ଆୟ ହ୍ରାସ ଓ ସଂକ୍ରାମକ ରୋଗ ସହ ସଂଘର୍ଷ, ତା’ ଉପରେ ପୁଣି ମହଙ୍ଗା ମାଡ଼ ଜନସାଧାରଣଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି
ଗତ ସପ୍ତାହକ ଭିତରେ ପାଞ୍ଚ ଥର ତୈଳଦର ବୃଦ୍ଧି ପରେ ଦେଶର ବହୁ ସ୍ଥାନରେ ଲିଟର ପିଛା ପେଟ୍ରୋଲର ମୂଲ୍ୟ ଶହେ ଟଙ୍କାରୁ ଅଧିକ ହୋଇଛି। ଓଡ଼ିଶାର ମାଲକାନଗିରିରେ ଏହାର ଦାମ୍ ୯୭ ଟଙ୍କା ଟପିଛି। ତୈଳ ଦର ବୃଦ୍ଧି ପାଇଁ ଯେଉଁ କାରଣ ସବୁବେଳେ ଦର୍ଶାଯାଇ ଆସିଛି, ଏଥର ମଧ୍ୟ ସରକାର ସେହି ସଫେଇର ପୁନରାବୃତ୍ତି କରିବେ ଯେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳଦର ବଢ଼ିଚାଲିଛି; ତେଣୁ ତା’ର ଦର ଉପରେ ଭାରତରେ ମଧ୍ୟ ତୈଳଦର ହ୍ରାସବୃଦ୍ଧି ନିର୍ଭର କରିଥାଏ। ସରକାରଙ୍କ ହାତରେ ବା ଏପରିକି ତୈଳ କମ୍ପାନୀଙ୍କ ହାତରେ ବି କିଛି ନାହିଁ ! ଯଦି ଏହା ସତ୍ୟ ହୋଇଥାଏ, ତେବେ ଗତ ଦେଢ଼ ଦୁଇ ମାସ ଧରି ଯେତେବେଳେ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲୁଥିଲା, ସେହି ସମୟରେ ପେଟ୍ରୋଲ୍-ଡିଜେଲ୍ ଦର ସ୍ଥିର ରହିବା ଏବଂ ନିର୍ବାଚନ ସରୁଣୁ ଏଥିରେ କ୍ରମାଗତ ବୃଦ୍ଧି ଘଟିବାର କାରଣ କ’ଣ ? ଏହି ସମୟ ମଧ୍ୟରେ ନ୍ୟସ୍ତସ୍ବାର୍ଥ ରାଜନୀତି ଯେ ତୈଳ ମୂଲ୍ୟର ନିର୍ଦ୍ଧାରକ ସାଜିଥିଲା, ତାହା ବୁଝିବା ସାଧାରଣ ବ୍ୟକ୍ତିଟି ପକ୍ଷରେ ମଧ୍ୟ କଷ୍ଟକର ନୁହେଁ। କିଛି ଦିନ ପୂର୍ବରୁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପରେ ଆମ ଦେଶରେ ମଧ୍ୟ ପେଟ୍ରୋଲ୍-ଡିଜେଲ୍ର ଦର ହ୍ରାସ ପାଇଥିଲା; କିନ୍ତୁ ତାହା ମାମୁଲି। ଭାରତରେ ପେଟ୍ରୋଲ୍-ଡିଜେଲ୍ର ମୂଲ୍ୟ କାହିଁକି ଏତେ ଅଧିକ ରହିଛି, ସେ ନେଇ ପୂର୍ବରୁ ବହୁତ ଆଲୋଚନା ହୋଇସାରିଛି। ସମସ୍ତେ ଜାଣନ୍ତି ଯେ ତୈଳର ପ୍ରକୃତ ମୂଲ୍ୟ ଯେତିକି ତା’ଠୁ ବେଶି ଟିକସ ଆକାରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦେବାକୁ ପଡ଼ୁଛି। ତେବେ ବର୍ତ୍ତମାନର ସଂକ୍ରାମକ ମହାମାରୀ ଭଳି ଏକ ବ୍ୟାପକ ବିପତ୍ତି ସମୟରେ ସରକାର ଜନସାଧାରଣଙ୍କ କଷ୍ଟ ଲାଘବ କରିବା ପରିବର୍ତ୍ତେ କୌଣସି ଦ୍ରବ୍ୟରୁ ସର୍ବାଧିକ ଟିକସ ଆଦାୟ କରିବା ଯଥାର୍ଥ କି? ଏଥିରୁ ମନେହେଉଛି ଯେ ସରକାର ଜନସାଧାରଣଙ୍କୁ ବଜାର ଉପରେ ହିଁ ସମ୍ପୂର୍ଣ୍ଣ ଛାଡ଼ିଦେଇଛନ୍ତି, ଯାହାର ଲକ୍ଷ୍ୟ କେବଳ ମୁନାଫା ଗୋଟାଇବା। ସାଧାରଣ ଲୋକଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ୁଥିବାରୁ ଏହା ଆଦୌ ବାଞ୍ଛନୀୟ ନୁହେଁ। ତୈଳଦର ବୃଦ୍ଧିର ପ୍ରଭାବ ପରିବହନ ଉପରେ ପଡ଼େ ଓ ସେହି ସୂତ୍ରେ ଜିନିଷପତ୍ରର ଖୁଚୁରା ମୂଲ୍ୟ ବହୁତ ବଢ଼ିଯାଏ।
କରୋନା ମହାମାରୀର ଦ୍ବିତୀୟ ତରଙ୍ଗ ଗତବର୍ଷର ପ୍ରଥମ ତରଙ୍ଗ ଅପେକ୍ଷା ଅଧିକ ଭୟାନକ ହୋଇଥିବାବେଳେ ଜାତୀୟ ସ୍ତରରେ ସଂପୂର୍ଣ୍ଣ ତାଲାବନ୍ଦ କରାଯାଇ ନଥିଲେ ହେଁ ଇତିମଧ୍ୟରେ ଦେଶର ପ୍ରାୟ ୯୦ ଭାଗ ଅଞ୍ଚଳରେ ସ୍ଥାନୀୟ ସରକାର ଓ ପ୍ରଶାସନ ତାଲାବନ୍ଦ ଘୋଷଣା କରିସାରିଛନ୍ତି। ତାଲାବନ୍ଦର ଅର୍ଥ ହେଲା ବ୍ୟବସାୟ ବାଣିଜ୍ୟ ବନ୍ଦ ହେବା ଏବଂ ଲୋକଙ୍କ ଆୟ କମିବା। ଗତବର୍ଷ ପରି ଏ ବର୍ଷ ମଧ୍ୟ ମହାମାରୀ ଲୋକଙ୍କଠାରୁ ରୋଜଗାର ଛଡ଼ାଇ ନେଲାଣି। ଅର୍ଥନୀତି ଉପରେ ଗବେଷଣା କରୁଥିବା ଏକ ଚିନ୍ତନସଂସ୍ଥା ‘ଭାରତୀୟ ଅଥନୀତି ନିରୀକ୍ଷକ କେନ୍ଦ୍ର’ (ସିଏମ୍ଆଇଇ) ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁଯାୟୀ କେବଳ ତାଲାବନ୍ଦ ହେତୁ ଗତ ଚାରିମାସ ଭିତରେ ବର୍ତ୍ତମାନ ସର୍ବାଧିକ ୭୦ ଲକ୍ଷ ଲୋକଙ୍କ ଜୀବିକା ଉପରେ ସିଧାସଳଖ ପ୍ରଭାବ ପଡ଼ିଛି। ମାର୍ଚ୍ଚରେ ଜାତୀୟ ବେକାରୀ ହାର ୬.୫% ଥିଲାବେଳେ ଏପ୍ରିଲରେ ଏହା ପାଖାପାଖି ୮%ରେ ପହଞ୍ଚିଥିଲା। ତେଣୁ ଚଳିତ ମାସ ଶେଷ ସୁଦ୍ଧା ଏହା ଆହୁରି ବୃଦ୍ଧି ପାଇବା ନିଶ୍ଚିତ। ଗ୍ରାମାଞ୍ଚଳ (୭.୧୩) ଅପେକ୍ଷା ସହରାଞ୍ଚଳରେ (୯.୭୮%) ବେକାରୀ ସଂଖ୍ୟା ଅଧିକ ରହିଥିବା ଆକଳନ କରାଯାଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଶ୍ରମ ଅଂଶଗ୍ରହଣ ହାର (ଲେବର ପାର୍ଟିସିପେସନ ରେଟ୍) କ୍ରମାଗତ ହ୍ରାସ ପାଇଚାଲିଛି। ଏହାର ଅର୍ଥ ହେଲା କାମଧନ୍ଦା ପ୍ରାୟ ବନ୍ଦ ପଡ଼ିଛି। ଏପରି ସ୍ଥିତିରେ ଲୋକେ ଆର୍ଥିକ ଭାବେ କ୍ଷତିଗ୍ରସ୍ତ ହେଉଛନ୍ତି ଓ ପରିଣାମ ସ୍ବରୂପ ମଧ୍ୟବିତ୍ତମାନେ ମଧ୍ୟ ଗରିବ ସ୍ତରକୁ ଚାଲିଯାଉଛନ୍ତି। ଆଗାମୀ ଦିନରେ ମଧ୍ୟ ଏହି ଧାରା ଜାରି ରହିବାର ସବୁ ସୂଚନା ଦେଖାଗଲାଣି।
ଏପରି ଆୟ ହ୍ରାସ ପାଇବା ସମୟରେ ସେମାନେ କରୋନା ସଂକ୍ରମିତ ହୋଇ ବ୍ୟବସ୍ଥାଗତ ତ୍ରୁଟି ଯୋଗୁଁ ଉଚିତ ସ୍ବାସ୍ଥ୍ୟସେବା ନପାଇ ଡାକ୍ତରଖାନାଗୁଡ଼ିକରେ ଶୋଷିତ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି। ଆୟ ହ୍ରାସ ଓ ସଂକ୍ରାମକ ରୋଗ ଉପରେ ପୁଣି ମହଙ୍ଗା ମାଡ଼ କେବଳ ଗରିବ ନୁହନ୍ତି, ମଧ୍ୟବିତ୍ତ ବର୍ଗର ଲୋକଙ୍କ ଜୀବନକୁ ମଧ୍ୟ ବିପନ୍ନ ଓ ଖିନ୍ଭିନ୍ କରିପକାଇଛି। ଏହା ଜାଣିବା ସତ୍ତ୍ବେ ନା ତୈଳ କମ୍ପାନୀ ତୈଳମୂଲ୍ୟକୁ ନିୟନ୍ତ୍ରଣରେ ରଖୁଛନ୍ତି ନା ସରକାର ଜନସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି କମ୍ପାନୀଗୁଡ଼ିକ ଉପରେ ଲଗାମ ଲଗାଉଛନ୍ତି। ସରକାର ତାଲାବନ୍ଦ ଓ ଲୋକଙ୍କ ଜୀବନଜୀବିକା ଭିତରେ କିପରି ଭାରସାମ୍ୟ ରକ୍ଷା କରିବେ, ବର୍ତ୍ତମାନ ସ୍ଥିତିରେ ତାହା ବେଶି ଗୁରୁତ୍ବପୂର୍ଣ୍ଣ। ଲୋକଙ୍କର କ୍ରୟଶକ୍ତି ଯେପରି ହ୍ରାସ ପାଉଛି, ସେଥିରେ ତୈଳଦର ବୃଦ୍ଧିଜନିତ ମହଙ୍ଗା ମାଡ଼ ତା’ର ଆର୍ଥିକ ଦୁଃସ୍ଥିତିକୁ ବହୁଗୁଣିତ କରିବ ନିଶ୍ଚୟ। ସରକାରଙ୍କ ପାଖରେ ତୈଳଦର ବୃଦ୍ଧି ନକରି, ଅର୍ଥାତ୍ ଟିକସ କମ୍ କରି ଅନ୍ୟ ସୂତ୍ରରୁ ଆୟ ବଢ଼ାଇବାର ବିକଳ୍ପ ବାଟ କ’ଣ କିଛି ନାହିଁ? ନିର୍ବାଚନ ହିଁ କାହିଁକି ହେଉଛି ତୈଳଦରର ନିୟନ୍ତ୍ରକ?



