www.samajalive.in
Saturday, December 13, 2025
17.1 C
Bhubaneswar

କାର୍ଯ୍ୟ କରୁଛନ୍ତି ଜାଲ ନିଯୁକ୍ତି ପତ୍ରଧାରୀ ଅଯୋଗ୍ୟ ଶିକ୍ଷକ, କାର୍ଯ୍ୟାନୁଷ୍ଠାନ ପାଇଁ ଦୁର୍ନୀତି ନିବାରଣ ନିର୍ଦେଶାଳୟରେ ଅଭିଯୋଗ

ଧମା/ମାନେଶ୍ୱର: ଅବିଭକ୍ତ ସମ୍ବଲପୁର ଜିଲାରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଜାଲ ନିଯୁକ୍ତି ପତ୍ରଧାରୀ ଅଯୋଗ୍ୟ ଶିକ୍ଷକମାନେ କାର୍ୟ୍ୟରତ ଥିବା ସୂଚନା ଅଧିକାରୀ କର୍ମୀ ନିରଞ୍ଜନ ବଡ଼ପଣ୍ଡା ଅଭିଯୋଗ କରିଛନ୍ତି। ଏନେଇ କର୍ତ୍ତୃପକ୍ଷ ଜାଣିଶୁଣି ଚୁପ ରହିଛି। ଏହାର ସବିଶେଷ ତଦନ୍ତ ଓ ଆଇନ ଅନୁଯାୟୀ ବିହିତ କାର୍ଯ୍ୟନୁଷ୍ଠାନ ପାଇଁ ଶ୍ରୀ ବଡ଼ପଣ୍ଡା ଦୁର୍ନୀତି ନିବାରଣ ନିର୍ଦେଶାଳୟ, ଓଡ଼ିଶାଙ୍କ ନିକଟରେ ଅଭିଯୋଗ ପତ୍ର ଦାଖଲ କରିଥିବା କହିଛନ୍ତି।
୧୯୯୬ ମସିହାରେ ତତ୍‌କାଳୀନ ନିୟମ ଅନୁଯାୟୀ କୌଣସି ପ୍ରାଥମିକ ଶିକ୍ଷକଙ୍କୁ ସ୍କୁଲ ନିରୀକ୍ଷକ(ସର୍କଲ ଇନ୍ସପେକ୍ଟର ବା ସିଆଇ) ସିଧାସଳଖ ତାଙ୍କ ଦସ୍ତଖତ ଥିବା ନିଯୁକ୍ତି ପତ୍ର ଜରିଆରେ ନିଯୁକ୍ତି ଦେଇପାରିବ ନାହଁ। ପ୍ରାଥମିକ ଶିକ୍ଷକମାନଙ୍କୁ କେବଳ ଶିକ୍ଷା ଜିଲା ନିରୀକ୍ଷକ (ଡିଆଇ)ହିଁ ନିଯୁକ୍ତି ପ୍ରଦାନ କରିପାରିବେ। ପ୍ରାଥମିକ ଶିକ୍ଷକଙ୍କ ପାଇଁ ମାଟ୍ରିକ ସହିତ ସିଟି ଯୋଗ୍ୟତା ନିହାତି ଆବଶ୍ୟକ। ସେତେବେଳର ନିୟମାନୁଯାୟୀ ଯଦି କୌଣସି ପ୍ରାର୍ଥୀଙ୍କର ମାଟ୍ରିକ ଓ ସିଟି ଯୋଗ୍ୟତା ନଥାଇ ଉଚ୍ଚ ଯୋଗ୍ୟତା ଯେପରିକି ସ୍ନାତକୋତ୍ତର ଡିଗ୍ରୀ ଥାଏ ତାହାହେଲେ ସେମାନଙ୍କ ପ୍ରାର୍ଥୀତ୍ୱଙ୍କୁ ନାକଚ କରାଯିବ। ୧୯୯୬ରୁ ୧୯୯୯ ମସିହା ମଧ୍ୟରେ ନିଯୁକ୍ତି ପାଇଥିବା କେତେକ ଶିକ୍ଷକଙ୍କ ସିଆଇଙ୍କ ଦ୍ବାରା ନିଯୁକ୍ତି ପତ୍ର ପ୍ରଦାନ ଓ ଶିକ୍ଷାଗତ ଯୋଗ୍ୟତା ଉପରୋକ୍ତ ନିୟମକୁ ବ୍ୟତିକ୍ରମ କରୁଥିବାର ଜଣାପଡିବାରୁ ସେମାନଙ୍କୁ ଚାକିରୀରୁ ବହିଷ୍କୃତ କରାଗଲା ଓ କେତେକ ଶିକ୍ଷକଙ୍କ ନିଯୁକ୍ତି ପତ୍ର ଜାଲ ବୋଲି ମଧ୍ୟ ଜଣାପଡିଲା।
ଦୀର୍ଘ ୨୧ ବର୍ଷ ଧରି ଏପରି ଜାଲ ନିଯୁକ୍ତି ପତ୍ରରେ ଚାକିରୀ କରୁଥିବା ଶିକ୍ଷକମାନଙ୍କ ବିରୋଧରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗୀୟ କର୍ତ୍ତୃପକ୍ଷ ମଧ୍ୟ କୌଣସି କାର୍ୟ୍ୟାନୁଷ୍ଠାନ ନେଇନାହାନ୍ତି। ଅବିଭକ୍ତ ସମ୍ବଲପୁର ଜିଲାର ବରଗଡ଼, ସମ୍ବଲପୁର, ଦେବଗଡ଼ ଓ ଝାରସୁଗୁଡ଼ା ଜିଲାରେ ଏହି ଶିକ୍ଷକମାନଙ୍କ ସଂଖ୍ୟା ଯଥେଷ୍ଟ ରହିଛି। ମାନେଶ୍ୱର ଶିକ୍ଷା ବ୍ଳକ ୧୦ ଜଣ, ବରଗଡ଼ ଜିଲାରେ ୪ଟି ସ୍କୁଲରୁ ୧୨ ଜଣ, ବରଗଡ ଗାଇସିଲେଟ ବ୍ଳକର ୫ ଜଣ, ସମ୍ବଲପୁର ଜିଲା ଯୁଯୋମୁରା ବ୍ଳକର ୫ ଜଣ, ଝାରସୁଗୁଡ଼ା ଶିକ୍ଷା ବ୍ଳକର ୧୦ ଜଣ ଏହିପରି ସର୍ବମୋଟ ୪୨ ଜଣ ଶିକ୍ଷକ ଏହିଭଳି ବେନିୟମ ନିଯୁକ୍ତିରେ କାର୍ଯ୍ୟରତ ଥିବା ଆରଟିଆଇ କର୍ମୀ ଶ୍ରୀ ବଡ଼ପଣ୍ଡା ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, କେତେକ ଶିକ୍ଷକଶିକ୍ଷୟିତ୍ରୀଙ୍କ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବାବେଳେ ସେମାନଙ୍କର ସିଟି ଯୋଗ୍ୟତା ନଥାଇ ପ୍ରାଥମିକ ଶିକ୍ଷକରୂପେ ୧୯୯୬-୧୯୯୯ ମଧ୍ୟରେ କାର୍ଯ୍ୟରେ ଯୋଗ ଦେଇଥିଲେ। ନିୟମାନୁଯାୟୀ ଏମାନଙ୍କର ଚାକିରୀ ବେଆଇନ ଅଟେ। ସେମାନେ ପୁଣି ଶିକ୍ଷା ମଣ୍ଡଳ ନିରୀକ୍ଷକ(ସିଆଇ)ଙ୍କ ଦସ୍ତଖତ ଥିବା ନିଯୁକ୍ତି ପତ୍ର ଜରିଆରେ ଯୋଗଦାନ କରିଥିଲେ। ଏହା ମଧ୍ୟ ବେଆଇନ ବୋଲି ସେ ଅଭିଯୋଗ କରିଛନ୍ତି।
ଆରଟିଆଇ କର୍ମୀଙ୍କ ଅଭିଯୋଗ ଅନୁଯାୟୀ, ଏପରି ଯୋଗଦେଇଥିବା ଶିକ୍ଷକଶିକ୍ଷୟିତ୍ରୀମାନେ କୌଶଳକ୍ରମେ ତତ୍‌କାଳୀନ ଶିକ୍ଷା ଜିଲା ନିରୀକ୍ଷକଙ୍କ ସହାୟତାରେ ହାଇସ୍କୁଲମାନଙ୍କୁ ବଦଳି ହୋଇଥିଲେ ଓ ତାଙ୍କ ଉଚ୍ଚଶିକ୍ଷା ଯୋଗ୍ୟତାକୁ ଅଧାରକରି ବର୍ତ୍ତମାନ ହାଇସ୍କୁଲ ତଥା ଶିକ୍ଷା କାର୍ୟ୍ୟାଳୟମାନଙ୍କରେ ଅବସ୍ଥାପିତ ହୋଇ ପଦୋନ୍ନତି ପାଇବା ସହିତ ଟିଜିଟି ସ୍କେଲରେ ଦରମା ପାଉଛନ୍ତି। ଏମାନଙ୍କ ନାମ ବର୍ତ୍ତମାନ ପ୍ରାଥମିକ ଶିକ୍ଷକମାନଙ୍କ ତାଲିକାରେ ନାହିଁ ଓ ସେମାନେ ବର୍ତ୍ତମାନ ହାଇସ୍କୁଲ ଶିକ୍ଷକ ବୋଲି ସେ କହିଛନ୍ତି। ଏହି ବେନିୟମ ନିଯୁକ୍ତି ପତ୍ରଧାରୀ ଅଯୋଗ୍ୟ ଶିକ୍ଷକମାନଙ୍କ ଦରମା ବାବଦକୁ ଦୀର୍ଘ ୨୧ ବର୍ଷ ମଧ୍ୟରେ କୋଟି କୋଟି ଟଙ୍କା ସରକାରୀ ବିଲକୁ କ୍ଷତି ସହିବାକୁ ପଡୁଛି। ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଅବିଭକ୍ତ ସମ୍ବଲପୁର ଜିଲାରେ ଉପରୋକ୍ତ ଦୁଇଟି ନିୟମ ଉଲ୍ଲଙ୍ଘନ କରି ନିଯୁକ୍ତି ପାଇଥିବା ପ୍ରାଥମିକ ଶିକ୍ଷକ ମାନଙ୍କ ବିରୋଧରେ ଏବଂ ଏହି ଶିକ୍ଷକ ମାନଙ୍କୁ ଘଣ୍ଟ ଘୋଡ଼ାଉଥିବା କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ତଦନ୍ତ ଓ କାର୍ୟ୍ୟାନୁଷ୍ଠାନ ପାଇଁ ଦୁର୍ନୀତି ନିବାରଣ ନିର୍ଦେଶାଳୟଙ୍କ ନିକଟରେ ଅଭିଯୋଗ ପତ୍ର ଦାଖଲ କରିଥିବା ଅଭିଯୋଗକାରୀ ଶ୍ରୀ ବଡ଼ପଣ୍ଡା କହିଛନ୍ତି। ସମ୍ବଲପୁର ଜିଲା ଶିକ୍ଷାଧିକାରୀ ମୀନାରାଣୀ ମଙ୍ଗଲଙ୍କୁ ଯୋଗାଯୋଗ କରିବାରୁ ଏଭଳି ନିଯୁକ୍ତି ବିଷୟରେ ଜାଣି ନଥିବା ଓ ଏନେଇ ଅନୁସନ୍ଧାନ କରିବେ ବୋଲି କହିଛନ୍ତି।
ସୂଚନାଯୋଗ୍ୟ ଯେ, ୧୯୯୬-୯୯ ମସିହା ସମୟରେ ଥିବା ପ୍ରାଥମିକ ଶିକ୍ଷକ ନିଯୁକ୍ତି ନିୟମ ପରବର୍ତ୍ତୀ ସମୟରେ ପରିବର୍ତ୍ତନ ହୋଇଛି। ୧୯୯୯ ମସିହାରେ ନିୟମିତ ପ୍ରାଥମିକ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ବନ୍ଦ ହେଲାପରେ ୨୦୦୧ ମସିହାରୁ ପ୍ରାଥମିକ ଶିକ୍ଷକ ପଦରେ ସ୍ବେଚ୍ଛାସେବୀ ଶିକ୍ଷା ସହାୟକ (ଏସଏସଏସ) ନିଯୁକ୍ତି କରିବା ପ୍ରାବଧାନ ହେଲା। ଏଥିରେ ସିଟି ଯୋଗ୍ୟତା ଓ ବିଇଡ଼ି ଯୋଗ୍ୟତାସମ୍ପନ୍ନ ପ୍ରାର୍ଥୀଙ୍କ ଭାଗ ୭୦:୩୦ ଥିବା କୁହାଯାଉଛି। ଯେଉଁମାନେ ନିଯୁକ୍ତିର ୬ ବର୍ଷ ପରେ ନିୟମିତ ପ୍ରାଥମିକ ଶିକ୍ଷକ ରୂପେ ପରିଗଣିତ ହେଉଛନ୍ତି। ଏପରିକି ଏସଏସଏସ ଯୋଗ୍ୟ ପ୍ରାର୍ଥୀ ନମିଳିଲେ ବିଇଡ଼ି ଯୋଗ୍ୟତା ବିଶିଷ୍ଟ ପ୍ରାର୍ଥୀଙ୍କୁ ନେବା ଏବଂ ଏସସି/ଏସଟି ପ୍ରାର୍ଥୀ କ୍ଷେତ୍ରରେ କାର୍ଯ୍ୟରେ ଯୋଗଦାନ କରି ପରେ ସିଟି ତାଲିମ ନେଇ ପାରିବା ଭଳି ନିୟମ ରହିଥିଲା। ବର୍ତ୍ତମାନ ୨୦୨୦ରେ କୌଣସି ବର୍ଗରେ ଅଣତାଲିମପ୍ରାପ୍ତ ଶିକ୍ଷକ ନିଯୁକ୍ତର ପ୍ରାବଧାନ ନାହିଁ। ଗତ ୨୦ ବର୍ଷ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବହୁ ସମୟରେ ନିୟମରେ ପରିବର୍ତ୍ତନ ହୋଇଥିବା ଶିକ୍ଷାବିତ୍‌ମାନେ ପ୍ରକାଶ କରିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories