ଭୁବନେଶ୍ଵର: ନିକଟରେ ଜଣେ ଯୁବ ଆଇଏଏସ୍ ଅଫିସର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ। ଏ ପ୍ରବନ୍ଧରେ ଏହି ବିଷୟରେ ଅଳ୍ପ ଆଲୋଚନା କରିବା। ଧୀମାନ ଚକ୍ମାଙ୍କ ଘର ତ୍ରିପୁରା ରାଜ୍ୟର କାଞ୍ଚନପୁର ଗାଁରେ । ୧୫ା୧୧ା୮୯ ତାରିଖରେ ଜନ୍ମ। ବାପା, ଶିକ୍ଷକ, ମା ଗୃହିଣୀ। ଏନ୍ଆଇଟି ଅଗରତଲାରୁ କମ୍ପ୍ୟୁଟର୍ ସାଇନ୍ସରେ ବି.ଟେକ୍। ସିଭିଲ୍ ସର୍ଭିସ୍ରେ ଯୋଗଦେବାକୁ ଇଚ୍ଛା। ପ୍ରଥମେ ୨୦୧୯ ମସିହାରେ ଆଇଏଫ୍ଏସ୍ (ଇଣ୍ଡିଆନ୍ ଫରେଷ୍ଟ ସର୍ଭିସ୍) ପାଇ ଓଡ଼ିଶା କାର୍ଡର ଭୁକ୍ତ ହୋଇଥିଲେ। ଆଉଥରେ ପରୀକ୍ଷା ଦେଲେ ୨୦୨୧ ବ୍ୟାଚ୍ରେ ଆଇଏଏସ୍ ପାଇଲେ। ପୁଣି ଥରେ ଓଡ଼ିଶା କାଡର୍। ଟ୍ରେନିଂ ପରେ କଳାହାଣ୍ଡି ଜିଲାର ଧର୍ମଗଡ଼ରେ ସବ୍କଲେକ୍ଟର ଭାବେ ଅବସ୍ଥାପିତ ହେଲେ। ପ୍ରଥମ ସ୍ବତନ୍ତ୍ର ପୋଷ୍ଟିଙ୍ଗ୍। ଜଣେ ବ୍ୟବସାୟୀଙ୍କ ପାଖରୁ ନଗଦ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଲେ। ଭିଜିଲାନ୍ସ ହାତରେ ଧରାପଡ଼ିଲେ (ଜୁନ୍ ୮, ୨୦୨୫)। ତାଙ୍କ ସରକାରୀ ବାସଭବନରେ ଖାନତଲାସ ହେଲା। ସେଠି ଆହୁରି ୪୭ ଲକ୍ଷ ଟଙ୍କା ନଗଦ ମିଳିଲା। ଚକ୍ମାଙ୍କୁ ପଚରା ଉଚୁରା କରାଗଲା। ଠିକ୍ ଉତ୍ତର ମିଳିଲା ନାହିଁ। ଚକ୍ମା ଗିରଫ ହେଲେ। ଜଣେ ଆଇଏଏସ୍ ଅଫିସର୍ ବିଶେଷତଃ ଏଭଳି ଯୁବାବସ୍ଥାରେ ଲାଞ୍ଚ ନେଇ ଗିରଫ ହେବା ଏକ ବିରଳ ଘଟଣା। ବର୍ତ୍ତମାନ ଚକ୍ମା ବିଚାର ବିଭାଗୀୟ ରିମାଣ୍ଡ୍ରେ ଜେଲ୍ରେ ଅଛନ୍ତି। ଘଟଣାକ୍ରମକୁ ପ୍ରଶାସନିକ ନ୍ୟାୟିକ ଦୃଷ୍ଟିରୁ ଦେଖାଯାଉ। ପ୍ରଥମେ ଅଭିଯୋଗ ଆସିଥିବ। ଅଭିଯୋଗର ପଞ୍ଜୀକରଣ ପରେ ଏକ ପ୍ରାଥମିକ ତଦନ୍ତ (ପ୍ରିଲିମିନାରୀ ଏନ୍କ୍ବାୟାରୀ- ପିଇ) ହୋଇଥିବ। ପିଇରେ ଅଭିଯୋଗର ତଥ୍ୟ ଆପାତ ଦୃଷ୍ଟିରେ ବିଶ୍ବାସଯୋଗ୍ୟ ମନେହୋଇଥିବ। ତା’ପରେ ଦୁଇଟି ସମ୍ଭାବନା ଉପରେ ବିଚାର ହୋଇଥିବ : (କ) ବିଭାଗୀୟ ତଦନ୍ତ ହେବ ନା ଫୌଜଦାରୀ ମାମଲା ରୁଜୁ ହେବ (ଅବଶ୍ୟ ଫୌଜଦାରୀ ମାମଲା ରୁଜୁ ହେଲେ ସମାନ୍ତରାଳ ବିଭାଗୀୟ ତଦନ୍ତ ଚାଲିପାରେ) ଏବଂ (ଖ) ଫୌଜଦାରୀ ମାମଲାଟି ସିବିଆଇଙ୍କୁ ହସ୍ତାନ୍ତର କରାଯିବ ନା ରାଜ୍ୟ ଭିଜିଲାନ୍ସ ବିଭାଗ ହାତକୁ ଯିବ। ଏସବୁ ନିଷ୍ପତ୍ତି ନିଶ୍ଚୟ ଉଚ୍ଚସ୍ତରରେ ନିଆ ହୋଇଥିବ। ଯେହେତୁ ସର୍ବଭାରତୀୟ ସେବାରତ ଜଣେ ଅଧିକାରୀଙ୍କ ମାମଲା, ଏଣୁ ଶୀର୍ଷ ପ୍ରଶାସନିକ/ରାଜନୈତିକ ସ୍ତରରେ ନିଷ୍ପତ୍ତି ହୋଇଥିବ। ଭିଜିଲାନ୍ସ ହାତକୁ ଆସିଲା ପରେ ପିଇର ଫଳାଫଳ ଭିତ୍ତିରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିବ। କେତେ ନଗଦ ଟଙ୍କା ଲାଞ୍ଚ ଆକାରରେ କେଉଁଠି ଦିଆଯିବ, ସାକ୍ଷୀ କେମିତି ରହିବେ, ଆବଶ୍ୟକ ସ୍ଥଳରେ ଫୋନ୍ ଟ୍ୟାପିଙ୍ଗ୍ କେମିତି ହେବ ଆଦି ପାଇଁ ନିର୍ଦିଷ୍ଟ ନିୟମାବଳୀ ଅଛି। ପ୍ରକାଶିତ ଖବରରୁ ଜଣାପଡ଼େ ଅଭିଯୋଗରେ ସତ୍ୟତା ଥିଲା, ଭିଜିଲାନ୍ସ ବିଭାଗ ଯୋଜନାବଦ୍ଧ ଭାବରେ ଦକ୍ଷତାର ସହିତ କାର୍ଯ୍ୟ ସମ୍ପନ୍ନ କଲେ ଏବଂ ଅଭିଯୁକ୍ତ ନ୍ୟାୟ ଜାଲରେ ପଡ଼ିଗଲେ। ଏଣିକି ଅନୁସନ୍ଧାନ ପ୍ରକ୍ରିୟା ଚାଲିବ। ସାକ୍ଷ୍ୟ ପ୍ରମାଣ ଠୁଳ କରାଯିବ ଏବଂ ବିଚାର ପାଇଁ ମାମଲା ଅଦାଲତକୁ ଯିବ। ଏଣେ ବିଭାଗୀୟ ଅନୁଶାସନଗତ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ। ଗୋଟିଏ ପଟେ ଜୁଡିସିଆଲ୍ ରିମାଣ୍ଡ ଅନ୍ୟପଟେ ଚାକିରିରୁ ନିଲମ୍ବନ। ଅଦାଲତରେ ମାମଲା ପ୍ରମାଣିତ ହେଲେ ଜେଲ୍ଦଣ୍ଡ ହୋଇପାରେ ଏବଂ ଅନୁଶାସନଗତ ପ୍ରକ୍ରିୟାରେ ସର୍ବାଧିକ ଚାକିରିରୁ ବରଖାସ୍ତ (ଡିସ୍ମିସାଲ୍) ପର୍ଯ୍ୟନ୍ତ ହୋଇପାରେ। ଏହା ସମୟ ସାପେକ୍ଷ ପ୍ରକ୍ରିୟା।
ଚକ୍ମା ଏକ କ୍ଷୁଦ୍ର ପଛୁଆ ରାଜ୍ୟରୁ ଆସିଛନ୍ତି। ବାପା-ମା, ଶିକ୍ଷକ, ସହପାଠୀ, ସମ୍ପ୍ରଦାୟର ସମସ୍ତେ ଧୀମାନଙ୍କ ଉପଲବ୍ଧିରେ ଗର୍ବ ଅନୁଭବ କରିଥିବେ ଏବଂ କେତେ ଆଶା ପୋଷଣ କରିଥିବେ! ଧୀମାନ ସିଭିଲ୍ ସର୍ଭିସ୍ ଇଣ୍ଟର୍ଭ୍ୟୁରେ ‘ଆପଣ କାହିଁକି ସିଭିଲ ସର୍ଭିସ୍ରେ ଯୋଗଦେବାକୁ ଚାହୁଁଛନ୍ତି’ର ଉତ୍ତରରେ ନିଶ୍ଚୟ କହିଥିବେ, ‘ମୁଁ ଦେଶର ଓ ସମାଜର ‘ସେବା’ କରିବାକୁ ଚାହେଁ।’ କିଛି ମାସ ପୂର୍ବରୁ କଳାହାଣ୍ଡି ଜିଲା ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ୍ର ଯୁବ ଓଏଏସ୍ ଅଫିସର୍ ଅକ୍ଷମିତା କାର୍ତ୍ତିକ ତାଙ୍କ ସରକାରୀ ଗାଡ଼ିରେ ପାଞ୍ଚ ଲକ୍ଷ ଟଙ୍କା ନେଇ ଯାଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଲେ (୧ା୮ା୨୪)। ଆଜିକାଲି ଇଡି (ଏନ୍ଫୋର୍ସମେଣ୍ଟ୍ ଡାଇରେକ୍ଟୋରେଟ୍) ଭାରତ ସରକାରଙ୍କ ଅଧୀନରେ ପ୍ରମୁଖ ଦୁର୍ନୀତି ବିରୋଧୀ ସଂସ୍ଥା ଭାବେ ଉଭା ହୋଇଛି। ଭୁବନେଶ୍ବର ସ୍ଥିତ ଇଡି କାର୍ଯ୍ୟାଳୟର ଉପନିେର୍ଦଶକ ୨୦୧୩ ବ୍ୟାଚ୍ର ଆଇଆର୍ଏସ୍ ଅଫିସର୍ ଚିନ୍ତନ ରଘୁବଂଶୀ ଜନୈକ ବ୍ୟବସାୟୀଙ୍କ ପାଖରୁ ଲାଞ୍ଚ ନେଉଥିବା ଅଭିଯୋଗରେ ସିବିଆଇ ହାତରେ ଧରାପଡ଼ିଲେ (୨୯ା୫ା୨୫)। ଜଣେ ଯୁବ ଆଇଏଏସ୍, ଜଣେ ଯୁବ ଓଏଏସ୍ ଏବଂ ଜଣେ ବାର ବର୍ଷର ଅଭିଜ୍ଞତା ସମ୍ପନ୍ନ ଆଇଆର୍ଏସ୍ଙ୍କ କଥା ଦେଖିଲୁ। ଭାରତୀୟ ସିଭିଲ୍ ସର୍ଭିସ୍ ବ୍ୟବସ୍ଥାର କି ଦୁରବସ୍ଥା! ସ୍ବର୍ଗରେ ରହି ଭାରତୀୟ ସିଭିଲ ସର୍ଭିସ୍ ବ୍ୟବସ୍ଥାର ଜନକ ସର୍ଦାର ପଟେଲ ନିଶ୍ଚିତ ଭାବେ ଅସ୍ବସ୍ତିବୋଧ କରୁଥିବେ। ଦୃଢ଼ତା ଓ ସ୍ବଚ୍ଛତାର ସେ ମୂର୍ତ୍ତିମନ୍ତ ପ୍ରତୀକ ଥିଲେ। ସେ ଚାହୁଁଥିଲେ ସିଭିଲ୍ ସର୍ଭାଣ୍ଟମାନେ ନିର୍ଭୀକ, ସଚ୍ଚୋଟ ଏବଂ ସ୍ପଷ୍ଟବାଦୀ ହୁଅନ୍ତୁ। ଏଠି ତ ସବୁ ଓଲଟା!
