ଟିକସଦାତାମାନଙ୍କୁ ଆୟକର ଟିକସ ରିଟର୍ଣ୍ଣ ଦାଖଲ କରିବା ପାଇଁ ଅଧିକ ସମୟ ଦେବା ଲକ୍ଷ୍ୟରେ ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ ସମୟସୀମାକୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି। ପୂର୍ବରୁ ଏଥିପାଇଁ ନଭେମ୍ବର ୩୦ତାରିଖ ଶେଷ ଦିନ ଥିଲା। ଅର୍ଥ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି, ଯେଉଁ ଟିକସଦାତାମାନଙ୍କର ଆକାଉଣ୍ଟ ଅଡିଟ୍ କରାଯିବାକୁ ଆବଶ୍ୟକ ପଡ଼ୁଛି ସେମାନଙ୍କ ପାଇଁ ଆୟକର ରିଟର୍ଣ୍ଣ ଦାଖଲର ସମୟସୀମା ଆସନ୍ତାବର୍ଷ ଜାନୁଆରୀ ମାସ ୩୧ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ଯେଉଁ ଟିକସଦାତାମାନେ ଆନ୍ତର୍ଜାତିକ ଓ କିଛି ନିର୍ଦ୍ଦିଷ୍ଟ ଧରଣର ଦେଶୀୟ କାରବାର ସହ ସମ୍ପୃକ୍ତ ସେମାନଙ୍କ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାର ସମୟସୀମାକୁ ମଧ୍ୟ ଆସନ୍ତାବର୍ଷ ଜାନୁଆରୀ ମାସ ୩୧ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି।
ଟିକସ ଅଡିଟ୍ ରିପୋର୍ଟ ଓ ଆନ୍ତର୍ଜାତିକ ଏବଂ କିଛି ନିର୍ଦ୍ଦିଷ୍ଟ ଦେଶୀୟ କାରବାର ସମ୍ବନ୍ଧୀୟ ରିପୋର୍ଟ ସମେତ ବିଭିନ୍ନ ଅଡିଟ୍ ରିପୋର୍ଟ ଦାଖଲ ସମୟସୀମାକୁ ମଧ୍ୟ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ଏହାଛଡ଼ା ସେଲ୍ଫ ଆସେସ୍ମେଣ୍ଟ ଟିକସ ଦାଖଲ ପାଇଁ ଧାର୍ଯ୍ୟ ସମୟସୀମାକୁ ମଧ୍ୟ ସମ୍ପ୍ରସାରଣ କରାଯାଇଛି। କ୍ଷୁଦ୍ର ଓ ମଧ୍ୟମ ଟିକସଦାତାମାନଙ୍କୁ ରିହାତି ପ୍ରଦାନ ଲକ୍ଷ୍ୟରେ ଦ୍ୱିତୀୟ ଥର ପାଇଁ ଏହି ସମୟସୀମା ସମ୍ପ୍ରସାରଣ କରାଯାଇଛି। ମନ୍ତ୍ରଣାଳୟ କହିଛି, ଯେଉଁ ଟିକସ ଦାତାମାନଙ୍କର ସେଲ୍ଫ ଆସେସ୍ମେଣ୍ଟ ଟିକସ ଦେୟ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି ସେମାନଙ୍କ ପାଇଁ ସେଲ୍ଫ ଆସେସ୍ମେଣ୍ଟ ଟିକସ ଦାଖଲର ସମୟସୀମା ଆସନ୍ତା ବର୍ଷ ଜାନୁଆରୀ ମାସ ୩୧ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି।



