ଇନ୍ଦୋର : ସ୍ଥାନୀୟ ବେଲେଶ୍ବର ମହାଦେବ ଝୁଲେଲାଲ ମନ୍ଦିରରେ ରାମନବମୀ ପୂଜା ଚାଲିଥିବା ବେଳେ ଅଘଟଣରେ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି। ମନ୍ଦିର ପରିସରରେ ଥିବା ଏକ ଭୂତଳ କୂଅ ଉପରେ ଥିବା ଚଟାଣ ଭୁଶୁଡ଼ି ପଡ଼ିବାରୁ ଏହି ଅଘଟଣ ଘଟିଥିଲା। ଶୁକ୍ରବାର କୂଅରୁ ଆଉ୨୧ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ପାଣିରେ ବୁଡ଼ି ଗୁରୁବାର ୧୪ଜଣଙ୍କ ଜୀବନ ଯାଇଥିଲା । ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କୂଅ ଉପରେ ଥିବା ଚଟାଣ ଉପରେ ଛିଡ଼ା ହୋଇ ସଂଖ୍ୟାଧିକ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରୁଥିବା ବେଳେ ଚଟାଣ ଭୁଶୁଡ଼ି ପଡ଼ିଥିଲା। କୂଅରେ ପ୍ରାୟ ୪୦ଜଣ ଗଳିପଡ଼ିଥିବା ଜଣାଯାଇଛି।
ମନ୍ଦିରରେ ପୂଜା ଚାଲିଥିବା ବେଳେ ବହୁସଂଖ୍ୟକ ଲୋକେ ଏକସଙ୍ଗେ କୂଅ ଉପରେ ପଡ଼ିଥିବା ଚଟାଣ ଉପରେ ଛିଡ଼ା ହୋଇଥିଲେ। ବହୁ ଲୋକଙ୍କ ଓଜନ ସମ୍ଭାଳି ନ ପାରି ଚଟାଣଟି ଭାଙ୍ଗି ପଡ଼ିବାରୁ ଲୋକମାନେ କୂଅ ମଧ୍ୟକୁ ଗଳି ପଡ଼ିଥିଲେ। କୂଅଟି ୫୦ରୁ ୬୦ ଫୁଟ ଗଭୀର ହୋଇଥିବା ବେଳେ ସେଥିରେ ପାଣି ଭର୍ତ୍ତି ହୋଇ ରହିଥିଲା। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଦଉଦି ଓ ଶିଡି ସାହାଯ୍ୟରେ କୂଅରୁ ଲୋକଙ୍କୁ ଉଦ୍ଧାର କରୁଛନ୍ତି । ୨୦ରୁ ଊର୍ଦ୍ଧ୍ବ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।
ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖପ୍ରକାଶ କରିବା ସହ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ବାନଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। ସେହିପରି ଶିବରାଜ ଚୌହ୍ବାନ ଏହି ଘଟଣାରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୫ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।



