କୋଭିଡ୍ର ଦ୍ବିତୀୟ ତରଙ୍ଗ ସଂକ୍ରମଣ ହ୍ରାସ ପାଇବା ସହ ଶିକ୍ଷାଳୟଗୁଡ଼ିକ ଖୋଲିବା ଏକ ସୁଖଦ ସଙ୍କେତ। ଇତିମଧ୍ୟରେ ପଞ୍ଜାବ, ହିମାଚଳ ପ୍ରଦେଶ, ବିହାର, ଛତିଶଗଡ଼, ଉତ୍ତରାଖଣ୍ଡ ଭଳି ରାଜ୍ୟଗୁଡ଼ିକରେ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଖୋଲାଯାଇଛି ଓ କେତେକ ରାଜ୍ୟରେ ଚଳିତ ମାସ ଦ୍ବିତୀୟାର୍ଦ୍ଧରେ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଅବଶ୍ୟ ପଞ୍ଜାବ ବ୍ୟତୀତ ଓଡ଼ିଶା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ ଓ ହରିୟାଣା ଆଦି ରାଜ୍ୟଗୁଡ଼ିକରେ ଉଚ୍ଚ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ହିଁ ବିଦ୍ୟାଳୟ ଆସିବାକୁ କୁହାଯାଇଛି। ଧୀରେଧୀରେ ଓଡ଼ିଶା ସମେତ ଦେଶର ଅଧିକାଂଶ ରାଜ୍ୟରେ କରୋନା ମାମଲା ହ୍ରାସ ପାଉଛି ଏବଂ ସେହି ଅନୁସାରେ କଟକଣା ମଧ୍ୟ କୋହଳ ହୋଇଛି। ଏପରି ସ୍ଥିତିରେ ବିଦ୍ୟାଳୟକୁ ସଂପୂର୍ଣ୍ଣ ବନ୍ଦ ରଖିବା ଅଯୌକ୍ତିକ। ଆଭାସି ମାଧ୍ୟମ ଶିକ୍ଷାଦାନ ବହୁ ପିଲାଙ୍କ ପାଇଁ ବର୍ଷାଧିକ କାଳ ପରେ ମଧ୍ୟ ଅପହଞ୍ଚ, ଏହା ଏକାଧିକ ଅନୁଧ୍ୟାନରୁ ସ୍ପଷ୍ଟ। ଆର୍ଥିକ ଅନଗ୍ରସର ପିଲାଙ୍କ ପାଇଁ ସ୍ମାର୍ଟଫୋନ୍, ଇଣ୍ଟରନେଟ୍ ଆଦିର ସୁବିଧା ଉପଲବ୍ଧ ନଥିବାବେଳେ ସ୍ବଚ୍ଛଳତା ସତ୍ତ୍ବେ ଗ୍ରାମାଞ୍ଚଳର ପିଲାଙ୍କ ପାଇଁ ଦ୍ରୁତ ଇଣ୍ଟରନେଟ୍ର ଅଭାବ ଆଭାସି ଶିକ୍ଷା ଗ୍ରହଣରେ ସବୁଠୁ ବଡ଼ ବାଧକ ସାଜିଛି। ଅର୍ଦ୍ଧାଧିକ ଛାତ୍ରଛାତ୍ରୀ ନାମକୁ ମାତ୍ର କେବଳ ପାଠ ପଢ଼ୁଛନ୍ତି। ଏଥିଯୋଗୁଁ ବହୁ ପିଲା ପାଠରେ ଡୋରି ବାନ୍ଧିଲେଣି କହିଲେ ଭୁଲ୍ ହେବନାହିଁ। ଏପରି ସ୍ଥିତିରେ ସମସ୍ତ ବିଦ୍ୟାଳୟ ଖୋଲାଯିବା ପାଇଁ ବିଚାର କରାଯିବା ଆବଶ୍ୟକ। ଅନ୍ତତଃ ଯେଉଁସବୁ ଅଞ୍ଚଳରେ ଦୀର୍ଘଦିନ ଧରି ଶୂନ୍ୟ ସଂକ୍ରମଣ ରହିଛି, ସେଠାକାର ବିଦ୍ୟାଳୟଗୁଡ଼ିକୁ କଟକଣା ଓ କରୋନା ମାର୍ଗଦର୍ଶିକା ପାଳନ କରାଯାଇ ଖୋଲାଯିବା ଉଚିତ।
ଅବଶ୍ୟ ଅନ୍ୟ ଦେଶଗୁଡ଼ିକରେ କୋଭିଡ୍ର ତୃତୀୟ, ଚତୁର୍ଥ ତରଙ୍ଗ ଆସିଥିବାରୁ ଆମ ଦେଶରେ ମଧ୍ୟ ଏହା ଆସିବାର ଆଶଙ୍କା ରହିଛି। ତେଣୁ ଏଥିପ୍ରତି ଅଧିକ ସତର୍କତା ଲୋଡ଼ା। ଯଦି ସାପ୍ତାହିକ ସଂକ୍ରମଣ ସଂଖ୍ୟା ବିଚାର କରାଯାଏ, ତେବେ ବର୍ତ୍ତମାନ ଦେଶର ୧୧ଟି ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଛି। କେରଳରେ ଏବେ ଦୈନିକ ୨୦ ହଜାରରୁ ଊର୍ଦ୍ଧ୍ବ ସଂକ୍ରମଣ ମାମଲା ଆସିଲାଣି। ଏହା ପ୍ରତ୍ୟହ ବଢ଼ିଚାଲିଛି। କେବଳ କେରଳ ନୁହେଁ; ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଆସାମ, ମିଜୋରାମ, ମେଘାଳୟ, ଆନ୍ଧ୍ରପ୍ରଦେଶ, ମଣିପୁର ଆଦି ରାଜ୍ୟର କେତେକ ଜିଲାରେ ଗତ କେଇ ସପ୍ତାହ ମଧ୍ୟରେ ଦୈନିକ ସଂକ୍ରମଣ ହାର ୧୦ ଶତାଂଶରୁ ଅଧିକ ହୋଇଥିବାରୁ ଉଦ୍ବେଗର କାରଣ ହୋଇଛି।
ଦେଶର ୪୬ଟି ଜିଲାରେ ସଂକ୍ରମଣ ହାର ୧୦%ରୁ ଅଧିକ ଥିବାବେଳେ ୫୩ଟି ଜିଲାରେ ୫-୧୦ ଶତାଂଶ ମଧ୍ୟରେ ରହିଛି। ଅତଏବ ସଂକ୍ରମଣର ଗତି ତୀବ୍ର ହେଲେ ଅବସ୍ଥା ନିଶ୍ଚୟ ଅସମ୍ଭାଳ ହେବ। ଯଦି କୋଭିଡ଼ର ନୂଆ ଡେଲ୍ଟା ପ୍ରଜାତିର ଭୂତାଣୁ ସଂକ୍ରମିତ କରେ, ତାହା ଘାତକ ହେବାର ଆଶଙ୍କା ଅଧିକ। ଅତଏବ ଏହାର ସଂକ୍ରମଣକୁ ରୋକିବା ପାଇଁ ପୁଣି କଠୋର ପଦକ୍ଷେପ ନେବାକୁ ପଡ଼ିବ, ଯାହା ବର୍ତ୍ତମାନ ସ୍ଥିତିରେ ଅବାଞ୍ଛନୀୟ। ବ୍ୟକ୍ତିଗତ ସଚେତନତା ଏହି ସଂକ୍ରମଣକୁ ଅନେକ ପରିମାଣରେ କମାଇ ଦେଇପାରିବ।
ଚତୁର୍ଥ ଜାତୀୟ ସେରୋସର୍ଭେ ନିଷ୍କର୍ଷକୁ ଆଧାର କରି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର୍) ଯେଉଁ ଚିନ୍ତା ପ୍ରକଟ କରିଥିଲା, ତା’କୁ ଉପେକ୍ଷା କରାଯିବା ଅନୁଚିତ। ବିଶେଷତଃ ବର୍ତ୍ତମାନ ମଧ୍ୟ ଦେଶର ପ୍ରାୟ ୪୦ କୋଟି ଲୋକଙ୍କ ଶରୀରରେ ଆଣ୍ଟିବଡ଼ି ବା କୋଭିଡ଼ ପାଇଁ ରୋଗ ପ୍ରତିରୋଧକ ଶକ୍ତି ନାହିଁ। ଅତଏବ ଏମାନେ ଅସୁରକ୍ଷିତ। ୧୮-୪୫ ବର୍ଷର ସମସ୍ତଙ୍କୁ ଯଦି ଆମେ ଟିକା ଦେଇପାରିଥାଆନ୍ତୁ, ତେବେ ବିଶେଷ ଚିନ୍ତା କରିବାର ନଥିଲା; କିନ୍ତୁ ତାହା ଏ ପର୍ଯ୍ୟନ୍ତ ସମ୍ଭବ ହୋଇପାରିଲା ନାହିଁ। ପ୍ରଥମ ଲହର ସମୟରେ ୪୫ ବର୍ଷରୁ ଊର୍ଦ୍ଧ୍ବ ବୟସର ସବୁ ଲୋକଙ୍କୁ ଟିକା ଦିଆଯାଇ ପାରିନଥିବାରୁ ସେହି ବର୍ଗର ଲୋକେ ଅଧିକ ସଂକ୍ରମିତ ହେବା ସହ ପ୍ରାଣ ହରାଇଥିବା ଦେଖାଯାଇଥିଲା। ଦ୍ବିତୀୟ ତରଙ୍ଗରେ ୧୮-୪୫ ବର୍ଗର ଲୋକଙ୍କ କ୍ଷେତ୍ରରେ ଠିକ୍ ସେହି କଥା ଘଟିଥିଲା। ଯୋଗ୍ୟ ଟିକା ହିତାଧିକାରୀଙ୍କ ମଧ୍ୟରୁ ଏବେ ମଧ୍ୟ କେବଳ ୧୧%ଙ୍କୁ ହିଁ ଦୁଇ ପାନ ଟିକା ଦିଆଯାଇପାରିଛି। ଅର୍ଥାତ୍, ବର୍ତ୍ତମାନ ମଧ୍ୟ ବେଶି ଭାଗ ଲୋକ ଅସୁରକ୍ଷିତ।
ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏ ପର୍ଯ୍ୟନ୍ତ ୧୮ ବର୍ଷରୁ କମ୍ କିଶୋର-ଶିଶୁଙ୍କ ଟିକାକରଣ ଆରମ୍ଭ ହୋଇନାହିଁ। ବର୍ଷ ଶେଷ ସୁଦ୍ଧା ୯୪ କୋଟିରୁ ଅଧିକ ଲୋକଙ୍କ ଟିକାକରଣ ସଂପୂର୍ଣ୍ଣ ହେବ ବୋଲି କେନ୍ଦ୍ର ସରକାର କହୁଛନ୍ତି; କିନ୍ତୁ ବର୍ତ୍ତମାନ ଗତିରେ ଏହା ସମ୍ଭବ ହେବା ପରି ମନେ ହେଉନାହିଁ, କାରଣ ଏଥିପାଇଁ ଦୈନିକ ଟିକାଦାନ ୯୦ ଲକ୍ଷରୁ ଅଧିକ କରିବାକୁ ହେବ। ଜୁଲାଇ ମାସରେ ହାରାହାରି ୪୦ରୁ ୬୦ ଲକ୍ଷ ଭିତରେ ହିଁ ଟିକାଦାନ ହୋଇପାରିଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଟିକା ଅଭାବ ନାହିଁ ବୋଲି କହୁଥିଲେ ହେଁ ତାହା ହିଁ ଟିକାକରଣ ମନ୍ଥର ହେବାର ମୂଳ କାରଣ, ତାହା କହିବା ଅନାବଶ୍ୟକ। ରାଜ୍ୟ ସରକାରଙ୍କ ସମସ୍ୟାକୁ ମଧ୍ୟ କେନ୍ଦ୍ର ଦୃଷ୍ଟି ଦେବା ଆବଶ୍ୟକ।
କେନ୍ଦ୍ର ସ୍ଥିର କରିଥିବା ୭୫:୨୫ ସରକାରୀ ଓ ଘରୋଇ ଟିକା ଅନୁପାତକୁ ଓଡ଼ିଶା ସରକାର ୯୫:୫ କରିବାକୁ ବାରମ୍ବାର ଅନୁରୋଧ କରିଥିବା ସତ୍ତ୍ବେ ତାକୁ ବିଚାରକୁ ନିଆଯାଉ ନାହିଁ। ଏବେ ଦେଖାଯାଇଛି ଯେ ଓଡ଼ିଶାର ଘରୋଇ ଡାକ୍ତରଖାନାଗୁଡ଼ିକ ୫% ଟିକା ମଧ୍ୟ ଦେଇପାରି ନାହାନ୍ତି। ଫଳରେ ଜନସାଧାରଣ ହିଁ କ୍ଷତିରେ ପଡ଼ୁଛନ୍ତି। କେନ୍ଦ୍ର ସରକାର ଓଡ଼ିଶା ପାଇଁ ଟିକା ନୀତିକୁ କୋହଳ କରିବା ଆବଶ୍ୟକ। କୋଭିଡ଼ ତୃତୀୟ ତରଙ୍ଗ ଭଳି ବଡ଼ ପରୀକ୍ଷାର ସମ୍ମୁଖୀନ ହେବା ନିମନ୍ତେ ଟିକାକରଣକୁ ତ୍ବରାନ୍ବିତ କରିବା ନିହାତି ଜରୁରୀ।



