ପୁରୀ: ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବାମପନ୍ଥୀ ଦଳ ଅଭିଯୋଗ କରିଛନ୍ତି। ବିଜେପି ସରକାର ସମୟରେ ମହିଳାମାନେ ଅସୁରକ୍ଷିତ ହୋଇ ପଡ଼ିଛନ୍ତି। ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କ ଆତ୍ମଦାହ ଓ ବଳଙ୍ଗାରେ ନାବାଳିକାଙ୍କ ଦେହରେ କିରାସିନି ପକାଇ ହତ୍ୟା ଏହାର ଜ୍ୱଳନ୍ତ ଉଦାହରଣ ବୋଲି ବରିଷ୍ଠ ବାମପନ୍ଥୀ ନେତା ପ୍ରଦୀପ୍ତ କୁମାର ମହାନ୍ତି କହିଛନ୍ତି। ଏହାର ପ୍ରତିବାଦ କରି ଆଗାମୀ ୭ ତାରିଖ ବାମପନ୍ଥୀ ଦଳ ପକ୍ଷରୁ ଜିଲାରେ ଆନ୍ଦୋଳନ କରାଯିବ।
ବଳଙ୍ଗା ନାବାଳିକା ମୃତ୍ୟୁର ତଦନ୍ତରେ ପୁଲିସ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଦଳ ଅଭିଯୋଗ କରିଛି। ନିମାପଡ଼ା ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଇସ୍ତଫା ଦେବାକୁ ସିପିଆଇ ଓ ସିପିଆଇଏମ୍ ଦାବି କରିଛନ୍ତି। ମଙ୍ଗଳବାର ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ୭ତାରିଖରେ ଜିଲା ବ୍ୟାପି ପ୍ରତିବାଦ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବାଲେଶ୍ବର ଛାତ୍ରୀ ମୃତ୍ୟୁ ଓ ବଳଙ୍ଗା ନାବାଳିକା ପୋଡ଼ି ଘଟଣାର ନ୍ୟାୟିକ ତଦନ୍ତ, ବାଲେଶ୍ବର ସାଂସଦ ଓ ନିମାପଡ଼ା ବିଧାୟକଙ୍କ ଇସ୍ତଫା, ବାଲେଶ୍ବର ଘଟଣାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସମ୍ପୃକ୍ତି ଥିବାରୁ ଗିରଫ ପାଇଁ ମଧ୍ୟ ଦାବି କରାଯାଇଛି। ପ୍ରସ୍ତୁତି ବୈଠକରେ ଜଗନ୍ନାଥ ଦେଓ, ଶରତ ରାୟଗୁରୁ, ଶ୍ରୀକାନ୍ତ ପରିଜା, ହରିହର ସେନାପତି, ଟୁନା ନାୟକ, ମନୋରଞ୍ଜନ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।



