ଓଡିଶାର ୩ ମନ୍ତ୍ରୀଙ୍କୁ ଦାୟିତ୍ୱ : ଜାଣନ୍ତୁ କାହାକୁ କେଉଁ ବିଭାଗ ମିଳିଲା…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ତୃତୀୟ ପାଳି ସରକାରରେ ଶପଥ ନେଇଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇଛି। ବିଭାଗ ବଣ୍ଟନ ଅନୁଯାୟୀ ପ୍ରଧାନମନ୍ତ୍ରୀ ନିଜ ପାଖରେ କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ପ୍ରଶାସନ ସହିତ ଆଣବିକ ଶକ୍ତି ଓ ମହାକାଶ ବିଭାଗ ରଖିଛନ୍ତି। ସମସ୍ତ ଗୁରୁତ୍ବପୂର୍ଣ୍ଣ ନୀତିଗତ ପ୍ରସଙ୍ଗ ଓ ବଣ୍ଟନ ହୋଇନଥିବା ଅନ୍ୟାନ୍ୟ ବିଭାଗ ପ୍ରଧାନମନ୍ତ୍ରୀ ନିଜ ହାତରେ ରଖିଛନ୍ତି। ସୂଚନାଯୋଗ୍ୟ ଯେ ବିଭାଗ ବଣ୍ଟନ ପ୍ରାୟ ବିଳମ୍ବିତ ହୋଇଥିବାବେଳେ ଆଉ ୯ଟି ମନ୍ତ୍ରିପଦ ପୂରଣ ହୋଇନାହିଁ। ରାଜନାଥ ସିଂହ, ଅମିତ ଶାହା, ନିର୍ମଳା ସୀତାରମଣ, ଏସ୍ ଜୟଶଙ୍କରଙ୍କ ବିଭାଗରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ରାଜନାଥକୁ ପ୍ରତିରକ୍ଷା ଓ ଶାହାଙ୍କୁ ସ୍ବରାଷ୍ଟ୍ର, କୋଅପରେସନ (ସମନ୍ବୟ) ବିଭାଗ ମିଳିଛି। ନୀତିନ ଗଡକରୀଙ୍କୁ ସଡକ ପରିବହନ ଓ ରାଜପଥ ସହିତ ସାର ଓ ରସାୟନ ବିଭାଗ ମିଳିଛି। ଜେପି ନଡ୍ଡାଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଶିବରାଜ ସିଂହ ଚୌହ୍ବାନଙ୍କୁ କୃଷି ଓ କୃଷକ କଲ୍ୟାଣ ସହିତ ଗ୍ରାମ୍ୟ ଉନ୍ନୟନ, ନିର୍ମଳା ସୀତାରମଣଙ୍କୁ ଅର୍ଥ ଓ କର୍ପୋରେଟ ବ୍ୟାପାର, ଜୟଶଙ୍କରଙ୍କୁ ବୈଦେଶିକ ବ୍ୟାପାର ବିଭାଗ ମିଳିଛି। ଓଡ଼ିଶାରୁ ମନ୍ତ୍ରୀ ହୋଇଥିବା ତିନି ନେତାଙ୍କୁ ମୋଟ ୫ଟି ମନ୍ତ୍ରଣାଳୟ ମିଳିଛି। ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା, ଅଶ୍ବିନୀ ବୈଷ୍ଣବଙ୍କୁ ରେଳବାଇ ସହିତ ସୂଚନା ଓ ପ୍ରସାରଣ, ଇଲେ‌େକ୍ଟ୍ରାନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ମିଳିଛି। ଜୁଏଲ ଓରାମଙ୍କୁ ଆଦିବାସୀ ବ୍ୟାପାର ବିଭାଗ ମିଳିଛି। ତେବେ ଗତ ସରକାରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ଶିକ୍ଷା ସହିତ ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ରହିଥିବାବେଳେ ଏଥର ଏହି ଦୁଇ ବିଭାଗକୁ ବାଦ୍‌ ଦିଆଯାଇ କେବଳ ଶିକ୍ଷା ବିଭାଗ ମିଳିଛି। ସେହିପରି ଅଶ୍ବିନୀ ବୈଷ୍ଣବଙ୍କ ପାଖରେ ପୂର୍ବରୁ ରେଳବାଇ ସହିତ ଯୋଗାଯୋଗ, ଇଲେ‌େକ୍ଟ୍ରାନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ରହିଥିଲା। ଏଥର ତାଙ୍କ ଯୋଗାଯୋଗ ବିଭାଗ ବାଦ୍ ଦିଆଯାଇ ସୂଚନା ଓ ପ୍ରସାରଣ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ଦିଆଯାଇଛି। କାମାକ୍ଷା ପ୍ରସାଦ ସିଂହଦେଓଙ୍କ ପରେ ସୂଚନା ଓ ପ୍ରସାରଣ ଦାୟିତ୍ବ ପାଇବାରେ ବୈଷ୍ଣବ ଓଡ଼ିଶାର ଦ୍ବିତୀୟ ସାଂସଦ। ଜୁଏଲ ଓରାମଙ୍କ ବିଭାଗରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ମୋଦୀଙ୍କ ତୃତୀୟ ପାଳି ସରକାରରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ୩୦ଜଣ କ୍ୟାବିନେଟ ମନ୍ତ୍ରୀ, ୫ ସ୍ବାଧୀନ ରାଷ୍ଟ୍ରମନ୍ତ୍ରୀ ଓ ୩୬ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ମନ୍ତ୍ରିମଣ୍ଡଳ ସଦସ୍ୟଙ୍କ ମଧ୍ୟରେ ବିଭାଗ ବଣ୍ଟନ କାର୍ଯ୍ୟ ସବୁଠାରୁ ବିଳମ୍ବିତ ହୋଇଛି। ମନ୍ତ୍ରୀମାନଙ୍କ ଶପଥ ଗ୍ରହଣର ପ୍ରାୟ ୨୪ ଘଣ୍ଟା ପରେ ବିଭାଗ ବଣ୍ଟନ ହୋଇଛି। ଜୁନ୍ ୯ ସନ୍ଧ୍ୟା ୭ଟା ୧୫ରେ ମୋଦୀଙ୍କ ତୃତୀୟ ପାଳି ସରକାରର ଶପଥ ଗ୍ରହଣ ଆରମ୍ଭ ହୋଇଥିଲା। ମନ୍ତ୍ରୀମାନଙ୍କ ବିଭାଗ ବଣ୍ଟନ ତାଲିକା ପିଆଇବି ପକ୍ଷରୁ ଜୁନ୍ ୧୦ ତାରିଖ ସନ୍ଧ୍ୟା ୭ଟା ୩୭ରେ ଜାରି ହୋଇଥିଲା। ଏହା ପୂର୍ବରୁ ୨୦୧୯ରେ ମୋଦୀଙ୍କ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣର ୧୭ଘଣ୍ଟା ୫୯ମିନିଟ୍‌ରେ ବିଭାଗ ବଣ୍ଟନ ହୋଇଥିଲା। ୨୦୧୯ ମେ ୩୦ ସନ୍ଧ୍ୟା ୭ଟାରେ ମୋଦୀଙ୍କ ଶପଥ ଗ୍ରହଣ ଆରମ୍ଭ ହୋଇଥିଲା ମେ ୩୧ ତାରିଖ ଅପରାହ୍ଣ ୧ଟାରେ ପିଆଇବି ମନ୍ତ୍ରୀଙ୍କ ବିଭାଗ ବଣ୍ଟନ ତାଲିକା ଜାରି କରିଥିଲା। ସେହିପରି ୨୦୧୪ରେ ମୋଦୀଙ୍କ ଶପଥ ଗ୍ରହଣର ୧୫ ଘଣ୍ଟା ୩୧ ମିନିଟ୍‌ରେ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ ହୋଇଥିଲା। ୨୦୧୪ ମେ ୨୬ ସନ୍ଧ୍ୟା ୬ଟାରେ ମୋଦୀ ଶପଥ ନେଇଥିଲେ।

Comments are closed.