ଝୁମ୍ପୁରା: ଝୁମ୍ପୁରା ବ୍ଲକ ବଡ଼ଡୁମୁରିଆ ଫିଲସାହିରେ ପିଇବା ପାଣି ସଂକଟ ଲାଗିରହିଥିବା ସମ୍ପର୍କରେ ସାହିବାସିନ୍ଦା ଅଭିଯୋଗ କରିଛନ୍ତି। ସାହିବାସିନ୍ଦାଙ୍କ କହିବାନୁସାରେ, ଏହି ସାହିରେ ବର୍ତ୍ତମାନ ୫୦ରୁ ଊର୍ଦ୍ଧ୍ବ ପରିବାର ବସବାସ କରୁଛନ୍ତି। ସମସ୍ତ ପରିବାର ପାଇଁ ମାତ୍ର ଗୋଟାଏ ନଳକୂଅ ରହିଛି। ନଳକୂଅରେ ସୋଲାର ସିଷ୍ଟମ କରି ପାଣିକୁ ଗଚ୍ଛିତ ରଖିବାର ବ୍ୟବସ୍ଥା କରିଛନ୍ତି ବ୍ଲକ ପ୍ରଶାସନ। କିନ୍ତୁ ଏହି ସୋଲାର ସିଷ୍ଟମ ମେଘୁଆ ପାଗ କିମ୍ବା ଅନ୍ୟ କୌଣସି କାରଣରୁ ଅନେକ ସମୟରେ ଅଚଳ ହୋଇ ରହୁଛି। ସାହିର ଏକ ମାତ୍ର ସାହା ଭରସା ହୋଇଥିବା ଏହି ପାନୀୟ ଜଳ ପ୍ରକଳ୍ପ। ଅନେକ ସମୟରେ ଜଳ ପ୍ରକଳ୍ପ ଅଚଳ ହୋଇ ଯାଉଥିବାରୁ ସାହି ବାସିନ୍ଦା ପିଇବା ପାଣି ଟୋପାଏ ପାଇଁ ବାର ହିନସ୍ତା ହେବା ସହିତ ବାଧ୍ୟ ହୋଇ ୫ଶହ ମିଟର ଦୂରରେ ରହିଥିବା ପଡୋଶୀ ଗ୍ରାମ ସୀତାରାମପୁର ଉପରେ ସାହିର ସମସ୍ତ ପରିବାର ନିର୍ଭର କରିଥାନ୍ତି। ସାହିବାସିନ୍ଦାଙ୍କ ନିମନ୍ତେ ସରକାର କରିଥିବା ସୋଲାର ସିଷ୍ଟମରେ କିଛି ତ୍ରୁଟି ରହିଥିବାରୁ ଅନେକ ସମୟରେ ଏହା ପାଣି ଉଠାଉ ନାହିଁ। ସରକାର ପ୍ରତି ପରିବାର ପାଖକୁ ପିଇବା ପାଣି ପହଞ୍ଚାଇବାର ଡିଣ୍ଡିମ ପୁଟୁଛନ୍ତି ସତ କିନ୍ତୁ ଏହି ସାହିରେ ପିଇବା ପାଣିର ସମସ୍ୟା ଦୂର କରିବା ପାଇଁ ତିଳେମାତ୍ର ଧ୍ୟାନ ଦେଉ ନାହାନ୍ତି ବ୍ଲକ ପ୍ରଶାସନ କିମ୍ବା ପଞ୍ଚାୟତ କର୍ତ୍ତୃପକ୍ଷ। ସୋଲାର ସିଷ୍ଟମ ହେବା ପରେ ସାହିରେ ରହିଥିବା ନଳକୂଅରୁ ଦେଢବର୍ଷ ତଳେ ନଳକୂଅର ସମସ୍ତ ଯନ୍ତ୍ରାଂଶ ପଞ୍ଚାୟତ କର୍ତ୍ତୃପକ୍ଷ ଖୋଲି ନେଇ ଯାଇଛି ଯାହା ଫଳରେ ନୂକୂଅରୁ ବର୍ତ୍ତମାନ ପାଣି ବାହାରିବା ପରିବର୍ତ୍ତେ କେବଳ ନଳକୂଅର ଫେମ୍ରଟି ରହିଛି। ସୋଲର ସିଷ୍ଟମ ଅଚଳ ହେଲେ ସାହି ବାସିନ୍ଦା ପୂର୍ବରୁ ନଳକୂଅର ହ୍ୟାଣ୍ଡେଲ ମାରି ପିଇବା ପାଣି ନେଉଥିଲେ କିନ୍ତୁ ପଞ୍ଚାୟତ କର୍ତ୍ତୃପକ୍ଷ କାହିଁକି ନଳକୂଅର ଯନ୍ତ୍ରାଂଶ ଖୋଲି ନେଲେ ବୋଲି ସାହି ବାସିନ୍ଦା ପ୍ରଶ୍ନ କରିଛନ୍ତି। ଏହି ସାହିରେ ଲାଗି ରହିଥିବା ପିଇବା ପାଣି ସଂକଟକୁ ଦୂର କରିବା ପାଇଁ ସାହି ବାସିନ୍ଦା ଆଉ ଏକ ନଳକୂଅ ଖୋଳିବା ପାଇଁ ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ କରିଆସୁଥିଲେ ମଧ୍ୟ ପ୍ରଶାସନ ତରଫରୁ ଆଉ ଏକ ନଳକୂଅ ଖୋଳିବା ଦିଗରେ କୌଣସି ଗୁରୁତ୍ୱ ଦେଉ ନାହାନ୍ତି।
ସାହିରେ ରହିଥିବା ଅଚଳ ନଳକୂଅକୁ ସଚଳ କରିବା ଦିଗରେ ବ୍ଲକ ପ୍ରଶାସନ ସ୍ୱତନ୍ତ ଦୃଷ୍ଟି ଦେବାକୁ ସାହି ବାସିନ୍ଦା ଦୁଶିଆ ମୁଣ୍ଡା, ଜୟସିଂ ମୁଣ୍ଡା, ମିଥୁନ ମୁଣ୍ଡା, ବୁଧରାମ ମୁଣ୍ଡା, ସୁନାରାମ ମୁଣ୍ଡା, ନବ ନାଏକ, ମକରୁ ନାଏକ, ରାମଚନ୍ଦ୍ର ମୁଣ୍ଡା, ଘନ ମୁଣ୍ଡା, ସୁବିଦାର ମୁଣ୍ଡା, ଦିପୁ ମୁଣ୍ଡା, ଗୁରୁ ମୁଣ୍ଡା ସମେତ ଅନ୍ୟ ଗ୍ରାମବାସୀଙ୍କ ବ୍ଲକ ପ୍ରଶାସନକୁ ନିବେଦନ କରିଛନ୍ତି।



