www.samajalive.in
Monday, December 8, 2025
14.1 C
Bhubaneswar

ଚିଠା ଜାତୀୟ ଶିକ୍ଷା ନୀତିରେ ତ୍ରିଭାଷା ଫର୍ମୁଲାକୁ ବିରୋଧ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ପ୍ରସ୍ତୁତ କରିଥିବା ଚିଠା ଜାତୀୟ ଶିକ୍ଷା ନୀତିକୁ ତାମିଲନାଡୁର ବିଭିନ୍ନ ରାଜନୈତିକ ଦଳ ବିରୋଧ କରିଛନ୍ତି। ଏହି ଚିଠା ନୀତିରେ ତ୍ରିଭାଷା ଫର୍ମଲାକୁ ଗୁରୁତ୍ବ ଦିଆଯାଇଛି। ଅର୍ଥାତ ପ୍ରତ୍ୟେକ ସ୍କୁଲରେ ଛାତ୍ରଛାତ୍ରୀମାନେ ତିନିଟି ଭାଷା ଶିକ୍ଷା ଲାଭ କରିବା ବାଧ୍ୟତାମୂଳକ। ପିଲାମାନେ ସମ୍ପୃକ୍ତ ରାଜ୍ୟର ଆଞ୍ଚଳିକ ଭାଷା ସହିତ ଇଂରାଜୀ ଓ ହିନ୍ଦୀ ଭାଷା ଶିକ୍ଷା କରିବା ବାଧ୍ୟତାମୂଳକ। ହିନ୍ଦୀ ଭାଷା ଶିକ୍ଷାକୁ ବାଧ୍ୟତାମୂଳ କରିବା ନେଇ କେନ୍ଦ୍ର ସରକାରଙ୍କ ଏପରି ଯୋଜନାକୁ ତାମିଲନାଡରୁ ଡିଏମକେ ସମେତ ଅନ୍ୟ ରାଜନୈତିକ ଦଳ ବିରୋଧ କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ୍ ତାଙ୍କ ଟୁଇଟରରେ ଲେଖିଛନ୍ତି ‘ବିଦ୍ୟାଳୟରେ ତିନି ଭାଷା ଫର୍ମଲା ଲାଗୁ କରିବାର ଅର୍ଥ କଣ? ଏହାର ଅର୍ଥ ହେଉଛି ହିନ୍ଦୀ ଭାଷା ଶିକ୍ଷାକୁ ବାଧ୍ୟତାମୂଳକ କରିବା।’ ଏହାଦ୍ବାରା କେନ୍ଦ୍ର ବିଜେପି ସରକାରର ଅସଲ ଚେହେରା ଜଣାପଡିଛି। ସେହିପରି ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ କହିଛନ୍ତି ଯେ ହିନ୍ଦୀ ଭାଷା ଶିକ୍ଷାକୁ ବାଧ୍ୟତାମୂଳକ କରିବା ଦ୍ବାରା ଦେଶ ବିଭାଜନ ଆଡକୁ ଗତି କରିବ। ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ହିନ୍ଦୀ ଭାଷା ଶିକ୍ଷାକୁ ସରକାର ବାଧ୍ୟତାମୂଳକ କରିବାକୁ ଚାହଁୁଛନ୍ତି।
ଲବ୍ଧପ୍ରତିଷ୍ଠ ବୈଜ୍ଞାନିକ କେ କସ୍ତୁରୀରଙ୍ଗନଙ୍କ ନେତୃତ୍ବରେ ଗଠିତ କମିଟି ଏହି ଜାତୀୟ ଚିଠା ଶିକ୍ଷା ନୀତି ପ୍ରସ୍ତୁତ କରିଥିବାବେଳେ ଶୁକ୍ରବାର ଏହାକୁ ଉନ୍ମୋଚନ କରାଯାଇଛି। ୧୯୩୭ରେ ତାମିଲନାଡୁରେ ହିନ୍ଦୀ ଭାଷା ବିରୋଧୀ ଆନ୍ଦୋଳନ ଆରମ୍ଭ ହୋଇଥିଲା। ୧୯୬୮ ପରଠାରୁ ତାମିଲନାଡୁରେ ଦୁଇଭାଷା ନୀତି ପ୍ରଚଳିତ ହୋଇଆସୁଛି। ରାଜ୍ୟର ସମସ୍ତ ବିଦ୍ୟାଳୟରେ ତାମିଲ ଓ ଇଂରାଜୀ ଭାଷା ଶିକ୍ଷା ଦିଆଯାଇଥାଏ। ଷ୍ଟାଲିନ କହିଛନ୍ତି ଯେ ହିନ୍ଦୀ ଭାଷା ଶିକ୍ଷାକୁ ଡିଏମ୍‌କେ କେବେହେଲେ ଗ୍ରହଣ କରିବ ନାହିଁ। ହିନ୍ଦୀ ଭାଷା ଶିକ୍ଷାକୁ ବାଧ୍ୟତାମୂଳ କରି କେନ୍ଦ୍ରର ବିଜେପି ସରକାର ଆଉ ଏକ ଭାଷା ଆନ୍ଦୋଳନକୁ କେବେହେଲେ ପ୍ରୋତ୍ସାହନ ଦେବେ ନାହିଁ ବୋଲି ଷ୍ଟାଲିନ କହିଛନ୍ତି। ଚିଠା ଶିକ୍ଷା ନୀତିରେ ସୁପାରିସ କରାଯାଇଥିବା ଗୁରୁକୁଳ ଶିକ୍ଷା ବ୍ୟବସ୍ଥା, ସଂସ୍କୃତ ଭାଷା ଶିକ୍ଷା, ହିନ୍ଦୀ ଭାଷାଭାଷୀ ଅଞ୍ଚଳରୁ ହିନ୍ଦୀ ଶିକ୍ଷକ ନିଯୁକ୍ତ କରିବା ଭଳି ବ୍ୟବସ୍ଥାକୁ ଡିଏମକେ ବିରୋଧ କରିଛି। ଏହା ଅଣହିନ୍ଦୀ ଭାଷାଭାଷୀ ଅଞ୍ଚଳ ଲୋକଙ୍କ ପାଇଁ ବଡ ବିପଦ ବୋଲି ଡିଏମକେ କହିଛି। ତେଣୁ ଚିଠା ଶିକ୍ଷା ନୀତିରେ ଯେଉଁ ତ୍ରିଭାଷା ଶିକ୍ଷାଗ୍ରହଣ ବ୍ୟବସ୍ଥା କରାଯାଇଛି କେନ୍ଦ୍ର ସରକାର ତାକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ଷ୍ଟାଲିନ ଦାବି କରିଛନ୍ତି। ଏହି ନୀତିକୁ ଡିଏମକେର ସଦସ୍ୟମାନେ ସଂସଦରେ ବିରୋଧ କରିବେ ବୋଲି ସେ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ତାମିଲନାଡୁର ଶାସକ ଦଳ ଏଆଇଏଡିଏମ୍‌କେ ସରକାରଙ୍କ ଏହି ନୀତିକୁ ସମର୍ଥନ କରିବା ପରେ ଦୃଢ ବିରୋଧ କରନ୍ତୁ। ମୁଖ୍ୟମନ୍ତ୍ରୀ କେ ପଲାନିସ୍ବାମୀ ଏହାକୁ ବିରୋଧ କରନ୍ତୁ ନଚେତ ଦଳର ନାମରୁ ଆନ୍ନା ଓ ଦ୍ରାବିଡ ଶବ୍ଦ ଉଠାଇ ଦିଅନ୍ତୁ। ଏଆଇଆଡିଏମ୍‌କେର ପୂରା ନାମ ହେଉଛି ଅଲ ଇଣ୍ଡିଆ ଆନ୍ନା ଦ୍ରାବିଡ ମୁନେତ୍ରା କାଝାଗମ।
ତାମିଲନାଡରୁ ରାଜନୈତିକ ଦଳର ଏହି ବିରୋଧ ପରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୟାର ନିଶାଙ୍କ କହିଛନ୍ତି ଯେ କାହାକୁ ଭାଷା ଶିକ୍ଷା ବାଧ୍ୟତାମୂଳକ କରିବା ସରକାରଙ୍କର ଉଦ୍ଦେଶ୍ୟ ନୁହେଁ। କମିଟି ଏହାର ରିପୋର୍ଟ ମନ୍ତ୍ରଣାଳୟକୁ ଦେଇଛି। ଏହା ଉପରେ ଜନମତ ନିଆଯିବ। କମିଟିର ପ୍ରସ୍ତାବକୁ ଏକ ନୀତି ବୋଲି ଧରିନେବା ଜଣଙ୍କର ଭୁଲ୍ ବୁଝାମଣା ବୋଲି କୁହାଯିବ। କୌଣସି ରାଜ୍ୟ ଉପରେ କୌଣସି ଭାଷା ଶିକ୍ଷା ଲାଗୁ କରାଯିବ ନାହିଁ। ପୂର୍ବତନ ମନ୍ତ୍ରୀ ପ୍ରକାଶ ଜବଡେକର ମଧ୍ୟ ଅନୁରୂପ ମତ ଦେଇଛନ୍ତି। ଜାବଡେକର କହିଛନ୍ତି ଯେ ପ୍ରସ୍ତାବ ଉପରେ ଜନମତ ମିଳିବା ପରେ ସରକାର ଏ ବାବଦରେ ନିଷ୍ପତ୍ତି ନେବେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories