ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ କହିଛନ୍ତି, ଭାରତ ପକ୍ଷରୁ ଆମେରିକୀୟ ଦ୍ରବ୍ୟ ଉପରେ ଲାଗୁ କରାଯାଇଥିବା ଅଧିକ ଶୁଳ୍କ ଗ୍ରହଣୀୟ ନୁହେଁ ଏବଂ ଭାରତ ଏହାକୁ କମ କରିବା ଆବଶ୍ୟକ। ଜାପାନର ଓସାକାରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା ପୂର୍ବରୁ, ଡୋନାଲଡ ଟ୍ରମ୍ପ ଏହି ମନ୍ତବ୍ୟ ଦେଇଛନ୍ତି।
ରାଷ୍ଟ୍ରପତି ଟ୍ରମ୍ପ ଗୁରୁବାର ଟ୍ୱିଟ କରି କହିଛନ୍ତି, ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଶୁଳ୍କ ବୃଦ୍ଧି ସମ୍ପର୍କରେ ସାକ୍ଷାତ କରିବାକୁ ଚାହୁଁଛନ୍ତି କାରଣ ଭାରତ ବର୍ଷ ବର୍ଷ ଧରି ଆମେରିକୀୟ ଉତ୍ପାଦ ଉପରେ ଅଧିକ ଶୁଳ୍କ ଲାଗୁ କରୁଛି ଏବଂ ଏବେ ସେହି ଶୁଳ୍କ ଆହୁରି ବୃଦ୍ଧି ପାଇଛି। ଏହା ଗ୍ରହଣୀୟ ନୁହେଁ ଏବଂ ଶୁଳ୍କ ହାର କମ ହେବା ଆବଶ୍ୟକ।
ଜି-୨୦ ଶିଖର ସମ୍ମିଳନୀରେ ଶୁକ୍ରବାର ମୋଦୀ ଓ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପକ୍ଷୀୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ସାଧାରଣ ନିର୍ବାଚନରେ ବିପୁଳ ବିଜୟ ହାସଲ କଲାପରେ ମୋଦୀଙ୍କ ସହ ଟ୍ରମ୍ପଙ୍କ ଏହା ପ୍ରଥମ ବୈଠକ ହେବ। ବୈଠକରେ ଅର୍ଥ ବ୍ୟବସ୍ଥା ଓ ବାଣିଜ୍ୟ ପ୍ରସଙ୍ଗରେ ଆଲୋଚନା ହେବ।



