www.samajalive.in
Saturday, December 6, 2025
26.1 C
Bhubaneswar

ମଣ୍ଡପରେ ଲାଗିଛି ସିସିଟିଭି କ୍ୟାମେରା

କଟକ : ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ସମଗ୍ର ସହର। ପୂୂଜାରେ ବିଭିନ୍ନ ପୂୂଜାମଣ୍ଡପ ପକ୍ଷରୁ ନିର୍ମିତ ହେଉଥିବା ସୁନ୍ଦର ତୋରଣ ସାଙ୍ଗକୁ ଆଲୋକମାଳାରେ ଝଲସି ଉଠିଛି ମଣ୍ଡପ ଓ ଅଞ୍ଚଳ। ପୂଜାରେ କଟକ ସହରରେ ଲକ୍ଷାଧିକ ଲୋକଙ୍କ ସମାଗମ ହେଉଥିବାରୁ ସମସ୍ତ ପ୍ରକାର ଅପରାଧମୂଳକ କାର୍ଯ୍ୟକଳାପକୁ ରୋକିବା ପାଇଁ ବିଭିନ୍ନ ପୂଜା କମିଟି ପୁୁଲିସକୁ ସହାୟତା ପାଇଁ ନିବେଦନ କରିଛନ୍ତି। ସହରର ବହୁ ପ୍ରମୁଖ ସହିତ ଅନ୍ୟାନ୍ୟ ପୂଜା କମିଟିଗୁଡିକ ପକ୍ଷରୁ ମଣ୍ଡପ ଓ ଏହାର ଆଖପାଖ ସ୍ଥାନରେ କ୍ଲୋଜ ସର୍କିଟ କ୍ୟାମେରା ଲଗାଯାଇଛି। ବିଶେଷକରି ଗତବର୍ଷ ଅଲିସାବଜାର ମଣ୍ଡପରୁ ୨୫ଲକ୍ଷ ଟଙ୍କାର ଚାନ୍ଦି ଚୋରି ହେବା ପରେ ଚାନ୍ଦି ଓ ସୁନାମେଢ ହେଉଥିବା ପୂଜା ମଣ୍ଡପରେ ସୁୁରକ୍ଷା ଦୃଷ୍ଟିରୁ ସିସିଟିଭି କ୍ୟାମେରା ଲଗାଯିବା ଉପରେ କମିଟଗୁଡିକ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ମିଳିଥିବା ସୂଚନା ମୁୁତାବକ ଚାଉଳିଆଗଞ୍ଜ ପୂଜାକମିଟି ପକ୍ଷରୁ ଚଳିତବର୍ଷ ୧୪ଟି ସସିଟିଭି କ୍ୟାମେରା ଖଞ୍ଜା ଯାଇଛି। ମଣ୍ଡପ ବାହାରେ ମନ୍ଦିର ଭିତରେ ସିସିଟିଭି ଲଗାଯିବା ସହ ନୂଆବଜାର, ଓଏମ୍‍ପି, ଅପର୍ଣ୍ଣାନଗର ଓ ସାହି ଭିତରରେ ସିସିଟିଭି ଲଗାଯାଇଥିବା କମିଟିର ସମ୍ପାଦକ ନିରଞ୍ଜନ ସାହୁ କହିଛନ୍ତି। ଖାନନଗର ପୂଜାକମିଟି ପକ୍ଷରୁ ୮ଟି ସିସିଟିଭି କ୍ୟାମେରା ଲଗାଯାଇଛି। ମଣ୍ଡପ ଭିତରେ, ଲକର, ରାସ୍ତାରେ ଏବଂ ମଣ୍ଡପ ବାହାରେ ଏହି ସିସିଟିଭି ଖଞ୍ଜା ଯାଇଥିବା ସମ୍ପାଦକ ପ୍ରଫୁଲ୍ଲ ସାହୁ କହିଛନ୍ତି। ଶିଖରପୁର ପୂଜା କମିଟି ପକ୍ଷରୁ ମଧ୍ୟ ୩ଟି କ୍ୟାମେରା ଲଗାଯାଇଛି। ମଣ୍ଡପ ଭିତରେ ଏବଂ ବାହାରେ ଏହା ଲଗାଯାଇଛି ବୋଲି ସମ୍ପାଦକ ଜୟନ୍ତ କୁମାର ପ୍ରଧାନ କହିଛନ୍ତି। ଯୋବ୍ରା ପୂଜା କମିଟି ପକ୍ଷରୁ ମଧ୍ୟ ୪ଟି ସିସିଟିଭି କ୍ୟାମେରା ଲଗାଯାଇଛି। ଦୁଇଟି ମଣ୍ଡପ ଭିତରେ ଏବଂ ଆଉ ଦୁଇଟି ରାସ୍ତା ଓ ମାର୍କେଟ କଂପ୍ଲେକ୍ସରେ ଲଗାଯାଇଥିବା ସଭାପତି ଶରତକୁମାର ବେହେରା କହିଛନ୍ତି। ରାଣୀହାଟ ପୂଜା କମିଟି ପକ୍ଷରୁ ୬ଟି କ୍ୟାମେରା ଲଗାଯାଇଛି। ମଣ୍ଡପ ଭିତରେ, ଲକର, ରାସ୍ତାରେ ଏବଂ ମଣ୍ଡପ ବାହାରେ ଏହି ସିସିଟିଭି ଲଗାଯାଇଥିବା ସଭାପତି ବିଜୟକୁମାର ସାହୁ କହିଛନ୍ତି।
ସେହିପରି ବାଦାମବାଡ଼ି ଥାନା ସମ୍ମୁଖରେ ପୂଜାମଣ୍ଡପ ରହିଥିବାରୁ କ୍ୟାମେରା ଲଗାଇବା ଉପର ସେତେଟା ଗୁରୁତ୍ୱ ଦିଆଯାଉ ନଥିଲା। ତେବେ ବର୍ତ୍ତମାନ ସୁରକ୍ଷା ଦୃଷ୍ଟିରୁ ପୂଜା ମଧ୍ୟରେ ତିନିଟି କ୍ୟାମେରା ଲଗାଯିବା ପାଇଁ ସ୍ଥିର ହୋଇଥିବା ଶଙ୍କରପୁର-ବାଦାମବାଡ଼ି ପୂଜା କମିଟିର ଯଗ୍ମ ସଂପାଦକ କୃଷ୍ଣଚନ୍ଦ୍ର ପରିଡ଼ା ସୂୂଚନା ଦେଇଛନ୍ତି। ଅଲିଶାବଜାର ପୂଜା କମିଟି ପକ୍ଷରୁ ୫ଟି ସିସିଟିଭି କ୍ୟାମେରା ମଣ୍ଡପ ଭିତରେ ଓ ଲକର ନିକଟରେ ପୂର୍ବରୁ ଲାଗିସାରିଥିବା ବେଳେ ଆଖପାଖ ସ୍ଥାନରେ ଆହୁରି ୪ଟି କ୍ୟାମେରା ଲଗାଯାଇଛି। ସେହିପରି ମଙ୍ଗଳାବାଗ ପୂୂଜା କମିଟି ପକ୍ଷରୁ ଚାନ୍ଦି ମେଢ଼ ଓ ସୁନା ମୁକୁଟର ସୁରକ୍ଷା ପାଇଁ ପୂୂର୍ବରୁ ୬ଟି କ୍ୟାମେରା ଲଗାଯାଇଥିବା କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ସାହୁ କହିଛନ୍ତି। ଏହାଛଡ଼ା ଚୌଧୁରୀବଜାର, ଶେଖ୍‍ବଜାର ଓ ଅନ୍ୟାନ୍ୟ ପୂଜା କମିଟି ପକ୍ଷରୁ ମଧ୍ୟ ସିସିଟିଭି ଲାଗିସାରିଛି।
ପୂଜା ସମୟରେ ବିଭିନ୍ନ ମଣ୍ଡପ ଓ ବାହାରେ ନାହିଁ ନ ଥିବା ଭିଡ ପରିଲକ୍ଷିତ ହୋଇଥାଏ। ଏହାର ସୁଯୋଗ ନେଇ ଅସାମାଜିକ ବ୍ୟକ୍ତିମାନେ ଅପରାଧ ଘଟାଇ ଖସି ପଳାଇବାରେ ସମର୍ଥ ହୋଇଥାନ୍ତି। ବିଶେଷକରି ପୂଜାରେ ମହିଳାଙ୍କ ବେକରୁ ହାର୍‍ ଲୁଟ୍‍ ହେବା ନଜିର ରହିଛି। ଏଥିପାଇଁ ଅନେକ ସମୟରେ ପୂଜା କମିଟି କର୍ମକର୍ତ୍ତାମାନେ ପୁଲିସ ଜେରାର ସମ୍ମୁଖୀନ ହୋଇଥାନ୍ତି। ଏହାକୁ ଏଡାଇବା ପାଇଁ ପୂଜା କମିଟିଗୁୁଡିକ ସେମାନଙ୍କ ମଣ୍ଡପ ଭିତରେ ଓ ବାହାରେ ସିସିଟିଭି କ୍ୟାମେରା ଲଗାଇବାକୁ ପୁଲିସକୁ ନିବେଦନ କରିଥିଲେ। ତଦ୍‍ନୁଯାୟୀ ସହରର ୧୦୦ରୁ ଊର୍ଦ୍ଧ୍ବ ପୂୂଜା ମଣ୍ଡପରେ ସିସିଟିଭି କ୍ୟାମେରା ଲଗାଯାଇଥିବା ବେଳେ ଆଗକୁ ଆଉ କେତେକ ପୂଜା କମିଟି କ୍ୟାମେରା ଲଗାଇବା କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ଅନ୍ୟପକ୍ଷରେ କେବଳ ପୂଜାରେ ନୁହେଁ,ସ୍ଥାୟୀ ଭାବେ ଏହି କ୍ୟାମେରା ଲଗାଯିବ ଏବଂ ଅପରାଧ ରୋକିବାରେ ବେଶ୍‍ ସହାୟକ ହେବ ବୋଲି ଅନେକ ପୂଜା କମିଟିର କର୍ମକର୍ତ୍ତା ମତବ୍ୟକ୍ତ କରିଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories