ମିତ୍ର କୃପା
ଶ୍ରୀକୃଷ୍ଣଙ୍କ ସହ ଗୁରୁ ସନ୍ଦିପନୀଙ୍କ ଆଶ୍ରମରେ ଗୋଟିଏ କକ୍ଷରେ ରହି ଏକତ୍ର ପାଠ ପଢ଼ୁଥିଲେ ସୁଦାମା। ସମୟ ଚକ୍ରରେ ଶ୍ରୀକୃଷ୍ଣ ମହାରାଜ ହେଲେ, ଆଉ ସେଦିନର ବାଲ୍ୟ ସାଙ୍ଗ ସୁଦାମା ଭିକାରି ବ୍ରାହ୍ମଣ ହୋଇ ରହିଯାଇଥିଲେ। ଦୁଇ ବାଲ୍ୟ ସାଥୀଙ୍କ ମଧ୍ୟରେ ଥିଲା ଆକାଶପାତାଳ ତଫାତ୍- ଜଣେ ରାଜପୁରୀର ବୈଭବ ଭିତରେ ଅୟସଆରାମରେ କାଳାତିପାତ କରୁଥିଲାବେଳେ ଅନ୍ୟ ଜଣେ ଅତ୍ୟନ୍ତ ଦୀନହୀନ ଜୀବନଯାପନ କରୁଥିଲେ। ଭୋଜନ-ବସ୍ତ୍ରର ଅଭାବ ଅହରହ ସନ୍ତାପିତ କରି ରଖିଥିଲା। ସୁଦାମା ପତ୍ନୀଙ୍କୁ କେବେକେବେ ନିଜ ସଖାଙ୍କ ସମ୍ପର୍କରେ କହିଥାନ୍ତି। ଦୁଃଖଦୁର୍ଦଶା ଭିତରେ କାଳାତିପାତ କରୁଥିବା ସ୍ତ୍ରୀ ପରାମର୍ଶ ଦେଇ କହିଥାନ୍ତି- ‘ଯଦି ମିତ୍ରଙ୍କୁ ଥରେ ଏହା ଜଣାଇ ପାରନ୍ତ ତା’ହେଲେ, ଏ ଦୁଃଖ ଆଉ ରହନ୍ତା ନାହିଁ, ଦାରିଦ୍ର୍ୟ ଅପସରି ଯାଆନ୍ତା।’ ଏହାଶୁଣି ସୁଦାମା ଉତ୍ତର ଦେଇଥିଲେ- ‘ବିପତ୍ତିେର ସହାୟକ ହେଲାଭଳି ମିତ୍ର ବିରଳ। ମୁଁ କାଙ୍ଗାଳ ବ୍ରାହ୍ମଣଟିଏ, ଆଉ ସିଏ ମହରାଜା। ଭଲା ମୋ କଥା ସେ କାହିଁକି ମନେ ରଖିଥିବେ?’ ସ୍ତ୍ରୀ ତାଙ୍କ କଥା ନ ମାନି ବାରମ୍ବାର କହି ବାଧ୍ୟ କରିବାରୁ ଶେଷରେ ସେ ମିତ୍ରଙ୍କୁ ଭେଟିବା ନିମନ୍ତେ ଯାଇଥିଲେ। ଭେଟି ଦେବା ପାଇଁ କିଛିହେଲେ ନଥିଲା। ସାଥିରେ ସ୍ତ୍ରୀ ଦେଇଥିବା କିଛି ଖୁଦଭଜା ହିଁ ପୁଟୁଳା କରି ନେଇ ଯାଇଥିଲେ।
ଖାଲି ପାଦରେ ଚାଲିଚାଲି ପାଦ କଣ୍ଟାଝଣ୍ଟାରେ ରକ୍ତାକ୍ତ ହୋଇଯାଇଥିଲା। ବହୁ କଷ୍ଟରେ ପହଞ୍ଚିଥିଲେ ମିତ୍ରଙ୍କ ଉଆସରେ। ଦ୍ବାରପାଳଙ୍କୁ କହିଥିଲେ- ଭାଇ! ତୁମେ ଯାଇ କୁହ ସୁଦାମା ନାମକ ଜଣେ ବ୍ରାହ୍ମଣ ଆପଣଙ୍କୁୁ ଭେଟିବାକୁ ଚାହୁଁଛନ୍ତି। କୃଷ୍ଣ ଦ୍ବାରପାଳଠାରୁ ଏହା ଶୁଣିବାପରେ ମିତ୍ର ନିକଟକୁ ଦୌଡ଼ିଆସି ଗଳାରେ ଲଗାଇ ଆଲିଙ୍ଗନ କରି ଭିତରକୁ ନେଇ ଯାଇଥିଲେ। ଉତ୍ସୁକତାବଶତଃ ପଚାରିଥିଲେ- ଆମେ ଦୁହେଁ ଗୁରୁକୁଳରେ ଗୋଟିଏ କକ୍ଷରେ ରହି ଏକତ୍ର ପାଠ ପଢ଼ୁଥିଲେ, ଏହା କ’ଣ ତୁମର ମନେନାହିଁ ବ୍ରାହ୍ମଣ? ସୁଦାମାଙ୍କ ଉତ୍ତର ଥିଲା- ହଁ ହଁ, ଆଚ୍ଛା ପ୍ରକାର ମନେ ଅଛି। ତେବେ ‘ବାଲ୍ୟ ସଖା ସୁଦାମା’ ବୋଲି ନକହି ଦ୍ବାରପାଳକୁ ‘ବ୍ରାହ୍ମଣ ସୁଦାମା’ ବୋଲି କହିଲ ଯେ?’
ସୁଦାମାଙ୍କ ନିକଟରେ ଏହାର ଉତ୍ତର ନଥିଲା। ସଖାଙ୍କ ମହାନୁଭବତା ଉପଲବ୍ଧି କରିପାରିଥିଲେ ସେ। କୃଷ୍ଣ ପଚାରିଥିଲେ- ଭାଉଜ କ’ଣ ମୋ ପାଇଁ କିଛି ହେଲେ ଦେଇ ନାହାନ୍ତି? ଏହା କହି ସୁଦାମା ସଂକୋଚବଶତଃ କାଖରେ ଜାକି ଧରିଥିବା ଖୁଦଭଜା ପୁଟୁଳାଟିକୁ ଶ୍ରୀକୃଷ୍ଣ ଭିଡ଼ି ନେଇଥିଲେ ଓ ଅତି ଆଗ୍ରହରେ ସେହି ଖୁଦଭଜାକୁୁ ଖାଇବାରେ ଲାଗିଥିଲେ। ଗୋଟିଏ ମୁଠା ଚୋବେଇ ଅନ୍ୟ ମୁଠାଏ ଧରିଲାବେଳେ ରୁକ୍ମିଣୀ ହାତ ଧରିପକାଇ କହିଥିଲେ- ଗୋଟିଏ ମୁଠା ଖୁଦଭଜା ଖାଇ ପ୍ରଭୂତ ସମ୍ପତ୍ତି ଦେଇସାରିେଲଣି, ଏବେ କ’ଣ ପ୍ରାସାଦସହ ମୋତେ ତାଙ୍କୁ ଦେଇ ଦେବ ନା କ’ଣ? ମୁଁ ଅବଶିଷ୍ଟ ଖାଇବି। ଏହାକହି ମୁଠେ ଖୁଦଭଜା ଧରିଥିଲେ।
ରାଜପ୍ରାସାଦରେ ବେଶ୍ ଅୟସରେ କିଛିଦିନ ରହିବାପରେ ସୁଦାମା ସଖାଙ୍କଠାରୁ ବିଦାୟ ନେଇ ଆସିଥିଲେ। ବିଡ଼ମ୍ବନା ଏହା ଥିଲା ଯେ ସୁଦାମା ନିଜ ଦାରିଦ୍ର୍ୟ ସମ୍ପର୍କରେ କହିପାରିନଥିଲେ କି ସଖା ଶ୍ରୀକୃଷ୍ଣ ତାଙ୍କ ଭଲମନ୍ଦ ସମ୍ପର୍କରେ ପଚାରି ନଥିଲେ। ଖାଲି ହାତରେ ନିଜ ଭାଗ୍ୟକୁ ନିନ୍ଦି ସୁଦାମା ଫେରିବା ସମୟରେ ମନେମନେ ଭାବୁ
ଥିଲେ- ଯେଉଁ ଖୁଦଭଜା ନେଇ ଆସିଥିଲି ସେହି ଖୁଦକୁ ଜାଉକରି ଆମେ ଦି’ପ୍ରାଣୀ ହୁଏତ ଦିନେ ଦି’ଦିନ ଖାଇ ରହିପାରିଥାନ୍ତୁ। ଏମିତି ନାନା କଥା ଭାବିଭାବି ନିଜ କୁଟୀର ସମ୍ମୁଖରେ ପହଞ୍ଚିବାବେଳକୁ ଦେଖିଲେ ଏକ ଭବ୍ୟ ପ୍ରାସାଦ। ଅନ୍ୟ କାହାର ପ୍ରାସାଦ ଭାବି ଚିନ୍ତାରେ ପଡ଼ିଥିବାବେଳେ ପତ୍ନୀ ଦିବ୍ୟ ଆଭୂଷଣସହ ମୂଲ୍ୟବାନ ବସ୍ତ୍ର ପରିଧାନ କରି ଆସି ସ୍ବାଗତ କରିଥିଲେ ସୁଦାମାଙ୍କୁ। ସୁଦାମା ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିବାରୁ ପତ୍ନୀ ହସିହସି କହିଥିଲେ- ସବୁ ତୁମ ମିତ୍ରଙ୍କ କୃପାର ଫଳ।
Comments are closed.