ଉପର ତିନୋଟି ଉଦାହରଣ ‘ପ୍ରଶାସନ’ ଜନିତ ଏବଂ ଯୁବାବସ୍ଥାର ଅଫିସରମାନେ। ଆଉ ଏକ ଉଦାହରଣ ନେବା। ବୈକୁଣ୍ଠ ନାଥ ଷଡ଼ଙ୍ଗୀ ଗ୍ରାମ୍ୟ ସଡ଼କ ବିଭାଗର ମୁଖ୍ୟଯନ୍ତ୍ରୀ ଥିଲେ। ୩୧ା୫ା୨୫ ତାରିଖ ଦିନ ୩୪ ବର୍ଷ ଚାକିରି ପରେ ଅବସର ଗ୍ରହଣ କରୁଥିଲେ। ସେ ଦିନ ତାଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହେଲା। ତାଙ୍କ ବାସଭବନରୁ ମିଳିଲା ୨.୫୬ କୋଟି ଟଙ୍କା ନଗଦ। କିଛି ଟଙ୍କା ସେ ବାହାରେ ଫୋପାଡ଼ି ଦେଇଥିଲେ। ତାହା ମଧ୍ୟ ଧରା ପଡ଼ିଲା। ସେ ପରିଣତ ବୟସରେ ଗିରଫ ହେଲେ। ସ୍ପଷ୍ଟତଃ ଏତେ ଟଙ୍କା ସେ ଗୋଟିଏ ଦିନରେ କିମ୍ବା ଗୋଟିଏ କାମରେ ଅର୍ଜନ କରିନଥିବେ। ଦୀର୍ଘ ଦିନର ନିରବଚ୍ଛିନ୍ନ ପ୍ରୟାସର ଫଳ ହୋଇଥିବ ନିଶ୍ଚୟ! ଏସବୁ ଉଦାହରଣ ହେଲା ଯେଉଁମାନେ ଧରାପଡ଼ିଗଲେ ସେମାନଙ୍କ। ଏହି ବଳୟ ବାହାରେ ଆହୁରି ଅନେକେ ନିଶ୍ଚୟ ଥିବେ। ଅର୍ଥାତ୍ ଆରମ୍ଭରେ, ମଝିରେ ଏବଂ ଶେଷକାଳରେ ସରକାରୀ ଚାକିରିରେ ଉପୁରି ହିଁ ଉପୁରି। ସେଥିପାଇଁ କ’ଣ ସରକାରୀ ଚାକିରି ପାଇଁ ଏତେ ଆଗ୍ରହ? ଗୋଟିଏ ଉଦାହରଣ ନେଇ ଆମ ମାନସିକତାକୁ ବୁଝିବା ପାଇଁ କଷ୍ଟ କରିବା। ଧରନ୍ତୁ ଜଣେ ଯୁବକ ପିଏଚ୍ଡି କରିଛନ୍ତି, ଶିକ୍ଷକତା କରୁଛନ୍ତି; ଆଉ ଜଣେ ଯୁବକ ସପ୍ଲାଇ ବିଭାଗରେ କିରାଣି ଅଛନ୍ତି। ବାହାଘର ପାଇଁ କାହା ପାଖକୁ ଅଧିକ ପ୍ରସ୍ତାବ ଆସିବ? ଏହି ପ୍ରଶ୍ନର ଉତ୍ତର ଆମ ନୈତିକ ଅଧଃପତନର ସୂଚକ ଏବଂ ଦୁର୍ନୀତିର ପ୍ରାବଲ୍ୟର ମୂଳ କାରଣ। ଅବଶ୍ୟ ସରକାରରେ ମଧ୍ୟ ଅନେକ ଦକ୍ଷ ଓ ସଚ୍ଚୋଟ ଅଧିକାରୀ/କର୍ମଚାରୀ ଅଛନ୍ତି। ଅଶୋକ ଖେମକା ୧୯୯୧ ବ୍ୟାଚ୍ର ଆଇଏଏସ୍ ଅଫିସର। ତାଙ୍କୁ ହରିୟାଣା କାଡର ମିଳିଲା। ମାର୍ଚ୍ଚ ୨୦୨୫ରେ ସେ ସେବା ନିବୃତ୍ତ ହେଲେ। ତାଙ୍କ କାର୍ଯ୍ୟକାଳରେ ତାଙ୍କୁ ୬୬ଥର ବଦଳି କରାହୋଇଥିଲା। ତାଙ୍କୁ ସଚ୍ଚୋଟ ଏବଂ ଅନମନୀୟ ଅଫିସର ଧରାଯାଏ। ଏହା ମଧ୍ୟ ଆମ ବ୍ୟବସ୍ଥାର ଦୁର୍ବଳତା ଦର୍ଶାଏ। କଥା ନ ମାନିଲେ, ଅର୍ଥାତ୍ କଥା ମାନି ବେନିୟମ କାମ ନ କଲେ ବଦଳି! ୧୯୮୩ ବ୍ୟାଚ୍ର ଓଡ଼ିଶା କାଡର ଅଫିସର ତାରା ଦତ୍ତ ତାଙ୍କ ସ୍ମରଣିକା ଲେଖିଛନ୍ତି। ଶୀର୍ଷକ ହେଲା- ‘ହାଇଲ୍ୟାଣ୍ଡର୍ସ ପ୍ଲେନ୍ ସ୍ପିକ୍: ଆନ୍ ଆଡମିନିେଷ୍ଟ୍ରଟିଭ୍ ରିଡ’। ସେ ୨୦୧୬ରେ ଅବସର ଗ୍ରହଣ କଲେ। ଏହି ବହିରେ ଓଡ଼ିଶା ପ୍ରଶାସନର ଅନେକ ଭିତିରି କଥାର ଉଲ୍ଲେଖ ଅଛି। କେନ୍ଦ୍ର ସରକାରଙ୍କ ଅଧୀନରେ ତାଙ୍କ ଅଭିଜ୍ଞତାର ମଧ୍ୟ ବର୍ଣ୍ଣନା ଅଛି। ତାଙ୍କ ବିରୋଧରେ କେମିତି ମିଥ୍ୟା ଅଭିଯୋଗ ଆସିଲା ଏବଂ ଦୁଇଥର ତାଙ୍କ ନଁାରେ ସିବିଆଇ କେସ୍ ହେଲା ସେ କଥା ସେ ଲେଖିଛନ୍ତି। ସମକାଳୀନ ପରିସ୍ଥିତିରେ ପ୍ରଶାସନର ଅବସ୍ଥା, ପ୍ରଶାସକ-ରାଜନେତା ସମ୍ପର୍କ ଆଦି ବିଷୟରେ ଦତ୍ତ ଆଲୋକପାତ କରିଛନ୍ତି। ଅନେକ ଦକ୍ଷ ଓ ସଚ୍ଚୋଟ ଅଫିସରଙ୍କ ବିଷୟରେ ଲେଖା ହୋଇଛି। ଏଣେ ସରକାରୀ କଳର ଦୁରୁପଯୋଗ କରୁଥିବା ଦୁର୍ନୀତିରେ ଲିପ୍ତ ଥିବା ଅଫିସରମାନଙ୍କ ବିଷୟରେ ମଧ୍ୟ ଉଲ୍ଲେଖ ଅଛି।
ଉପସଂହାରକୁ ଆସିବା। ବ୍ରିଟିଶ୍ ଅମଳରେ ଆଇସିଏସ୍ ବ୍ୟବସ୍ଥାକୁ ‘ଷ୍ଟିଲ୍ ଫ୍ରେମ୍’ (ଇସ୍ପାତ ଢାଞ୍ଚା) କହୁଥିଲେ। ଅଫିସରମାନେ ମୁଖ୍ୟତଃ ଦକ୍ଷ, ସଚ୍ଚୋଟ ଓ ବିଜ୍ଞ ଥିଲେ। ହେଲେ ତାହା ଏକ ସାମ୍ରାଜ୍ୟବାଦୀ ବ୍ୟବସ୍ଥାର ଅଙ୍ଗ ଥିଲା। ସ୍ବାଧୀନୋତ୍ତର ଭାରତରେ ପ୍ରାୟ ସେହି ପ୍ରାଶାସନିକ ବ୍ୟବସ୍ଥା କାଏମ୍ ରହିଲା। ନୂଆ କଥା ହେଲା ଗଣତନ୍ତ୍ର, ନିର୍ବାଚନ ତଥା ଦେଶର ବିକାଶ ପଥରେ ସରକାରଙ୍କ ବିଶାଳ ଭୂମିକା କ୍ରମଶଃ ନିର୍ବାଚନ ଜନିତ ଓ ପ୍ରଶାସନସ୍ତରରେ ବହୁଳ ଭାବରେ ଦୁର୍ନୀତି ଦେଖାଦେଲା। ବିଚଳିତ ହୋଇ ୧୯୬୨ ମସିହାରେ ସେ ସମୟର ସ୍ବରାଷ୍ଟ୍ର ମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଦୁର୍ନୀତି କେମିତି ରୋକାଯିବ ସେଥିପାଇଁ ଏକ କମିଟି ଗଠନ କଲେ। ଏହାକୁ ‘ସନ୍ଥନମ୍ କମିଟି’ କହନ୍ତି। ବିଭିନ୍ନ ସରକାରୀ ବିଭାଗରେ ଦୁର୍ନୀତିର ସବିଶେଷ ଆଲୋଚନା ଅଛି ଏହି କମିଟିର ରିପୋର୍ଟରେ। ତେଣେ ଗୁନାର ମିର୍ଡାଲ ଦର୍ଶାଇଛନ୍ତି ଯେ ଦେଶର ଅନୁନ୍ନତ ଅବସ୍ଥାର ଏକ ପ୍ରମୁଖ କାରଣ ହେଲା ଦୁର୍ନୀତି (ଏସିଆନ୍ ଡ୍ରାମା, ଦ୍ବିତୀୟ ଖଣ୍ଡ)। ନିକଟ ଅତୀତରେ ବିମୁଦ୍ରାୟନ ହେଲା (୨୦୧୬)। ଏହାର ଅନ୍ୟତମ ଲକ୍ଷ୍ୟ ଥିଲା ଦୁର୍ନୀତିର ମୂଳୋତ୍ପାଟନ। ଧରାଯାଏ, ନିର୍ବାଚନ ଜନିତ ଅଘୋଷିତ ଖର୍ଚ୍ଚ ଦୁର୍ନୀତିର ଏକ ବିଶିଷ୍ଟ କାରଣ। ୨୦୨୪ ମସିହା ସାଧାରଣ ନିର୍ବାଚନରେ ଆମେ ‘ଇଲେକ୍ଟୋରାଲ୍ ବଣ୍ଡ୍’ କେଳେଙ୍କାରୀ ଦେଖିଲୁ। ଅର୍ଥାତ୍ ଦୁର୍ନୀତିର କାରଣ ଓ ନିରାକରଣ ବିଷୟରେ ଆମର ସମ୍ୟକ ଜ୍ଞାନ ଅଛି। ସିଭିସି, ଇଡି, ସିବିଆଇ, ଭିଜିଲାନ୍ସ, ଆୟକର, ଆଇନ ଅଦାଲତ ସବୁ ଅଛି। ତଥାପି ଦୁର୍ନୀତି ଥମୁନାହିଁ। ଏହାର ମୂଳ କାରଣ ହେଲା ଦୁର୍ନୀତି ପ୍ରତି ପ୍ରତ୍ୟକ୍ଷ ବା ପରୋକ୍ଷ ଜନସମର୍ଥନ ଏବଂ ସାମଗ୍ରିକ ଭାବେ ଆମ ସମାଜରେ ନୈତିକତାର ଅଭାବ। ଷ୍ଟିଲ୍ ଫ୍ରେମ୍ରୁ ଆମେ ଏକ ହୁଗୁଳା ବ୍ୟବସ୍ଥାରେ ଆସି ପହଞ୍ଚିଛୁ ମନେହୁଏ। ଗଭୀର ଚିନ୍ତାର କାରଣ ନିଃସନ୍ଦେହ!
ପ୍ରଶାସନିକ ଢାଞ୍ଚାର ଅବକ୍ଷୟ
Popular Categories



