ, ଯେଉଁଠି ଝିଅଟି ସବୁ ଘରର ଝିଅ, ସବୁ ଅଗଣାର ଖୁସି। ଆଜି ଲାଗୁଛି, ଆମେ ମାନସିକ ରୂପେ ବିଦେଶୀ, ଆତ୍ମାରେ ଶୂନ୍ୟ। ଏ ଅଘଟଣ ଏକ ହୃଦୟବିଦାରକ ଆନ୍ତରିକ ପ୍ରତିବାଦ। ଏହା ପ୍ରତିଟି ସମ୍ବେଦନଶୀଳ ହୃଦୟର ଅନ୍ତରାତ୍ମାକୁ ଆଘାତ ଦେଉଛି। ତା’ର ଚିନ୍ତା ଥିଲା – “ମୁଁ ତ ଠକିଗଲି, ମୋତେ ନ୍ୟାୟ ମିଳିବନି। ଏହି ଜଗତ ମୋ ପାଇଁ ଅନ୍ଧକାର। ଏବେ ନିଆଁ ମୋ ଶରଣ।” ଏହା କେବଳ ଏକ ବ୍ୟକ୍ତିଗତ ବେଦନା ନୁହେଁ, ଏହା ଏକ ଅନ୍ତରାତ୍ମାର ବିଦ୍ରୋହ; ଏକ ସାମୂହିକ ବିଫଳତା, ଏକ ମୌନ ସମାଜ ପାଇଁ କଟୁଶ୍ରାବ୍ୟ।
ସମାଜ ପାଖରେ ଯଦି ଦୟାର ହାତ ଥାଆନ୍ତା, ସ୍ନେହର ଏକ ବିଶ୍ୱାସ ଥାଆନ୍ତା, ଆଶ୍ରୟ ଦେବାର ବିଚାର ଥାଆନ୍ତା ସେ ବିଚଳିତ ହୋଇ ନଥାନ୍ତା। ଏହି ଘଟଣା କିଛି ପ୍ରଶ୍ନ ଉଠାଉଛି: ଆମ ଶିକ୍ଷାଳୟ କିପରି ଏତେ ସମ୍ବେଦନହୀନ ହୋଇପାରେ? ଅନେକ ଅଭିଯୋଗ ହୋଇଥିବା ସ​‌େ​‌ତ୍ତ୍ବ କେହି ବି ତା’କୁ ନ୍ୟାୟ ଦେଲେ ନାହିଁ? ଏତେ ଶିକ୍ଷୟିତ୍ରୀ, ଅଥଚ କେହି ଜଣେ ମାଆ ଭଳି ତାଙ୍କୁ ଧାରଣ କରିପାରିଲେନି? ଏହି ପରିବେଶ ଆମେ କିପରି ତିଆରି କଲୁ? ଏହି ଝିଅଟି କେବଳ ତା’ ଜୀବନକୁ ବିପଦକୁ ନେଇନି; ସେ ଆମ ସମସ୍ତଙ୍କ ମନୁଷ୍ୟତ୍ୱ ଉପରେ ପ୍ରଶ୍ନ ଚିହ୍ନ ଛାଡ଼ିଯାଇଛି। ଏବେ ସମୟ ଆସିଛି, ଆମ ଦାୟିତ୍ୱ କ’ଣ ବୁଝିବା ପାଇଁ। ପ୍ରତି ଘରେ ସମ୍ବେଦନର ଅନ୍ନ ଚାଳିବା ଦରକାର। ପ୍ରତି ଶିକ୍ଷାଳୟ ଆଶ୍ରୟର ଆଶ୍ରମ ହେବା ଦରକାର। ପ୍ରତି ଅଭିଭାବକ, ଅଧ୍ୟାପକ ଏବଂ ନାଗରିକ ଅନ୍ତଃଚିନ୍ତନ କରିବା ଦରକାର– “କିପରି ପିଲାଟି ମନକୁ ଏହି ବେଦନା ଆସିଲା?” ଅନ୍ତିମ ପ୍ରଶ୍ନ- କୁଆଡ଼େ ଗଲା ଆମ ଓଡ଼ିଆ ସଂସ୍କାର? ଯେଉଁଠି ଝିଅଟିଏ ସବୁ ଘରର ଆନନ୍ଦ ଥିଲା, ସେଠି ସେ ଆଜି ଜଳିଗଲା। ଯେଉଁଠି ଦୟା, ମାନବତା ଅଛି ବୋଲି ବିଶ୍ୱାସ କରୁଥିଲୁ, ସେଠି ଆଜି ସମସ୍ତେ କେମିତି ଅନ୍ଧ ହୋଇଗଲେ ?
ଏଠି ସମସ୍ତେ ଦୋଷୀ। ଆମେ ମଧ୍ୟ। ହେଲେ ଝିଅ ! ସମାଜର ଦୋଷ ପାଇଁ, ଆମ ଦୋଷ ପାଇଁ ତୁ କାହିଁ ନିଜେ ଜଳିଲୁ, ତୁ କାହିଁ ନିଜକୁ ଜାଳିଲୁ; ବରଂ ତୁ ଲଢ଼ିଥାଆନ୍ତୁ ଆଉ ଆମକୁ ଜାଳି ଥାଆନ୍ତୁ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories