ପାତ୍ରପୁର : ଜମିରେ ଚାଷ କରୁଥିବା ବେଳେ ପୋତି ହୋଇ ଅଟକି ରହିଥିବା ଏକ ଟ୍ରାକ୍ଟରକୁ ବାହାର କରିବା ବେଳେ ଚାପି ହୋଇ ଜଣେ ଯୁବକର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ପାତ୍ରପୁର ବ୍ଳକ ଜରଡା ଗ୍ରାମର ଦେବାଶିଷ ପାଢି(ବୁବୁ) ।
ସୂଚନା ଅନୁଯାୟୀ, ଦେବାଶିଷ ନିଜ ଟ୍ରାକ୍ଟର ଜଣେ ବ୍ୟକ୍ତିଙ୍କ ଧାନବିଲ ଚାଷ କରିବା ପାଇଁ ନିଳାମ୍ବର ପଲ୍ଲୀ ପାହାଡ଼କୁ ପଠାଇଥିଲେ । ତେବେ ମଧ୍ୟାହ୍ନ ସମୟରେ ଟ୍ରାକ୍ଟର ଡ୍ରାଇଭର ପାଇଁ ଦେବାଶିଷ ଖାଇବା ଧରି ଯାଇଥିଲେ। ଏହି ସମୟରେ ଟ୍ରାକ୍ଟରଟି କାଦୁଅରେ ପୋତି ହୋଇ ରହିଥିଲା। ଟ୍ରାକ୍ଟର ଚାଳକ ଗାଡିଟିକୁ କାଦୁଅରୁ ବାହାର କରିବାକୁ ଉଦ୍ୟମ କରିବା ସହ ଚକା ତଳେ କାଠ ଦେବାକୁ କହିଥିଲେ। ତେବେ କାଠ ଦେବା ପରେ ମଧ୍ୟ ଟ୍ରାକ୍ଟରଟି କାଦୁଅରୁ ବାହାରି ପାରି ନ ଥିଲା। ଏହା ଦେଖି ଦେବାଶିଷ ନିଜେ ଗାଡିଟିକୁ କାଦୁଅରୁ ବାହାର କରିବା ଉଦ୍ୟମ କରୁଥିବା ବେଳେ ଦେବାଶିଷଙ୍କ ଉପରେ ଗାଡିଟି ଓଲଟି ପଡିଥିଲା। ଫଳରେ ଘଟଣା ସ୍ଥଳରେ ଦେବାଶିଷଙ୍କ ମୃତ୍ୟୁ ହୋଇଥିଲା। ଏନେଇ ଜରଡା ପୁଲିସକୁ ଜଣାଇବା ପରେ ପୁଲିସ ଘଟଣା ସ୍ଥଳରେ ପହଂଚି ଏକ ଅପ ମୃତୁ ମାମଲା ରୁଜୁ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି।



