www.samajalive.in
Wednesday, December 10, 2025
18.1 C
Bhubaneswar

ଏସସିବିରେ ଜୀବନ-ମୃତ୍ୟୁର ଖେଳ; ମୃତ ଘୋଷଣା ପରେ ବଞ୍ଚିଲେ, ପୁଣି ମଲେ

 କଟକ: କଟକ ବଡ଼ ଡାକ୍ତରଖାନାରେ ଜଣେ ଜୀବିତ ରୋଗୀଙ୍କୁ ଡାକ୍ତର ମୃତ ଘୋଷଣା କରିବା ଘଟଣା ଏଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି। ମୃତ ଘୋଷଣାର ୩୦ ମିନିଟ ପରେ ସମ୍ପୃକ୍ତ ରୋଗୀ ଜୀବିତ ବୋଲି କହିବା ଏବଂ ପୁଣି ଏକ ଘଣ୍ଟା ପରେ ରୋଗୀର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକଙ୍କୁ କୁହାଯିବା ପରେ ରୋଗୀ ଆତ୍ମୀୟ ପ୍ରକୃତ ଘଟଣା ନେଇ ସନ୍ଦେହରେ ପଡ଼ିଥିଲେ। ବିଶ୍ବସ୍ତରୀୟ ହେବାକୁ ଥିବା କଟକ ବଡ଼ ଡାକ୍ତରଖାନାର ଭେଷଜ ବିଭାଗରେ ଶୁକ୍ରବାର ଏଭଳି ଜୀବନ ମୃତ୍ୟୁର ଖେଳ ଦେଖିବାକୁ ମିଳିଥିଲା। ଜୀବିତ ରୋଗୀଙ୍କ ଭେଣ୍ଟିଲେଟର କାଢ଼ି ଦିଆଯିବ​, ଏବଂ ଅଧଘଣ୍ଟା କାଳ ଚିକିତ୍ସା ନମିଳିବାରୁ ରୋଗୀ ପ୍ରାଣ ହରାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ଏପରିକି ଅକ୍ସିଜେନ୍ ସିଲିଣ୍ଡର ଅଛି କିନ୍ତୁ ସେଥିରେ ଅକ୍ସିଜେନ୍ ନାହିଁ, ଭେଣ୍ଟିଲେଟର ଠିକ୍‌ ଭାବରେ କାର୍ଯ୍ୟ କରୁନାହିଁ ବୋଲି ଅଭିଯୋଗ ହୋଇଛି।

ଭଦ୍ରକ ଜିଲା କଲ୍ୟାଣୀ ନାୟକ (୫୭)। ପେଟରେ ପାଣି ଜମିବା ସହ ଶ୍ୱାସକ୍ରିୟାରେ ସମସ୍ୟା ଦେଖା ଦେବାରୁ ସେ ପ୍ରାୟ ୧୦ ଦିନ ହେବ ଏସସିବି ଭେଷଜ ବିଭାଗରେ ଚିକିତ୍ସାଧୀନ ଥିଲେ। ସ୍ବାସ୍ଥ୍ୟାବସ୍ଥା​‌ ବିଗିଡ଼ିବାରୁ ତାଙ୍କୁ ଉକ୍ତ ବିଭାଗର ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଶୁକ୍ରବାର ଅପରାହ୍ଣ ପ୍ରାୟ ୩ଟା ବେଳେ କଲ୍ୟାଣୀଙ୍କ ମୃତ୍ୟୁ ହୋଇଥିବା ଡାକ୍ତରଖାନା ପକ୍ଷରୁ ପରିବାର ଲୋକଙ୍କୁ କୁହାଯାଇଥିଲା। ମୃତ୍ୟୁ ଖବର ପାଇ ପରିବାର ଲୋକ ଚିକିତ୍ସା ଅବହେଳା ଅଭିଯୋଗ ଆଣିଥିଲେ ଏବଂ କଲ୍ୟାଣୀଙ୍କୁ ଦେଖିବାକୁ ଜିଦ୍‌ କରିଥିଲେ। ହେଲେ ଡାକ୍ତରଖାନା କର୍ମଚାରୀ ସିଧାସଳଖ ମନା କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ପରିବାର ଲୋକ ପାଟିତୁଣ୍ଡ କରିବାରୁ ଉପସ୍ଥିତ ଥିବା ଡାକ୍ତର ପୁନର୍ବାର କଲ୍ୟାଣୀଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ। ତେବେ ଭେଣ୍ଟିଲେଟର ସଂଯୋଗ କରିବାରୁ କଲ୍ୟାଣୀ ପୁଣି ଜୀବିତ ଥିବା ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକ କଲ୍ୟାଣୀଙ୍କୁ ଭେଟିବାକୁ କହିବାରୁ ସ୍ବତନ୍ତ୍ର ଚିକିତ୍ସା କରାଯାଉଥିବା କହି ଭେଟିବାକୁ ବାରଣ କରିଥିଲେ ମେଡ଼ିକାଲ କର୍ମଚାରୀ। ହେଲେ ଏହାର ପ୍ରାୟ ଏକଘଣ୍ଟା ମଧ୍ୟରେ ପୁଣିଥରେ କଲ୍ୟାଣୀଙ୍କ ମୃତ୍ୟୁ ଖବର ପରିବାର ଲୋକଙ୍କୁ ଜଣାଇଥିଲେ ଉକ୍ତ ବିଭାଗର କର୍ମଚାରୀ। ଏହି ଖବର ପାଇବା ପରେ ଉକ୍ତ ବିଭାଗ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଥିଲା। କଲ୍ୟାଣୀଙ୍କ ପୁଅ ପ୍ରେମ ପ୍ରକାଶ ନାୟକ ଅଭିଯୋଗ କରିଛନ୍ତି ଯେ, ଏଠାରେ ଅକ୍ସିଜେନ୍ ସିଲିଣ୍ଡର ଠିକ୍‌ ଭାବେ କାମ କରୁନି। ନଅଦିନ ମଧ୍ୟରେ ୧୭ଟି ଅକ୍ସିଜେନ୍ ସିଲିଣ୍ଡର ଲଗାଯାଇଛି। ହେଲେ ତାହା କିଛି ମିନିଟ୍‌ ପାଇଁ କାମ କରୁଛି। ଅକ୍ସିଜେନ୍ ଲଗାଇବା ପାଇଁ ଦୁଇଥର କରି ୮ଶହ ଟଙ୍କା ନେଇଛନ୍ତି। ଭେଣ୍ଟିଲେଟର ଠିକରେ କାର୍ଯ୍ୟ ନ କରିବାରୁ ମାଆର ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଥିଲା। ଯେଉଁ ୩୦ ମିନିଟ ଚିକିତ୍ସା ମିଳିଲାନି ସେଥିପାଇଁ ମୃତ୍ୟୁ ଘଟିଲା ବୋଲି ସେ କହିଛନ୍ତି। ଅନ୍ୟପଟେ ଘଟଣା ନେଇ ଅଧ୍ୟକ୍ଷ ତଥା ପ୍ରଫେସର ଡା. ଲୁସି ଦାସଙ୍କୁ ଯୋଗଯୋଗ କରାଯାଇଥିବାବେଳେ ତାଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ।

- Advertisement -

 

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories