www.samajalive.in
Monday, December 8, 2025
13.1 C
Bhubaneswar

ବ୍ୟାଙ୍କିଙ୍ଗ୍‌ ସଂକଟ: ସଂସ୍କାର ପାଇଁ ଏକ ସୁଯୋଗ

ସତ୍ୟନାରାୟଣ ମହାନ୍ତି

ଚଳିତ ତ୍ରୟମାସରେ ଅଧିକାଂଶ ସରକାରୀ ବ୍ୟାଙ୍କ ଆର୍ଥିକ କ୍ଷତି କରିଛନ୍ତି। ଫଳରେ ଅନେକ ବ୍ୟାଙ୍କର ଏନପିଏ ସମସ୍ୟା ଅଧିକ ଜଟିଳ ହୋଇଯାଇଛି। ଏପରିକି ଏପର୍ଯ୍ୟନ୍ତ ଦକ୍ଷତା ପ୍ରଦର୍ଶନର ପୋଷ୍ଟର ବୟ ଭାବେ ବିବେଚିତ ହୋଇ ଆସୁଥିବା ଘରୋଇ ବ୍ୟାଙ୍କଗୁଡ଼ିକର ଏନପିଏ ସେମାନଙ୍କ ଅଗ୍ରିମ ତୁଳନାରେ ୨ ପ୍ରତିଶତରୁ ୫ ପ୍ରତିଶତ ଅଧିକ ବଢ଼ିଯାଇଛି। ଫଳରେ ଏନପିଏ ବାବଦରେ ସେମାନେ ପୃଥକ ଭାବେ ରଖୁଥିବା ରାଶି ୧,୦୫,୧୦୫ କୋଟିକୁ ବୃଦ୍ଧି ପାଇଛି (ପୂର୍ବ ବର୍ଷର ଏନପିଏ ପ୍ରୋଭିଜନିଂ ୪୩,୬୧୧ କୋଟି ଟଙ୍କା ତୁଳନାରେ ଦୁଇଗୁଣରୁ ଅଧିକ)। ସଂସ୍ଥାର ଗୁରୁତ୍ବପୂର୍ଣ୍ଣ ପଦରେ ରହି ବ୍ୟକ୍ତିଗତ ସ୍ୱାର୍ଥ ହାସଲ ଭଳି ନିଷ୍ପତ୍ତି ବା ପଦକ୍ଷେପ ନେବା ଏବଂ ଦୁଃସାହସିକ ଋଣ ପ୍ରଦାନ ଭଳି ଘଟଣା ନିକଟ ଅତୀତରେ ଘରୋଇ ବ୍ୟାଙ୍କଗୁଡ଼ିକରେ ଘଟିଥିବା ବିଷୟ ବ୍ୟାଙ୍କଗୁଡ଼ିକର ପରିଚାଳନାଗତ ଦୁର୍ବଳତାକୁ ଦର୍ଶାଉଛି। କମ୍ପାନିଗୁଡ଼ିକୁ ଋଣ ପ୍ରଦାନ କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକର ଦ୍ୱନ୍ଦ୍ୱାତ୍ମକ ସ୍ୱାର୍ଥ (କନ୍‌ଫ୍ଲିକ୍ଟ ଅଫ ଇ‌େ‌ଣ୍ଟ୍ରଷ୍ଟ) ଏବଂ ବନ୍ଧୁ ଓ ପରିଜନଙ୍କୁ ଅହେତୁକ ଅନୁକମ୍ପା ଦେଖାଇବାର ବିପଦ ରହିଛି। ଅବଶ୍ୟ ଏଗୁଡ଼ିକ ସେମାନଙ୍କର ନୀତି ହୋଇ ରହିଆସିଛି। ଘରୋଇ ବ୍ୟାଙ୍କଗୁଡ଼ିକ ୨୦୧୦-୧୧ରୁ ସରକାରୀ ବ୍ୟାଙ୍କର ପଦାଙ୍କ ଅନୁସରଣ କରି ଆସୁଛନ୍ତି। ସେମାନେ ସ୍ୱଳ୍ପମିଆଦୀ ଜମା ସଂଗ୍ରହ କରୁଥିଲେ ମଧ୍ୟ ଭିତ୍ତିଭୂମି ବିକାଶ ପାଇଁ ଦୀର୍ଘମିଆଦୀ ଋଣ ପ୍ରଦାନ କରୁଛନ୍ତି। ଫଳରେ ଅନାଦାୟ ଋଣ ବା ଖରାପ ଋଣ ୧୦.୨୫ ଟ୍ରିଲିଅନ୍ ଟଙ୍କା ( ୧୦.୨୫ ଲକ୍ଷ କୋଟି ଟଙ୍କା)ରେ ପହଞ୍ଚିଯାଇଛି। ୨୦୧୮ ମାର୍ଚ୍ଚ ସୁଦ୍ଧା ମୋଟ ଏନପିଏ ୧୦.୫ ପ୍ରତିଶତରେ ପହଞ୍ଚିଛି, ଯାହା ୨୦୧୭ ମାର୍ଚ୍ଚରେ ୯.୫ ପ୍ରତିଶତରେ ରହିଥିଲା। ଏଥିରୁ ଆକଳନ କରାଯାଉଛି ଯେ ଚାପଗ୍ରସ୍ତ ଋଣ ଯୋଗୁଁ ଏନପିଏ ରାଶି ୧୧.୫ ଲକ୍ଷ କୋଟି ବା ମୋଟ ଋଣର ୧୪ ପ୍ରତିଶତରେ ଚଳିତ ଆର୍ଥିକ ବର୍ଷରେ ପହଂଚିପାରେ। ବ୍ୟାଙ୍କର ଦୁଇ- ତୃତୀୟାଂଶ ସମ୍ପତ୍ତି ସମୀକ୍ଷା କରିବା ବେଳେ ନେଟ୍ ଏନପିଏ ୪.୯୫ ଲକ୍ଷ କୋଟି ଟଙ୍କାରେ ପହଂଚିଛି। ୩୪ଟି ବ୍ୟାଙ୍କକୁ ଏବେ ପ୍ରମ୍ପଟ୍ କରେକ୍ଟିଭ ଆକ୍ସନ ବା ତୁରନ୍ତ ସଂଶୋଧନମୂଳକ କାର୍ଯ୍ୟ ବର୍ଗରେ ରଖାଯାଇଛି, ଅର୍ଥାତ ସେମାନଙ୍କ ବ୍ୟାବସାୟିକ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏଥିଯୋଗୁ ଏସବୁ ବ୍ୟାଙ୍କର ପୁଞ୍ଜି ହ୍ରାସପାଇବ ଏବଂ ସେମାନଙ୍କ ଋଣ ପ୍ରଦାନ କ୍ଷମତା ବାଧାପ୍ରାପ୍ତ ହେବ। ବ୍ୟାଙ୍କଗୁଡ଼ିକ ଯେଉଁସବୁ ରାଶିକୁ ବନ୍ଧକ ରଖି ଋଣ ପ୍ରଦାନ କରୁଛନ୍ତି ତାହାର ମୂଲ୍ୟ କମାଇବାର ସମ୍ଭାବନା ଥିବାରୁ ସମନ୍ୱିତ ଋଣ ପ୍ରଦାନ ପ୍ରତି ବାଧା ପହଞ୍ଚିବ। ଏସବୁ କାରଣ ଯୋଗୁଁ ବ୍ୟାଙ୍କଗୁଡ଼ିକ ବିଭିନ୍ନ ବାବଦରେ ଅଧିକ ଅର୍ଥ ସାଇତି ରଖିବାକୁ ବା ପ୍ରୋଭିଜନିଂ କରିବାକୁ ବାଧ୍ୟ ହେବେ। ଫଳରେ ସେମାନଙ୍କ ଋଣ ପ୍ରଦାନ କ୍ଷମତା ବାଧାପ୍ରାପ୍ତ ହେବ।
ଋଣଜନିତ କ୍ଷତି ସହିବା କ୍ଷମତା ଦୁର୍ବଳ ରହିବା କାରଣରୁ ସରକାର ୬୦୦ ବିଲିଅନ ଟଙ୍କାର ନୂଆ ପୁଞ୍ଜି ବ୍ୟାଙ୍କଗୁଡ଼ିକୁ ଦେବାକୁ ବାଧ୍ୟ ହେବେ। ପୂର୍ବରୁ ପ୍ରଦାନ କରାଯାଇଥିବା ୯୦୦ ବିଲିଅନ ଟଙ୍କା ସହିତ ଏହା କରିବାକୁ ପଡ଼ିବ। ବାରମ୍ବାର ଦେଖୁଥିବା ଘୂର୍ଣ୍ଣାୟମାନ ସ୍ଥିତିକୁ ଆମେ ପୁଣି ଥରେ ଦେଖିବା କାରଣ ବିପଦ ନିୟନ୍ତ୍ରଣ ପରିଚାଳନା ଏବଂ ନିରୀକ୍ଷଣ ପ୍ରସଙ୍ଗର ସମାଧାନ ଏପର୍ଯ୍ୟନ୍ତ କରାଯାଇ ନାହିଁ। ଛୋଟ/ଦୁର୍ବଳ ବ୍ୟାଙ୍କଗୁଡ଼ିକୁ ମିଶାଇ ଦେବା ପାଇଁ ଯୋଜନା ଆରମ୍ଭ ହୋଇଛି, ସେହିଭଳି ରିଜର୍ଭ ବ୍ୟାଙ୍କ ଭିତରେ ସ୍ୱାଧୀନ ମୂଲ୍ୟାୟନ କଥା ମଧ୍ୟ ଉଠୁଛି। ଏଥିସହିତ ସରକାରୀ ବ୍ୟାଙ୍କଗୁଡ଼ିକର ଘରୋଇକରଣ ପାଇଁ ସ୍ୱର ମଧ୍ୟ ଶାଣିତ ହେଲାଣି। ପ୍ରତିକାରମୂଳକ ପ୍ରସ୍ତାବଗୁଡ଼ିକ କିଛିଟା ଉନ୍ନତି ଆଣିପାରେ, କିନ୍ତୁ କର୍ପୋରେଟ ଋଣ ପ୍ରଦାନ ବ୍ୟବସ୍ଥାରେ ଯେଉଁ ତ୍ରୁଟି ରହିଛି ତାହାର ସମାଧାନ କରିପାରିବ ନାହିଁ।
ବ୍ୟାଙ୍କଗୁଡ଼ିକ ତା’ହେଲେ ସାଧାରଣତଃ କ’ଣ କରନ୍ତି। ମୁଖ୍ୟତଃ ଜମାକାରୀମାନେ ବ୍ୟାଙ୍କରେ ଯେଉଁ ଅର୍ଥ ଜମା କରନ୍ତି ସେହି ଅର୍ଥକୁ ଅନ୍ୟକୁ ଋଣ ପ୍ରଦାନରେ ମଧ୍ୟସ୍ଥ ଭୂମିକା ନିଭାଇଥାନ୍ତି। ଜମାକାରୀମାନେ ମୁଖ୍ୟତଃ ସାଧାରଣ ଏବଂ ମଧ୍ୟମ ଆୟବର୍ଗର ଲୋକ ହୋଇଥାନ୍ତି, କିନ୍ତୁ ଋଣ ନେଉଥିବା ବ୍ୟକ୍ତିମାନେ ସାଧାରଣତଃ ଧନୀ ଶିଳ୍ପପତି ବା ବ୍ୟବସାୟୀ ହୋଇଥାନ୍ତି। ବ୍ୟାଙ୍କ ନିକଟରେ ଦୁଇଟି ପସନ୍ଦ ରହିଥାଏ- ସେଥିରୁ ଗୋଟିଏ ହେଲା ପ୍ରକଳ୍ପ ସମ୍ପର୍କିତ ଯୋଜନା ନେଇ ଆସୁଥିବା ଅଳ୍ପ କିଛି ଧନୀ ବ୍ୟକ୍ତିଙ୍କୁ ଋଣ ଦେବା କିମ୍ବା ନିହାତି ଅର୍ଥ ଆବଶ୍ୟକ କରୁଥିବା ହଜାରହଜାର ଲୋକଙ୍କୁ ଋଣ ପ୍ରଦାନ କରିବା। ଭାରତ ଭଳି ଦେଶରେ ଗରିବ ଲୋକଙ୍କୁ ଅଧିକାଂଶ ସମୟରେ ବ୍ୟାଙ୍କଗୁଡ଼ିକ ଋଣ ଦେବାକୁ କୁଣ୍ଠା ପ୍ରକାଶ କରିଥାନ୍ତି। ଅଳ୍ପ କେତେକ ଧନୀ ବ୍ୟକ୍ତିଙ୍କୁ ଋଣ ଦେବାରେ ଆନନ୍ଦ ବ୍ୟକ୍ତ କରିଥାନ୍ତି। ଏହା ହିଁ ହେଉଛି ଆମ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାର ‘ଅଳସ ବ୍ୟାଙ୍କିଙ୍ଗ୍‌’। ବ୍ୟାଙ୍କ ଅଧିକାରୀଙ୍କୁ ଏହାଦ୍ୱାରା ଶତାଧିକ ଋଣ ଖାତାକୁ ଅନୁଧାବନ କରିବାକୁ ପଡ଼ିନଥାଏ। ଆରମ୍ଭରୁ ଧନୀ ବ୍ୟକ୍ତିମାନେ ବିଶ୍ୱସନୀୟ ଜଣାପଡ଼ନ୍ତି, କିନ୍ତୁ ପରେ ସେମାନେ ଋଣ ପରିଶୋଧରେ ଖିଲାପ କରନ୍ତି। ପୂର୍ବରୁ ବ୍ୟାଙ୍କଗୁଡ଼ିକ ଋଣ ପୁନର୍ଗଠନ କରି ସେମାନଙ୍କ ଆୟବ୍ୟୟ ହିସାବଫର୍ଦକୁ ସଫା ରଖି ପାରୁଥିଲେ ଏବଂ ଋଣ ନେଇଥିବା ବ୍ୟକ୍ତି ପରିଶୋଧରେ ଖିଲାପ କଲେ ମଧ୍ୟ ସେମାନେ ଖିଲାପି ତାଲିକାରୁ ସେମାନଙ୍କ ନାମକୁ ବାଦ ଦେବାରେ ସମର୍ଥ ହେଉଥିଲେ। ରିଜର୍ଭ ବ୍ୟାଙ୍କ ଋଣ ପୁନର୍ଗଠନ ଯୋଜନାର ନିୟମ ବଦଳାଇ ଦେବା ପରେ ଏବେ ସ୍ଥିତି ବଦଳି ଯାଇଛି। ଚାପଗ୍ରସ୍ତ ଆକାଉଣ୍ଟ ଏବେ ଅନାଦାୟ ଋଣ (ଏନପିଏ) ଖାତା ଭାବେ ବିବେଚିତ ହେଉଛି ଏବଂ ବ୍ୟାଙ୍କଗୁଡ଼ିକୁ ଏ ବାବଦରେ ଅର୍ଥ ରଖିବାକୁ ପଡ଼ୁଛି, ଯାହାକୁ ବ୍ୟାଙ୍କ ଭାଷାରେ ପ୍ରୋଭିଜନିଂ କୁହାଯାଉଛି। ୭୦ ପ୍ରତିଶତ ବ୍ୟାଙ୍କ ସରକାରୀ ହୋଇଥିବାରୁ ସରକାର ସେଗୁଡ଼ିକୁ ତଳେ ପଡ଼ିବାକୁ ବା ଅଚଳ ହେବାକୁ ଦେବେ ନାହିଁ। ତେଣୁ ପୁଞ୍ଜି ପ୍ରବାହ ଅପରିହାର୍ଯ୍ୟ ହୋଇପଡ଼ିଛି। ଯଦିଓ ତତ୍ତ୍ବତଃ ବ୍ୟାଙ୍କଗୁଡ଼ିକ ସେମାନଙ୍କ ଅଂଶଧନ ବା ଅଣ ମୁଖ୍ୟ ବ୍ୟବସାୟର ଅଂଶ ବିକ୍ରି କରିପାରିବେ ଏହାକୁ ସେମାନେ ଠିକ୍ ସମୟରେ କରିବା ସମ୍ଭବପର ନୁହେଁ। ଫଳରେ ସରକାରୀ ବ୍ୟାଙ୍କଗୁଡ଼ିକ ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଛନ୍ତି ଏବଂ ବେସେଲ-୩ ନିୟମ ଅନୁଯାୟୀ ପୁଞ୍ଜି ଆବଶ୍ୟକତାର ଅଭାବ ଅନୁଭବ କରୁଛନ୍ତି। ସରକାର ପୁଣି ଯେଉଁ ପୁଞ୍ଜିି ଯୋଗାଇ ଦିଅନ୍ତି ତାହା ଦୁର୍ବଳ ପ୍ରତିଷ୍ଠାନ ଗୁଡ଼ିକୁ ଯାଇଥାଏ। ଫଳରେ ବ୍ୟବସାୟ ପ୍ରକ୍ରିୟା ପରିବର୍ତ୍ତନର ଏହା କାର୍ଯ୍ୟରେ ଆସି ନଥାଏ।
ଋଣ ପ୍ରଦାନର ଢାଞ୍ଚା ବା ବ୍ୟବସ୍ଥାରେ ତା’ହେଲେ କ’ଣ ସମସ୍ୟା ରହିଛି? ୪୦ ପ୍ରତିଶତ ଅଗ୍ରାଧିକାର ଋଣ ଦେଇଦେବା ପରେ ବ୍ୟାଙ୍କଗୁଡ଼ିକ ସେମାନଙ୍କ ବ୍ୟବସାୟକୁ ଦୃଷ୍ଟିରେ ରଖି ଯାହାକୁ ନାହିଁ ତାହାକୁ ଋଣ ଦେବାର ସ୍ୱାଧୀନତା ପାଇଛନ୍ତି। ଅଧିକାଂଶ ପାଶ୍ଚାତ୍ୟ ଦେଶରେ ବଡ଼ବଡ଼ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ଇକ୍ୱିଟି କିମ୍ବା ବଣ୍ଡ୍‌ ବଜାରରୁ ପାଣ୍ଠି ସଂଗ୍ରହ କରିଥାନ୍ତି। ଦୈନନ୍ଦିନ ବ୍ୟବସାୟ ପରିଚାଳନା ପାଇଁ ଆବଶ୍ୟକ ପାଣ୍ଠିଠାରୁ ଅଧିକ ଋଣ ଦେଇ ନଥାନ୍ତି। ଭାରତରେ କିନ୍ତୁ ବଣ୍ଡ୍ ମାର୍କେଟ ବିକଶିତ ହୋଇ ନଥିବା ବାହାନା କରି ସେମାନେ ବାଣିଜ୍ୟିକ ବ୍ୟାଙ୍କରୁ ଋଣ ନେଇଥାନ୍ତି। ଥରେ ବଣ୍ଡ୍ ବଜାରକୁ ଗଲେ ଟଙ୍କା ଖଟାଉଥିବା ବ୍ୟକ୍ତିଙ୍କୁ ସୁଧ ବା ଲାଭାଂଶ ଦେବାକୁ ପଡ଼ିଥାଏ। ଏଥିରେ ବିପଦ ରହିଥାଏ। ବିପଦରେ ବିବିଧତା ଆଣିବା, ଆର୍ଥିକ ସ୍ଥିରତା ବୃଦ୍ଧି କରିବା ଏବଂ ଋଣ ନେଉଥିବା ବ୍ୟକ୍ତିଙ୍କ ବିପଦ ଓ ରିଟର୍ଣ୍ଣ ପସନ୍ଦକୁ ମିଳାଇବା ପାଇଁ କର୍ପୋରେଟ ବଣ୍ଡ୍ ବଜାରର ଆବଶ୍ୟକତା ରହିଛି।
ଋଣ ସଙ୍କୋଚନ ଆସନ୍ନ ହୋଇଥିବାରୁ କର୍ପୋରେଟ ବଣ୍ଡ୍ ମାର୍କେଟକୁ ଆଗକୁ ନେବାର ଏହା ପ୍ରକୃଷ୍ଟ ସମୟ। ବଣ୍ଡ୍ ବଜାର ବ୍ୟାଙ୍କଗୁଡ଼ିକର ଋଣ ବିପଦକୁ ବ୍ୟାଙ୍କଠାରୁ ଦୂରେଇ ରଖାଯିବା ଉଚିତ। ଏଥିସହିତ ବ୍ୟାଙ୍କଗୁଡ଼ିକ ଉପରେ ଚାପ ପଡ଼ିବା ସମୟରେ ଏହା ସେମାନଙ୍କୁ ଚାପରୁ ମୁକ୍ତ ରଖିବାରେ ଏକ ଢାଲ ସୃଷ୍ଟି କରିଥାନ୍ତା ଏବଂ ବ୍ୟାଙ୍କର ଋଣ ପ୍ରଦାନକୁ କମାଇ ପାରିଥାନ୍ତା। ଭଲଭାବେ ପରିଚାଳିତ ଏକ ବଣ୍ଡ୍ ବଜାର ଋଣ ଖିଲାପଜନିତ ବିପଦର ସଠିକ୍ ମୂଲ୍ୟାୟନ କରିଥାଏ। କାରଣ ବଣ୍ଡ୍ ବଜାର ସହ ସଂଶ୍ଳିଷ୍ଟ ସମସ୍ତ ଅଂଶଗ୍ରହଣକାରୀମାନେ ବଣ୍ଡ୍ ମୂଲ୍ୟ ସହ ସାମିଲ ଥାନ୍ତି। ଏହାଦ୍ୱାରା ଭିତ୍ତିଭୂମି କ୍ଷେତ୍ରକୁ ଅର୍ଥ ଯୋଗାଣ ଭଲଭାବେ ହୋଇପାରିଥାଏ ଏବଂ ପ୍ରାଦେଶିକ ସରକାରଙ୍କ ବଣ୍ଡ୍ ବଜାର ବିକାଶରେ ମଧ୍ୟ ଏହା ସହାୟକ ହୋଇଥାଏ। ଭାରତରେ ଏକ ଉତ୍ତମ ସରକାରୀ ସିକ୍ୟୁରିଟିଜ୍ ବଜାର ରହିଛି। ବଣ୍ଡର ମୂଲ୍ୟ ନିର୍ଦ୍ଧାରଣରେ ଏହା ଏକ ମାନଦଣ୍ଡ ପ୍ରଦାନରେ ସହାୟକ ହୋଇଥାଏ। ଏକ ଉନ୍ନତ୍ତ ବଣ୍ଡ୍ ବଜାରର ବିକାଶ ପାଇଁ ଆବଶ୍ୟକ ଉତ୍ତମ ଡିପୋଜିଟୋରି ବ୍ୟବସ୍ଥା, ବିଶ୍ୱସନୀୟ ରେଟିଂ ବ୍ୟବସ୍ଥା ଏବଂ ଆଇନଗତ ବ୍ୟବସ୍ଥା ଭାରତରେ ରହିଛି। ଏଥିସହିତ ଏକ ବଳିଷ୍ଠ ଦେବାଳିଆ ନିୟମ ଢାଞ୍ଚା ରହିଥିବାବେଳେ ବହୁସଂଖ୍ୟକ ଅର୍ଥ ଲଗାଣକାରୀ ସାଧନ ରହିଛି। ଫଳରେ ସମ୍ଭାବ୍ୟ ବିପଦ ପ୍ରଶମିତ ହୋଇଯାଇଥାଏ। ବ୍ୟାଙ୍କ ଓ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ପାଇଁ ଏକ ବ୍ୟାପକ ଦେବାଳିଆପଣ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯିବାର ଆବଶ୍ୟକତା ରହିଛି। ଏପରିକି ବେସେଲ ୩ ନିୟମ ପାଳନ ଦରକାର କରୁଥିବା ବ୍ୟାଙ୍କଗୁଡ଼ିକୁ ବଣ୍ଡ୍ ଜାରି କରିବାର ଆବଶ୍ୟକତା ରହିଛି। ଯେତେବେଳେ ବଡ଼ବଡ଼ ଋଣ ପାଇଁ ବ୍ୟାଙ୍କ ଦ୍ୱାରକୁ ବନ୍ଦ କରାଯାଇ ପାରିବ ଏସବୁ ସେତେବେଳେ ହିଁ ହୋଇପାରିବ । ବ୍ୟାଙ୍କ ଏବଂ ବ୍ୟାଙ୍କରୁ ମୋଟା ଅଙ୍କର ଋଣ ନେଉଥିବା ବଡ଼ବଡ଼ ସଂସ୍ଥାଙ୍କ ବିରୋଧ ସ​‌େ​‌ତ୍ତ୍ବ ସେବି ଏବଂ ସରକାର ବଣ୍ଡ୍ ମାର୍କେଟର ବିକାଶ ପାଇଁ ଚାପ ପକାଇଲେ ଏହା ହୋଇପାରିବ।
ସଂକଟ ସଂସ୍କାର ପାଇଁ ସୁଯୋଗ ପ୍ରଦାନ କରେ। ଆଜିର ବ୍ୟାଙ୍କିଙ୍ଗ୍‌ ସଙ୍କଟ ଏହାର ଚିରାଚରିତ ବ୍ୟବସାୟରେ ପରିବର୍ତ୍ତନ ଆଣିବାର ସମ୍ଭାବନା ଆଣିଛି। ବ୍ୟାଙ୍କିଙ୍ଗ୍‌ ସଙ୍କଟ ଲାଗି ରହିଥିବା ବେଳେ ରାଜନୀତି କ୍ଷେତ୍ରରେ ଥିବା ନୀତି ନିର୍ଦ୍ଧାରକମାନେ, ସମସ୍ୟା ସହ ଜଡ଼ିତ ବ୍ୟକ୍ତିମାନେ ଏବଂ ନୀତି ନିର୍ଦ୍ଧାରଣକାରୀମାନେ ମିଳିମିଶି ଆଲୋଚନା କରି ବଣ୍ଡ୍ ମାର୍କେଟ ସୃଷ୍ଟି ପାଇଁ ଏକ ନୂଆ ବ୍ୟବସ୍ଥା ବିକାଶ କରିପାରିବେ କି? କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଛଡ଼ା ଅନ୍ୟ ଉଦ୍ୟୋଗଗୁଡ଼ିକ ପାଇଁ ୧୦୦ କୋଟିରୁ ଅଧିକ ଋଣକୁ ନିଷିଦ୍ଧ କରିପାରିବେ କି? ଏହା ହୋଇପାରିଲେ ଭାରତରେ ଆମେ ବ୍ୟାଙ୍କ ଗୁଡ଼ିକରେ ଯେଉଁ ବଡ଼ ଧରଣର ଠକେଇ ଏବେ ଦେଖିବାକୁ ପାଉଛେ ସେଥିରେ ପରିବର୍ତ୍ତନ ଆସିବା ନେଇ ପ୍ରୋତ୍ସାହନ ମିଳିପାରିବ। ନିୟମକୁ ଏପଟ ସେପଟ କରିବା ପରିବ‌େ‌ର୍ତ୍ତ, ବଡ଼ ଋଣ ଆବଶ୍ୟକ କରୁଥିବା ପ୍ରତିଷ୍ଠାନଗୁଡ଼ିକୁ ବ୍ୟାଙ୍କ ପରିବର୍ତ୍ତେ ବଣ୍ଡ୍ ମାର୍କେଟକୁ ଯିବା ପାଇଁ ବାଧ୍ୟ କରାଯାଇ ପାରିଲେ ଅବସ୍ଥାରେ ପରିବର୍ତ୍ତନ ଆସିପାରିବ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories