କୋଲକାତା: ସାମୁଦ୍ରିକ ଝଡ ‘ବୁଲ୍ବୁଲ୍’ ଶନିବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗର ସାଗରଦ୍ବୀପ ଏବଂ ବାଂଲାଦେଶର ଖେପପୁରା ମଧ୍ୟରେ ସ୍ଥଳଭାଗ ଛୁଇଁଛି। ଏହି ସମୟରେ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ହେବା ସହ ଘରଦ୍ବାର ଓ ଗଛଲତା ସବୁ ଉଜୁଡି ଯାଇଛି। ପ୍ରବଳ ବର୍ଷା ପବନ ଯୋଗୁ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଏପର୍ଯ୍ୟନ୍ତ ସୂଚନା ମିଳିଛି। ପ୍ରଭାବିତ ଅଞ୍ଚଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।
ଏହା ବ୍ୟତୀତ କୋଲକାତାର ନେତାଜୀ ସୁବାଷ ଚନ୍ଦ୍ର ବୋଷ ଆର୍ନ୍ତଜାତୀୟ ବିମାନ ବନ୍ଦରରେ ଶନିବାର ସନ୍ଧ୍ୟା ୬ଟାରୁ ୧୨ ଘଣ୍ଟିଆ ବିମାନ ଉଡାଣ ସ୍ଥଗିତ ରଖାଯାଇଛି। ବାତ୍ୟା ‘ବୁଲ୍ବୁଲ୍’ର ପ୍ରଭାବରେ ଓଡିଶାର ୬ଟି ଜିଲା ସମେତ ବାଂଲାଦେଶ ଅଧିକ କ୍ଷତିଗ୍ରସ୍ତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ସାମୁଦ୍ରିକ ଝଡ ‘ବୁଲ୍ବୁଲ୍’ ସ୍ଥଳଭାଗ ଛୁଇଁଲା ପରେ ସାମୁଦ୍ରିକ ବତାସରେ ପରିଣତ ହୋଇ ପୂର୍ବ ଉତ୍ତର ପୂର୍ବ ଦିଗକୁ ମୁହଁଇଛି।
ବାତ୍ୟା ‘ବୁଲ୍ବୁଲ୍’କୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିଛନ୍ତି। କେନ୍ଦ୍ର ପକ୍ଷରୁ ପଶ୍ଚିମବଙ୍ଗର ପ୍ରଭାବିତ ଅଞ୍ଚଳକୁ ଯଥା ସମ୍ଭବ ସହଯୋଗ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।



