ଭୁବନେଶ୍ୱର : ଭୁବନେଶ୍ୱର ଦେବରାୟ ନୟାପଲ୍ଲୀ ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ‘ନୂଆ-ଓ’ଯୋଜନା ଆନୁକୂଲ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ସାମାଜିକ ସମସ୍ୟା ଆଧାରିତ ତଥା ଶିକ୍ଷଣୀୟ ନାଟକ ଗୁଡ଼ିକ ଉଭୟ +୨ ଓ +୩ ଶ୍ରେଣୀର ଛାତ୍ରଛାତ୍ରୀମାନେ ମଞ୍ଚସ୍ଥ କରାଇଥିଲେ । +୨ ଶ୍ରେଣୀର ଛାତ୍ରଛାତ୍ରୀମାନେ ଶିଶୁ ଶ୍ରମିକ, ମହିଳା ସଶକ୍ତିକରଣ ଏବଂ +୩ ଶ୍ରେଣୀର ଛାତ୍ରଛାତ୍ରୀମାନେ ଚାଷୀ ଆତ୍ମହତ୍ୟା ଓ ଆଗାମୀ ପିଢୀର ପିତାମାତା ପ୍ରଭୃତି ବିଷୟବସ୍ତୁ ଉପରେ ଅଭିନୟ କରି ନିଜର ପ୍ରତିଭା ପ୍ରଦର୍ଶନ କରାଇଥିଲେ । ପୁନଶ୍ଚ ଉଭୟ ଶ୍ରେଣୀର ଛାତ୍ରଛାତ୍ରୀମାନେ ‘ଫ୍ୟାସନ୍ ସୋ’ ପ୍ରତିଯୋଗିତାରେ ଭାଗନେଇ ନିଜର ଉଚ୍ଚକୋଟୀର ପ୍ରତିଭା ଦେଖାଇଥିଲେ ।
ପ୍ରତିଯୋଗିତାଙ୍କ ମଧ୍ୟରେ ବହୁ ଉତ୍ସାହ ଏବଂ ଆଗ୍ରହ ଦେଖାଦେଇଥିଲା । ପ୍ରତିଯୋଗୀମାନେ ବିଭିନ୍ନ ଅଳଙ୍କାର ଓ ଭୂଷଣରେ ମଣ୍ଡିତ ହୋଇ ନିଜ ନିଜର ପ୍ରତିଭାର କୌଶଳ ଦେଖାଇଥିଲେ । ବାଦ୍ୟଯନ୍ତ୍ରର ତାଳେ ତାଳେ ନୃତ୍ୟର ଗୁଞ୍ଜରଣରେ ସମସ୍ତେ ଆମୋଦିତ ହୋଇଥିଲେ । ଏହି ପ୍ରତିଯୋଗିତାକୁ ଦର୍ଶନ ବିଭାଗର ଅଧ୍ୟାପିକା ତାରାନୁନ୍ ଯାହାନ୍, ଛାତ୍ର ମନୋଜ ସାହୁ ଏବଂ ରୁଦ୍ର ନାରାୟଣ ସାମଲ ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରାଇଥିଲେ । ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଅଧ୍ୟାପକ/ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।



