www.samajalive.in
Sunday, December 7, 2025
18.1 C
Bhubaneswar

ନୂଆବର୍ଷରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସ୍‌କୋଡ

ପୁରୀ :  ନୂଆବର୍ଷରୁ ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ପାଇଁ ଲାଗୁହେବ ଡ୍ରେସ୍‌କୋଡ଼। ଅଶାଳୀନ ପୋଷାକ ପିନ୍ଧି ଆସିଲେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ। ଚାରୋଟି ଦ୍ୱାରରେ ଡ୍ରେସ୍‌କୋଡ଼ ଯାଞ୍ଚ କରାଯିବ। ଧାର୍ମିକ ପରମ୍ପରା ଏବଂ ଆଧ୍ୟାତ୍ମିକ ପରିବେଶ ଅକ୍ଷୁଣ୍ଣ ରଖିବା ପାଇଁ ଏଭଳି କଟକଣା ଜାରି କରାଯାଇଥିବା ମୁଖ୍ୟ ପ୍ରଶାସକ ଡ. ରଞ୍ଜନ କୁମାର ଦାସ କହିଛନ୍ତି। ଦାରୁବ୍ରହ୍ମଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ପ୍ରାପ୍ତ ବୟସ୍କ ପୁରୁଷ ଓ ମହିଳାଙ୍କ ପାଇଁ ଏହି କଟକଣା ଜାନୁଆରୀ ୧ରୁ କଡ଼ାକଡ଼ି କାର୍ଯ୍ୟକାରୀ ହେବ। ପୁରୁଷ ବ୍ୟକ୍ତି ଧୋତି, ଗାମୁଛା, ପଞ୍ଜାବୀ, ପ୍ୟାଣ୍ଟ ଓ ସାର୍ଟ ପିନ୍ଧି ଶ୍ରୀମନ୍ଦିରରେ ପ୍ରବେଶ କରିବେ। ମହିଳା ଶାଢ଼ି,ସାଲୱାର ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ୧୨ବର୍ଷରୁ ଊର୍ଦ୍ଧ୍ବ ପୁରୁଷ ବ୍ୟକ୍ତିଙ୍କ ପାଇଁ ହାଫ୍‌ ପ୍ୟାଣ୍ଟ ଏବଂ ଚିରାଫଟା ଜିନ୍ସ ପୋଷାକ ବାରଣ କରାଯାଇଛି । ମହିଳାମାନେ ଛୋଟ ପୋଷାକ ନପିନ୍ଧିବାକୁ କୁହାଯାଇଛି। ଅଶ୍ଳୀଳ ପୋଷାକ ପିନ୍ଧି ଆସୁଥିବା ବ୍ୟକ୍ତିମାନେ ଶ୍ରୀମନ୍ଦିର ପରିବର୍ତ୍ତେ ବେଳାଭୂମି କିମ୍ବା ପାର୍କ ବୁଲିବାକୁ ଯିବା ଉଚିତ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ପୋଷାକ ଯାଞ୍ଚ ପାଇଁ ପ୍ରତିହାରୀ ସେବକ ଏବଂ ଜେଟିପି କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯିବ। ସିଂହଦ୍ୱାର, ଉତ୍ତରଦ୍ୱାର, ଦକ୍ଷିଣଦ୍ୱାର ଏବଂ ପଶ୍ଚିମଦ୍ୱାର ନିକଟରେ ପୋଷାକ ପରିବର୍ତ୍ତନ ଗୃହ ନିର୍ମାଣ କରାଯିବ। ଆଗ୍ରହୀ ଭକ୍ତମାନେ ସେଠାରେ ପୋଷାକ ପରିବର୍ତ୍ତନ କରିପାରିବେ। ଦକ୍ଷିଣ ଭାରତର ଅଧିକାଂଶ ମନ୍ଦିରରେ ଡ୍ରେସ୍‌କୋଡ଼ ବ୍ୟବସ୍ଥା ରହିଛି। ଶ୍ରୀମନ୍ଦିରରେ ତାହାକୁ ଲାଗୁ କରିବା ପାଇଁ ରଥଯାତ୍ରା ପରେ କେତେକ ସେବକ ନିଯୋଗ ପରାମର୍ଶ ଦେଇଥିଲେ। ସୋମବାର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସର୍ବସମ୍ମତିକ୍ରମେ ଡ୍ରେସ୍‌କୋଡ଼ ଲାଗୁ କରାଯାଇଛି। ସବୁ ଧର୍ମରେ ଏଭଳି କିଛି କଟକଣା ରହିଥିବା ଶ୍ରୀ ଦାସ କହିଛନ୍ତି।
ଛତିଶା ନିଯୋଗ ମହାନାୟକ ଜନାର୍ଦନ ପାଟ୍ଟଯୋଶୀ ମହାପାତ୍ର, ପ୍ରଶାସକ (ନୀତି) ଜିତେନ୍ଦ୍ର କୁମାର ସାହୁ, ଦଇତାପତି ରାମଚନ୍ଦ୍ର ଦାସ ମହାପାତ୍ର, ଭିତରଛ ଭବାନୀ ଶଙ୍କର ମହାପାତ୍ର, ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସ, ପରିଚାଳନା କମିଟି ସଭ୍ୟ ମାଧବ ଚନ୍ଦ୍ର ମହାପାତ୍ର, ମାଧବ ଚନ୍ଦ୍ର ପୂଜାପଣ୍ଡା, ଅନନ୍ତ ତିଆଡ଼ି, ଜଗନ୍ନାଥ କର, ଡ. ଦୁର୍ଗାପ୍ରସାଦ ଦାସ ମହାପାତ୍ର ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ବୈଠକରେ କାର୍ତ୍ତିକ ମାସ ଏବଂ ଆଗାମୀ ୨୮ ତାରିଖର ଗ୍ରହଣ ନୀତି ପ୍ରସ୍ତୁତ କରାଯାଇଛି। ପାଳିଆ ସେବକଙ୍କ ପାରିଶ୍ରମିକ ବୃଦ୍ଧି କରାଯାଇଥିବା ମୁଖ୍ୟ ପ୍ରଶାସକ କହିଛନ୍ତି। ରଥଯାତ୍ରା ପରିଚାଳନାରେ ରହିଥିବା କେତେକ ତ୍ରୁଟି ସମ୍ପର୍କରେ ଆଲୋଚନା କରାଯାଇଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ମୁଖ୍ୟ ପ୍ରଶାସକ ଶ୍ରୀ ଦାସ କହିଛନ୍ତି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories