ବେଙ୍ଗାଲୁରୁ : ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ବୁଧବାର ବେଆଇନ ଅର୍ଥ କାରବାର ଅଭିଯୋଗରେ ଗିରଫ ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାରଙ୍କ ଝିଅକୁ ନୋଟିସ ପଠାଇଛି। ଶିବ କୁମାରଙ୍କୁ ଇଡି ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି।
ଏହା ମଧ୍ୟରେ ଚର୍ଚ୍ଚା ହେଉଥିଲା ଯେ ଶିବ କୁମାର ନିଜ ୨୨ ବର୍ଷୀୟା ଝିଅ ଐଶ୍ୱର୍ଯ୍ୟା ନାମରେ କୋଟି କୋଟି ଟଙ୍କାର ସମ୍ପତ୍ତିରେ ନିବେଶ କରିଛନ୍ତି। ୨୦୧୮ ନିର୍ବାଚନୀ ସତ୍ୟପାଠରେ ସେ ନିଜ ନାମରେ ୬୧୮ କୋଟି ଟଙ୍କା ଏବଂ ଝିଅ ଐଶ୍ୱର୍ଯ୍ୟା ନାମରେ ୧୦୮ କୋଟି ଟଙ୍କା ସମ୍ପତ୍ତି ଥିବା ଘୋଷଣା କରିଥିଲେ। ତେବେ ୨୦୧୩ ସତ୍ୟପାଠରେ ସେ ନିଜ ଝିଅ ନାମରେ ୧.୧ କୋଟି ଟଙ୍କାର ସମ୍ପତ୍ତି ଥିବା ଦର୍ଶାଇଥିଲେ। ସେତେବେଳେ ସେ ଦର୍ଶାଇଥିଲେ ଯେ ତାଙ୍କ ଝିଅ ତାଙ୍କ ଉପରେ ନିର୍ଭରଶୀଳ ନୁହେଁ। ଜନପ୍ରତିନିଧି ଆଇନ ଅନୁସାରେ ସେ ତାଙ୍କ ଝିଅର ସମ୍ପତ୍ତି ସାର୍ବଜନୀନ କରିଛନ୍ତି। ମ୍ୟାନେଜମେଣ୍ଟ ଗ୍ରାଜୁଏଟ ଐଶ୍ୱର୍ଯ୍ୟା ନିଜ ବାପାଙ୍କ ଦ୍ୱାରା ସ୍ଥାପିତ ଗ୍ଲୋବାଲ ଆକାଡେମି ଅଫ ଟେକ୍ନୋଲୋଜିରେ ଟ୍ରଷ୍ଟି ଅଛନ୍ତି। ଐଶ୍ୱର୍ଯ୍ୟା ବେଙ୍ଗାଲୁରୁର ବେଲନ୍ଦୁର ଅଞ୍ଚଳସ୍ଥିତ ସୋଲ ସ୍ପେସ ସ୍ପ୍ରିଟ୍ ମଲରେ ୭୬.୧ କୋଟି ଟଙ୍କାର ବେଲ୍ଟ-ଆପ ଅଞ୍ଚଳ କିଣିଛନ୍ତି। ଐଶ୍ୱର୍ଯ୍ୟା କ୍ୟାଫେ କଫି ଡେ’ରୁ ୨୦ କୋଟି ଟଙ୍କାର ଋଣ ଆଣିଛନ୍ତି। ଇଡ଼ିର ଅଧିକାରୀ ଐଶ୍ୱର୍ଯ୍ୟାଙ୍କୁ ଏନେଇ ପଚରାଉଚୁରା କରିବେ ବୋଲି ଜଣାପଡିଛି। ସେହିପରି ଏକ ବିଜନେସ ଡିଲ ପାଇଁ ଶିବ କୁମାର ୨୦୧୭ ଜୁଲାଇରେ ନିଜ ଝିଅ ସହ ସିଙ୍ଗାପୁର ଯାଇଥିଲେ। ଏହି ଯାତ୍ରା ଏବେ ଇଡ଼ିର ସ୍କାନରରେ ରହିଛି।



