www.samajalive.in
Sunday, December 7, 2025
13.1 C
Bhubaneswar

ମୁଁ ସମୟ, ମୁଁ ମହାମୃତ୍ୟୁ, ମୁଁ ହିରୋସିମା

ହେମେନ୍ଦ୍ର ନାରାୟଣ ଦାସ

ହିରୋସିମା ଆଜି ଇତିହାସ ବହିର ପୃଷ୍ଠାରେ। ମହାକାଳର ସୀମାହୀନ ଅନନ୍ତ ବିସ୍ତୃତି ଭିତରେ ସେ ହୁଏତ ପାଲଟି ଯାଇଛି ଏକ କ୍ଷୁଦ୍ରାତିକ୍ଷୁଦ୍ର ବିନ୍ଦୁ, କିନ୍ତୁ ମାନବ ଇତିହାସରେ ଯେଉଁ କେତୋଟି ମହାଟ୍ରାଜେଡି ନିୟତି ନିର୍ଦିଷ୍ଟ କରି ରଖିଥିଲା, ଯେଉଁଥିରେ କି ଅଶୀହଜାର ନିରୀହ ମଣିଷ ମାତ୍ର କେତୋଟି ମୁହୂର୍ତ୍ତରେ ଜଳିପୋଡ଼ି ପାଉଁଶ ହୋଇଗଲେ, ତା’ ଭିତରୁ ଇଏ ଗୋଟିଏ ଛାତିଥରା ବିଭୀଷିକା। ସତ କହିବାକୁ ଗଲେ ଇତିହାସର ସେଇ ରକ୍ତସ୍ରାବୀ ଅଧ୍ୟାୟରୁ ମଣିଷର କ୍ରନ୍ଦନର ସ୍ବର ଏବେବି ଶୁଣାଯାଏ ଓ ଛାତି ଥରିଉଠେ।
୧୯୪୫ ମସିହା ଅଗଷ୍ଟ ମାସ ୬ ତାରିଖ (ଜାପାନୀ କ୍ୟାଲେଣ୍ଡର ଅନୁସାରେ)ର ସେଇ ଅଶୁଭ ସକାଳ। ବିଗତ କିଛିଦିନ ଧରି ମାର୍କିନ ବୋମାବର୍ଷୀ ବିମାନ ଘଣ୍ଟାକୁଘଣ୍ଟା ହିରୋସିମା ଉପରେ ବୋମା ବର୍ଷଣ କରିଚାଲିଛନ୍ତି। ସେଦିନର ସକାଳ କିନ୍ତୁ ଥିଲା ଆଶ୍ଚର୍ଯ୍ୟଜନକ ଭାବରେ ଶାନ୍ତ ଓ ନୀରବ। ନଅ, ଦର୍ଶ ବର୍ଷ ବୟସର ଦଳଦଳ ସ୍କୁଲପିଲା ଜାତୀୟ ସଂଗୀତ ଗାନକରି ଚାଲିଛନ୍ତି ରାସ୍ତାରେ। ଚାରିଆଡ଼େ ଘେରିରହିଛି ଅନିଶ୍ଚିତ ଆଶଙ୍କା ଓ ଉଦ୍‌ବେଗର ଘନୀଭୂତ ବାତାବରଣ। ତଥାପି ସେଇ ନିରୀହ ଶିଶୁଙ୍କ ହସହସ ଆଖିରେ ଆଲୋକ, ଅନେକ ​‌େ​‌କୗତୂହଳ। ସମୟ ସକାଳ ୮ଟା ୧୫ ହେବାକୁ କିଛି ସମୟ ବାକି ଅଛି। ଏଇ କୁନିକୁନି ପିଲାମାନେ କିଛି ବୁଝିବା ପୂର୍ବରୁ ଶୁଭିଲା ଲକ୍ଷେ ବଜ୍ରପାତ ହେଲାଭଳି ବିସ୍ଫୋରଣ। ହଠାତ୍‌ ତାପମାତ୍ରା ବଢ଼ିଗଲା କଳ୍ପନାତୀତ ଭାବରେ। ହୋଇଗଲା ୪୦୦୦ ଡିଗ୍ରୀ ସେଣ୍ଟିଗ୍ରେଡ୍‌। ସେଇଠି ପୋଡ଼ି ପାଉଁଶ ହୋଇଗଲେ ପିଲାମାନେ। ଜାପାନୀମାନେ ଏ ଆଲୋକର ନାଁ ଦେଇଛନ୍ତି ‘ପିକାଡୋନ’। ଚାରିଆଡ଼େ ଲୋକମାନେ ଦୌଡ଼ୁଛନ୍ତି। ଏଇ ଲୋମହର୍ଷଣକାରୀ ରକ୍ତଝରା ପରିବେଶରେ ସବୁଆଡ଼େ ଗୋଟିଏ ଚିତ୍କାର ‘ଟାସୁକେଟ୍‌, ଟାସୁକେଟ୍‌’ (ବଞ୍ଚାଅ ବଞ୍ଚାଅ)।
ମୃତ୍ୟୁର ଏଇ ଚରମ ବିଭୀଷିକା ଏପଟେ ସଂଘଟିତ ହେବାର କିଛି ଘଣ୍ଟା ପୂର୍ବରୁ, ପୃଥିବୀର ଅପର ପ୍ରାନ୍ତରେ ଥିବା ଆମେରିକା ବିମାନ ଘାଟିର ଦୃଶ୍ୟଟି ଥିଲା ଏହିପରି। ପ୍ରସ୍ତୁତ ହୋଇ ରହିଛି ଯୁଦ୍ଧ ବିମାନ ବି-୨୯। ଯେଉଁଥିରେ ରହିଛି ପରମାଣୁ ବୋମା, ଯାହାର ନାଁ ଦିଆହୋଇଛି ‘ଲିଟଲ୍‌ବୟ’ ବା ଛୋଟ ବାଳକ। ସାଙ୍ଗରେ ଏଗାର ଜଣଙ୍କୁ ଧରି ବିମାନ ଆରୋହଣ କଲେ କମାଣ୍ଡର କ​‌େ​‌ର୍ଣ୍ଣଲ ଟିବେଟ୍‌ ଜୁନିଅର। ହାତ ହଲେଇ ଶୁଭକାମନା ଜଣାଇଲେ ତଳେଥିବା ଅନ୍ୟମାନେ। ବିମାନ ଚାଲିଲା ଲକ୍ଷ୍ୟସ୍ଥଳକୁ। ସୂ‌େର୍ଯ୍ୟାଦୟର ବର୍ଣ୍ଣିଳ ଆଭାରେ ହିରୋସିମା ଦୂରକୁ ଦେଖା ଯାଉଥିଲା ଖଣ୍ଡେ ଛାୟାଚିତ୍ର ପରି। ସତେ ଯେପରି ନିର୍ବାଣୋନ୍ମୁଖୀ ଚିତାଗ୍ନିରେ ଜଳିବାକୁ ପ୍ରସ୍ତୁତ ହୋଇରହିଥିଲା ଏଇ ଅଭିଶପ୍ତ ସହର। ଟିବେଟ୍‌ ଶେଷଥର ପାଇଁ ପରୀକ୍ଷା କରିନେଲେ ବିମାନରୁ ବୋମା ନିକ୍ଷେପ କରୁଥିବା ବ୍ୟବସ୍ଥାକୁ। ସବୁ ଠିକ୍‌ଠାକ୍‌। ହାତଘଡ଼ିକୁ ଚାହିଁ ଦେଖିଲେ, ଆମେରିକା ସମୟ ସକାଳ ୭ଟା ୧୫, ତାରିଖ ଅଗଷ୍ଟ ୫। ସେ ତାଙ୍କର କାମ କଲେ। ଏଥର ତଳକୁ ଖସି ପଡ଼ିଲା ‘ଲିଟଲ୍‌ବୟ’। ବିଦ୍ୟୁତ ବେଗରେ ବିମାନକୁ ବୁଲେଇ ଆଣିବା ପୂର୍ବରୁ ଆଉଥରେ ପଛକୁ ଅନେଇଲେ କମାଣ୍ଡର ଟିବେଟ୍‌। ସେ ଅନୁଭୂତିକୁ ଡାଏରୀରେ ଲିପିବଦ୍ଧ କରିଛନ୍ତି- ‘ମୁଁ ଦେଖୁଛି ଏକ ଅଭୁତ ଦୃଶ୍ୟ। ବିରାଟ ଛତୁ ଭଳି ଆକାଶକୁ ଧୀରେଧୀରେ ଉଠୁଛି ଏକ କ୍ରମବର୍ଦ୍ଧମାନ ଆଣବିକ ମେଘ। ଆଉ ବେଳ ନାହିଁ, ଶୀଘ୍ର ଫେରିବାକୁ ପଡ଼ିବ, ‘କାରଣ ବିମାନଘାଟିରେ ତାଙ୍କୁ ଅପେକ୍ଷା କରିଛନ୍ତି ବନ୍ଧୁମାନେ ସମ୍ବର୍ଦ୍ଧନା ଦେବାପାଇଁ।
ଠିକ୍‌ ଏଇ ସମୟରେ ରାଷ୍ଟ୍ରପତି ଟ୍ରୁମାନ୍‌ ‘ଅଗଷ୍ଟା’ନାମକ ଯୁଦ୍ଧ ଜାହାଜରେ ଫେରୁଛନ୍ତି ପୋର୍ଟସଡ୍ୟାମ୍‌ରୁ । ଚର୍ଚ୍ଚିଲ ଓ ଷ୍ଟାଲିନଙ୍କ ସହ ଯୁଦ୍ଧପରିବର୍ତ୍ତିତ ୟୁରୋପର ଭବିଷ୍ୟତ ସମ୍ପର୍କରେ ଆଲୋଚନାସାରି। ଏତିକିବେଳେ ଯୁଦ୍ଧ ସଚିବ ଷ୍ଟିମ୍‌ସନଙ୍କଠାରୁ ଏକ ଜରୁରୀ ଗୋପନ ବାର୍ତ୍ତା ପାଇଲେ। ରାଷ୍ଟ୍ରପତି ତାଙ୍କୁ ଘେରି ଠିଆହୋଇଥିବା ନାବିକମାନଙ୍କୁ ଆଡ଼କୁ ଅନେକ କହିଲେ, ‘ବନ୍ଧୁଗଣ!, ଏଇ ମାତ୍ର କିଛି ସମୟ ପୂର୍ବରୁ ମାନବ ଇତିହାସର ସବୁଠାରୁ ବଡ଼ ଘଟଣା ଘଟିଯାଇଛି। ଶୀଘ୍ର ଚାଲନ୍ତୁ, ଘରକୁଯାଇ ସେଇ ମୁହୂର୍ତ୍ତକୁ ପାଳନ କରିବା।’ ପରେପରେ ରେଡ଼ିଓରୁ ଘୋଷଣା ହେଲା, ‘ଷୋହଳ ଘଣ୍ଟା ପୂର୍ବରୁ ଆମେ ହିରୋସିମା ଉପରେ ଗୋଟିଏ ଆଟମବମ୍‌ ନିକ୍ଷେପ କରିଛୁ। ଏଥିରେ ଆମର ଖର୍ଚ୍ଚ ହୋଇଛି ଦୁଇ ବିଲିଅନ୍‌ ଡଲାର। ଭଗବାନଙ୍କୁ ଅଶେଷ ଧନ୍ୟବାଦ, ଏ କାମଟି ଆମେ ଆଗେ କରିପାରିଛୁ, ଆମ ଶତ୍ରୁମାନେ କରିବା ପୂର୍ବରୁ।’
ଗୋଟିଏ ପଟେ ଆମେରିକା, ଆରପଟେ ଜର୍ମାନୀ। ସଂଘଟିତ ହେଉଛି କ୍ଷମତା ଯୁଦ୍ଧପ୍ରମତ୍ତ ଦୁଇଟି ବୃହତ୍‌ ଶକ୍ତିଙ୍କ ମଧ୍ୟରେ ଶ୍ବାନଯୁଦ୍ଧର ଏକ ବିକଟାଳ ଦୃଶ୍ୟ। ରାଷ୍ଟ୍ରପତି ଟ୍ରୁମ୍ୟାନଙ୍କୁ ତାଙ୍କ ବୈଜ୍ଞାନିକ ଓସି ବିୟୁଷ୍ଟର ଚିଠି ଲେଖି ଜଣେଇଛନ୍ତି ‘ରାଷ୍ଟ୍ରପତି ମହାଶୟ ! ପରମାଣୁ ବୋମା ପ୍ରସ୍ତୁତି କ୍ଷେତ୍ରରେ ହିଟଲର୍‌ ଆମଠାରୁ ଦଶବର୍ଷ ଆଗରେ। ଆଉ ବିଳମ୍ବ ନକରି ତ୍ବରାନ୍ବିତ ଭାବରେ ଆମକୁ ଏ କାମ ସାରିବାକୁ ପଡ଼ିବ।’ ଚିନ୍ତାରେ ପଡ଼ିଛନ୍ତି ଟ୍ରୁମାନ୍‌। ଏପଟେ କମ୍ୟୁନିଷ୍ଟ ରୁଷିଆ ମଧ୍ୟ ଜାପାନକୁ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଲାଣି। ଟ୍ରୁମାନ୍‌ ଭାବୁଛନ୍ତି, ଯଦି ରୁଷିଆ ଆଗ ଆକ୍ରମଣ କରେ ଜାପାନକୁ, ତେବେ ଜାପାନ ରୁଷିଆ ପାଖରେ ଆଗ ଆତ୍ମସମର୍ପଣ କରିବ, ଆମେରିକା ପାଖରେ ନୁହେଁ। ଏହାଦ୍ବାରା କମ୍ୟୁନିଜ୍‌ମର ପ୍ରଭାବ ବଢ଼ିବ କ୍ୟାପିଟାଲିଜିମ୍‌ର ନୁହେଁ। ବିଖ୍ୟାତ ବ୍ରିଟିଶ ବୈଜ୍ଞାନିକ ବ୍ଲାକେଟ୍‌ଙ୍କ ମତରେ ପୃଥିବୀରେ ଦୀର୍ଘଦିନ ଧରି, ଏହା ପରେପରେ ଯେଉଁ ଶୀତଳଯୁଦ୍ଧ ଚାଲିଲା ବାସ୍ତବରେ ତାହାର ଅୟମାରମ୍ଭ ହେଲା ଏଇ ବୋମା ନିକ୍ଷେପ ସମୟରୁ।
ତା’ର ତିନି ଦିନ ପରେ ହେଲା ନାଗାସାକି ଉପରେ ଆଣବିକ ଆକ୍ରମଣ। ସତରେ କ’ଣ ଥିଲା ଏହାର ଆବଶ୍ୟକତା? ଏ ପ୍ରଶ୍ନ ଏବେବି ଅସମାହିତ ଓ ରହସ୍ୟଘେରରେ। ପ୍ରାୟ ପୋଡ଼ି ପାଉଁଶ ହୋଇଯାଇଛି ହିରୋସିମା, ଚୂର୍‌ମାର ହୋଇଯାଇଛି ଜାପାନୀ ଶକ୍ତି। ହିରୋସିମା ଉପରେ ପକାଯାଇଥିଲା ୟୁରାନିୟମ ବୋମା, ନାଗାସାକି ଉପରେ ପକାଗଲା ପ୍ଲୁଟୋନିୟମ ବୋମା। ବୋଧହୁଏ କେତେ ଅଧିକ ଏହା ଶକ୍ତିଶାଳୀ, ହେଉଥିଲା ତା’ର ପରୀକ୍ଷା। ମଣିଷଜୀବନକୁ ନେଇ ଏ ବୈଜ୍ଞାନିକ ପରୀକ୍ଷା, ମଣିଷର ହୃଦୟହୀନତା ଓ ନିର୍ମମ ନିଷ୍ପ୍ରାଣତାର ଏକ ଉଲ୍ଲଙ୍ଗ ପ୍ରତିରୂପ।
ଯୁଦ୍ଧ ସମୀକ୍ଷକମାନଙ୍କ ମତରେ ଏ ଆଣବିକ ବିସ୍ଫୋରଣକୁ ହୁଏତ ଏଡ଼ାଇ ଦିଆଯାଇ ପାରି ଥାଆନ୍ତା, ଯଦି ମିତ୍ରଶକ୍ତି ପକ୍ଷରୁ କିଛିଟା ଧୈର୍ଯ୍ୟ ଓ କୂଟନୈତିକ ବିଚାରବୁଦ୍ଧି ପ୍ରୟୋଗ କରାଯାଇ ଥାଆନ୍ତା। ଜାପାନ ସେତେବେଳକୁ ସାମରିକ ଦୃଷ୍ଟିରୁ ଅତି ଦୁର୍ବଳ ହୋଇପଡ଼ିଥିଲା। ମାତ୍ର ଦଶଦିନ ପୂର୍ବରୁ ମିତ୍ରଶକ୍ତି ପକ୍ଷରୁ ଦିଆଯାଇଥିବା ଅଲ୍ଟିମେଟମ୍‌ (ଚରମ ପତ୍ର)ରେ ଉଲ୍ଲେଖ କରାଯାଇଥିଲା, ଯଦି ଜାପାନ ଆତ୍ମସମର୍ପଣ କରେ ତେବେ ଯୁଦ୍ଧ ପରବର୍ତ୍ତୀ ରାଷ୍ଟ୍ରକୁ ପୁନର୍ଗଠନ କରିବାପାଇଁ ପୂର୍ଣ୍ଣ ସହାୟତା ଦିଆଯିବ। ଦୁର୍ଭାଗ୍ୟବଶତଃ ଏଥିରେ ଜାପାନ ରାଜାଙ୍କ ପଦ ଓ ମର୍ଯ୍ୟାଦା ସୁରକ୍ଷା ସମ୍ପର୍କରେ କିଛି ଲେଖା ଯାଇନଥିଲା। ଜାପାନୀମାନେ ମନେକଲେ ଯୁଦ୍ଧପରେ ରାଜାଙ୍କ ବିଚାର ହେବ ଓ ଫାଶୀ ଦିଆଯିବ। ଆବେଗପ୍ରବଣ ଜାପାନୀମାନଙ୍କ ପାଇଁ ତାଙ୍କ ରାଜା ହେଲେ ‘ଜୀବନ୍ତ ଭଗବାନ୍‌’। ତାଙ୍କ ଭଗବାନ କିପରି ଫାଶୀ ପାଇବେ ତାଙ୍କ ପାଇଁ ତାହା ପାଲଟିଗଲା ଏକ ମର୍ମଭେଦୀ, ହୃଦୟବିଦାରକ ପ୍ରଶ୍ନ।
ଯୁଦ୍ଧ ସରିଗଲା। ମିତ୍ର ପକ୍ଷ ବିଜୟଲାଭ କଲେ ସତ୍ୟ, କିନ୍ତୁ ଲକ୍ଷଲକ୍ଷ ଲୋକଙ୍କ ଶରୀରର ଭସ୍ମଗଦା ଉପରେ ହାସଲ ହୋଇଥିବା ଏ ବିଜୟ ଓ ତା’ର ପରବର୍ତ୍ତୀ ହୃଦୟବିଦାରକ ଘଟଣାକ୍ରମ ଆମେରିକାର ଗଣଚେତନାକୁ ଥରହର କରିଦେଲା। ବଦଳିଗଲା ସାରା ବିଶ୍ବର ମାମୂହିକ ବିବେକ। ମାତ୍ର କିଛିଦିନ ପୂର୍ବରୁ ଏ ବୋମାର ପରୀକ୍ଷାକୁ ‘ସୁରା’ନାମକ ଏକ ମରୁଭୂମିରେ ଲକ୍ଷ୍ୟ କରୁଥିଲେ ନିଜେ ଉପସ୍ଥିତ ରହି ପରମାଣୁ ବୋମାର ଜନକ ରବର୍ଟ ଓପେନ୍‌ହମାର। ଓପେନ୍‌ହମାର କେବଳ ଜଣେ ବିଶିଷ୍ଟ ବୈଜ୍ଞାନିକ ନଥିଲେ, ସଂସ୍କୃତ ଭାଷାରେ ମଧ୍ୟ ଥିଲା ତାଙ୍କର ଅସାଧାରଣ ବ୍ୟୁତ୍ପତ୍ତି। ଏଇ ଭୟଙ୍କରତାକୁ ଲକ୍ଷ୍ୟ କରୁକରୁ ସ୍ବତଃସ୍ଫୂର୍ତ୍ତ ଭାବରେ ଭଗବତ୍‌ ଗୀତାର ବିଶ୍ବରୂପ ଦର୍ଶନର ସେଇ ଉକ୍ତି ତାଙ୍କ ମୁହଁରୁ ବାହାରି ଆସିଲା, ଯାହା କହିଥିଲେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ, ‘ମୁଁ ସମୟ, ମୁଁ ମୃତ୍ୟୁ, ମୁଁ ଧ୍ବଂସକାରୀ ଶକ୍ତିରୂପେ ଆସେ ଏଇ ଧରାପୃଷ୍ଠକୁ’। ସେଦିନର ସେହି ବୋମାବାହୀ ବିମାନର ଅନ୍ୟତମ ପାଇଲଟ୍‌ କ୍ଲଡ ଇଥରେଲ୍‌ ଘୋର ଅନୁତାପ ଓ ଅନ୍ତର୍ଦାହର ଜ୍ବାଳାରେ ପାଗଳପ୍ରାୟ ହେଇଯାଇଥିଲେ। ସେଇ ବିବେକଦଂଶନର ଜ୍ବାଳା ଲିପିବଦ୍ଧ ହୋଇଛି ରୋମାଞ୍ଚକର ପୁସ୍ତକ ‘ଦି ବର୍ନିଂ କନ୍‌ସାଇନ୍‌ସ୍‌ରେ’।
ସତରେ ପ୍ରବହମାନ କାଳର ପୃଷ୍ଠଭୂମିରେ ହିରୋସିମା ଆଜି ଇତିହାସ ପାଲଟି ଯାଇଛି, କିନ୍ତୁ ସେଇ ଇତିହାସର ମର୍ମଭୂମିରୁ ଏବେବି ଆପଣ ଶୁଣିପାରିବେ ପୋଡ଼ି ଜଳି ଯାଉଥିବା ମଣିଷଙ୍କର ନୀରବ ବିକଳ କ୍ରନ୍ଦନଧ୍ବନି। ଭାରି କରୁଣ ସିଏ, ନିର୍ଜନ ନିଝୁମ ରାତିରେ ଥରିଥରି ଶୁଭୁଥିବା ଆତ୍ମାର ବିଳାପ ପରି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories