www.samajalive.in
Friday, December 5, 2025
23.1 C
Bhubaneswar

ଯାଜପୁରରେ ହଇଜା: ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ୍‌

ଯାଜପୁର ସଦର/ଦାନଗଦି : ଯାଜପୁରରେ ଏବେ ଝାଡ଼ାବାନ୍ତି ଲାଗି ରହିଥିବା ବେଳେ ୮ ଜଣ ହଇଜା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲାରୁ ୪୧ ରୋଗୀଙ୍କ ନମୁନା ପରୀକ୍ଷା ପାଇଁ ଯାଇଥିବା ବେଳେ ସେଥିରୁ ୮ଟି ନମୁନା ପଜିଟିଭ ଚିହ୍ନଟ ହୋଇଛି। ବ୍ୟ‌ାସନଗର, ବଡ଼ଚଣା ଓ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ରୋଗୀ ଚିକିତ୍ସିତ ହେଉଥିବା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଅନୂପ କୁମାର ନାଥଶର୍ମା କହିଛନ୍ତି। ଏହି ଖବର ଜଣାପଡ଼ିବା ପରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ ଭୟଭୀତ ନ ହୋଇ ସମସ୍ତେ ସଚେତନ ରହିବାକୁ ଜିଲା ପ୍ରଶାସନ ପରାମର୍ଶ ଦେଇଛି। ଇତି ମଧ୍ୟରେ ଆହୁରି ୨୦୦ ନମୁନା ପରୀକ୍ଷା ପାଇଁ ଯାଇଥିବା ଜଣାଯାଇଛି।
ଏହାସହ ପଡୋଶୀ ଭଦ୍ରକ ପରେ ଏବେ କେନ୍ଦୁଝର ଜିଲା​‌ରେ ମଧ୍ୟ ଝାଡ଼ାବାନ୍ତି ରୋଗ ବ୍ୟାପିବାରେ ଲାଗିଛି। ଶୁକ୍ରବାର ସୁଦ୍ଧା ବେସରକାରୀ ଭାବେ ଯାଜପୁରରେ ୧୨, କେନ୍ଦୁଝରରେ ୨ ଓ ଭଦ୍ରକରେ ଜଣକୁ ମିଶାଇ ମୃତ୍ୟୁସଂଖ୍ୟା ୧୫ରେ ପହଞ୍ଚିଛି। ଯାଜପୁର ଜିଲାରେ ମୋଟ ୬୨୨ ଜଣ ଚିକିତ୍ସାଧୀନଙ୍କ ମଧ୍ୟରୁ କେତେକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅଦ୍ୟାବଧି ଜିଲାର ବିଭିନ୍ନ ଡାକ୍ତରଖାନାରେ ୨୨୬ଜଣ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ୯୧ ଜଣ ଚିକିତ୍ସାଧୀନ ଅଛନ୍ତି। ଜିଲାର ୭ଟି ବ୍ଲକ ଓ ୨ଟି ପୌରାଞ୍ଚଳ ଝାଡ଼ାବାନ୍ତିରେ ପ୍ରଭାବିତ ହୋଇଛି।
ଦାନଗଦି ବ୍ଲକ ତରାଇଲୋ ଗ୍ରାମର ଘନଶ୍ୟାମ ପୃଷ୍ଟି (୭୦) ଝାଡ଼ାବାନ୍ତିରେ ଗୁରୁତର ହୋଇ ଆନନ୍ଦପୁର ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଥିଲେ। ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଛି। କେବଳ ଦାନଗଦିରେ ୪ ଜଣଙ୍କ ମୃତ୍ୟୁ ଘଟିଲାଣି। ଦାନଗଦି ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଦ୍ୟାବଧି ୧୩୦ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି। ଗୁରୁବାର ଠାରୁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୪୦ଜଣ ଏଠାରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୨୭ଜଣ ଚିକିତ୍ସାଧୀନ ରହିଛନ୍ତି।
ସେହିପରି କେନ୍ଦୁଝର ଜିଲା ଘଷିପୁରା ବ୍ଲକ ଅନ୍ତର୍ଗତ ବାତୋ ଗ୍ରାମରେ ଏକ ଦମ୍ପତିଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ଘଟିଥିବାବେଳେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଜଳହରି ଗ୍ରାମର ଗୋଲକ କବି (୬୪)ଙ୍କ ମୃତ୍ୟୁ ଘଟିଛି। ବିରୋଳି ଗ୍ରାମର ତିଖିଲିଆ ଓ ଦାଣ୍ଡକୁଳ ପଡ଼ା ଗ୍ରାମରେ ଝାଡ଼ାବାନ୍ତିରେ ଆକ୍ରାନ୍ତମାନଙ୍କ ସ୍ଥିତିରେ ସୁଧାର ଆସୁଥିବା ବେଳେ ପାଖ ଅଞ୍ଚଳରେ କେତେକ ଆକ୍ରାନ୍ତ ହୋଇଛନ୍ତି। ଯାଜପୁର ଡାକ୍ତରଖାନାରେ ୧୩ ଜଣ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ଗୁରୁବାର ଜିଲାର ଏକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଦଳ ଏହି ଅଞ୍ଚଳ ଗସ୍ତ କରିଥିବା ବେଳେ ଶୁକ୍ରବାର ସ୍ଥାନୀୟ ବିଧାୟକ ସଞ୍ଜୀବ ମଲ୍ଲିକ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସହ ଉକ୍ତ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ପରେ ଭଦ୍ରକ ଜିଲାପାଳଙ୍କ ସହ ଆଲୋଚନା କରିଥିବା ଖବର ମିଳିଛି।
ଯାଜପୁର ଜିଲାରେ ଝାଡ଼ାବାନ୍ତି ସ୍ଥିତି ସାମାନ୍ୟ ସୁଧୁରିଥିଲେ ବି ବିପଦ ଟଳିନି। ଶୁକ୍ରବାର ପାନୀୟ ଜଳ ଓ ପଞ୍ଚାୟତିରାଜ ସଚିବ ଗିରୀଶ ଏସ୍‌‌ଏନ୍‌‌ ପାନୀୟ ଜଳ ନିର୍ଦ୍ଦେଶକ ଭିନୀତ ଭରଦ୍ୱାଜ, ଆରଡବ୍ଲ୍ୟୁଏସଏସ ମୁଖ୍ୟ ଯନ୍ତ୍ରୀ ବଳରାମ ମିଶ୍ର ସ୍ଥିତି ଅନୁଧ୍ୟାନ କରିବା ସହ ଜିଲା ପ୍ରଶାସନ ସହିତ ଆଲୋଚନା କରିଥିଲେ। ଜିଲାପାଳ ପି. ଅନ୍ୱେଷା ରେଡ୍ଡୀ ଆଭାସି ମାଧ୍ୟମରେ ଉଚ୍ଚ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ଛୁଟି ବାତିଲ୍‌ କରିଛନ୍ତି। ଦୂଷିତ ପାଣି ଓ ଭୋଜି ଝାଡ଼ାବାନ୍ତିର କାରଣ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି। ଅପରପକ୍ଷରେ କେନ୍ଦ୍ରୀୟ ଦଳ ଦୁଇଦିନ ହେବ ବିଭିନ୍ନ ପରୀକ୍ଷା ନିରୀକ୍ଷା ଜାରି ରଖିଛନ୍ତି।
ଜିଲାପାଳ ପି. ଅନ୍ୱେଷା ରେଡ୍ଡୀ ଉଚ୍ଚ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହିତ ନଳକୂପ, କୂପ, ପୁଷ୍କରିଣୀ ଓ ଅନ୍ୟାନ୍ୟ ଜଳ ଉତ୍ସ ବିଶୋଧନ କରିବା ପାଇଁ ପରାମର୍ଶ ଦେଇଥିଲେ। ସମସ୍ତ ପାଣି ଟାଙ୍କିକୁ ବିଶୋଧନ କରିବା ସହ ୪/୫ଟି ପଞ୍ଚାୟତକୁ ନେଇ ଜଣେ ନୋଡାଲ ଅଫିସର ରହିବା ପାଇଁ ପରାମର୍ଶ ଦେଇଛନ୍ତି। ବାସି ଖାଦ୍ୟ ବାରଣ ଉପରେ ଗୁରୁତ୍ୱ ଦେବା ସହ ଏହାକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଅତିରିକ୍ତ ଜିଲାପାଳ (ରାଜସ୍ୱ) ଶିବାନନ୍ଦ ସ୍ୱାଇଁ, ଅତିରିକ୍ତ ଜିଲାପାଳ (ସାଧାରଣ) ଯୁଧିଷ୍ଠିର ନାୟକ, କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସପନ କୁମାର ନନ୍ଦ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ବେଉରିଆ, ଉପଜିଲାପାଳ ତାପସ ରଞ୍ଜନ ଦେହୁରୀ, ଆରଡବ୍ଲ୍ୟୁଏସ୍‌‌ଏସ୍‌‌ ଅଧୀକ୍ଷଣ ଯନ୍ତ୍ରୀ, ସିଡିଏମଓ ଡା. ବିଜୟ କୁମାର ମିଶ୍ର, ଜିଲାର ସମସ୍ତ ବିଡିଓ, ତହସିଲଦାର ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଡାକ୍ତରୀ ଦଳ, ଜିଲାର ପଦାଧିକାରୀ ବିଭିନ୍ନ ଅଞ୍ଚଳ ଗସ୍ତ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories