ଓଡିଶାର ପାରମ୍ପରିକ ଲୋକନୃତ୍ୟ ଚଇତି ଘୋଡ଼ା ନାଚ

ଭୁବନେଶ୍ୱର : ଓଡିଶାର ପାରମ୍ପରିକ ଲୋକନୃତ୍ୟ ମଧ୍ୟରେ ଚଇତି ଘୋଡ଼ା ନାଚ, ଚଇତାଳି ଘୋଡା ନାଟ ବେଶ ଲୋକପ୍ରିୟ।
ଏହା ମୁଖ୍ୟତଃ ଓଡ଼ିଶାର ଉପକୂଳ ଅଞ୍ଚଳରେ କୈବର୍ତ୍ତ ମାନଙ୍କଦ୍ୱାରା ଆରମ୍ଭ ହୋଇ ସେହି ଅଞ୍ଚଳମାନଙ୍କରେ ଚୈତ୍ର ମାସ ପୂର୍ଣ୍ଣିମା ତିଥିରେ ପରିବେଷିତ ହୋଇଥାଏ । କୈବର୍ତ୍ତମାନେ ବାଉଁଶ ବତାରେ ଘୋଡ଼ାର ପାଦହୀନ ଦେହ ଓ ବେକ ଆକାରର ଗୋଟିଏ ଥାଟ ତିଆରି କରି ତା ଉପରେ ଲୁଗା ଆଦି ଘୋଡ଼ାନ୍ତି। ବେକ ଉପରେ ଘୋଡ଼ାମୁହଁ ପରି ଚିତ୍ରିତ ମୁଖାଟିଏ ଲଗାନ୍ତି। ଉକ୍ତ ଚଇତି ଘୋଡ଼ାର ପିଠିରେ ଗୋଟିଏ କଣା ଥାଏ । ସେହି କଣାବାଟେ ମନୁଷ୍ୟ ଅଣ୍ଟା ପର୍ୟ୍ୟନ୍ତ ପଶି କରି ଭୂମିରେ ଠିଆହୁଏ । ଘୋଡ଼ାରୂପର ଆଗରୁ ଓ ପଛରୁ ଡ଼ୋରି ଲଟକା ଯାଏ। ମନୁଷ୍ୟର ଅଣ୍ଟାଠାରୁ ନିମ୍ନ ଅଂଶ ଘୋଡ଼ା ଭିତରେ ଲୁଚି ଥାଏ। ଅଣ୍ଟାଠାରୁ ଉପର ଅଂଶ ଘୋଡ଼ା ଭିତରେ ବସିବା ରହିଥାଏ। ବ୍ୟକ୍ତି ନାଚିବା ସଙ୍ଗେ ସଙ୍ଗେ ଘୋଡ଼ା ମଧ୍ୟ ନାଚେ ଘୋଡ଼ାର ମୁହଁ ଆଡ଼େ ଲଗାମ ପରି କନାଡ଼ୋରି ବନ୍ଧା ହୋଇଥାଏ ।

ଉକ୍ତ ଡ଼ୋରିକୁ ନାଚିବାବାଲା ଧରି ଘୋଡ଼ାର ଲଗାମ ଧରିବାର ଅଭିନୟ କରେ କୈବର୍ତ୍ତମାନେ ଏହି ପର୍ବ ଉପଲକ୍ଷରେ ଚଢ଼େଇଆ ଓ ଚଢେଇଆଣୀ ବେଶ ହୋଇ ନାଚନ୍ତି ଓ ଗୀତ ବୋଲନ୍ତି। ଘୋଡ଼ାନାଚରେ ଜଣେ ଲେଖାଏଁ ଗାୟକ, ପାଳିଆ, ଢୋଲକିଆ, ମହୁରିଆ, ରାଉତ, ରାଉତାଣୀ ଥାଆନ୍ତି । ଗାୟକ ବିଷୟବସ୍ତୁ ଗାଉଥିବା ବେଳେ ପାଳିଆ ପାଳିଧରେ, ଢୋଲକିଆ ବାଜା ବଜାଏ ଓ ରାଉତ ସଜ୍ଜିତ କାଠଘୋଡ଼ା ଚଢ଼ି ରାଉତାଣୀ ସହ ନୃତ୍ୟ କରୁଥାଏ ।


ମା’ ବାସେଳୀଙ୍କ ବନ୍ଦନାରୁ ଆରମ୍ଭ ହୁଏ ଘୋଡ଼ାନାଚ, ପରେ ରାଧାକୃଷ୍ଣଙ୍କ ଲୀଳା, ଶିବ ପାର୍ବତୀଙ୍କ କାହାଣୀକୁ ଗୀତ ଓ ନୃତ୍ୟ ମାଧ୍ୟମରେ ପରିବେଷଣ କରାଯାଏ । ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ବହି ନଥାଏ । କୈବର୍ତ୍ତ ଗୀତା, କୈବର୍ତ୍ତ ପୁରାଣ ଓ କୈବର୍ତ୍ତ ସଂହିତାରୁ ବିଷୟବସ୍ତୁ ଉଦ୍ଧାର କରି ଗାୟକ ସେଗୁଡ଼ିକୁ ପାରମ୍ପରିକ ସ୍ୱରରେ ପଢିବା ଭଳି ଶବ୍ଦ ସଂଯୋଜନା କରି ସ୍ୱର ଦେଇଥାନ୍ତି ।

Comments are closed.