ସିଡନୀ: କ୍ରିକେଟ୍ ଅଷ୍ଟ୍ରେଲିଆ (ଅଷ୍ଟ୍ରେଲିଆ କ୍ରିକେଟ୍ ଆସୋସିଏସନ୍) ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ସେଠାରୁ ପ୍ରକାଶିତ ଖବରକାଗଜ ରିପୋର୍ଟରେ ଦର୍ଶାଯାଇଛି। କରୋନା ଭୂତାଣୁ ସଂକ୍ରମଣକୁ ନେଇ ବିଶ୍ବବ୍ୟାପୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ବନ୍ଦ ରହିଥିବାରୁ କ୍ରିକେଟ୍ ଅଷ୍ଟ୍ରେଲିଆ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି।
କିଛିଦିନ ତଳେ କ୍ରିକେଟ୍ ଅଷ୍ଟ୍ରେଲିଆର ମୁଖ୍ୟ କାର୍ୟ୍ୟନିର୍ବାହୀ କେଭିନ୍ ରୋବର୍ଟସ୍ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଆର୍ଥିକ ସ୍ଥିତି ଭଲ ନ ଥିବାରୁ ଆସନ୍ତା ଅଗଷ୍ଟ ଶେଷ ନ ହେବା ପର୍ୟ୍ୟନ୍ତ କ୍ରିକେଟ୍ ଅଷ୍ଟ୍ରେଲିଆ ତରଫରୁ ବିଭିନ୍ନ ସଂସ୍ଥାକୁ ବିଲ୍ ପ୍ରଦାନ କରାଯାଇ ପାରିବ ନାହିଁ। କ୍ରିକେଟ୍ ଅଷ୍ଟ୍ରେଲିଆରେ କାମ କରୁଥିବା କର୍ମଚାରୀଙ୍କୁ ଦରମା ପ୍ରଦାନରେ ଅସୁବିଧା ହେଉଥିବାରୁ ଅନେକ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା ରହିଛି। ଯେଉଁ କର୍ମଚାରୀ ଚାକିରିରେ ରହିବେ ସେମାନଙ୍କୁ କମ୍ ପାରିଶ୍ରମିକ ପ୍ରଦାନ କରାଯିବ।
ଇତିମଧ୍ୟରେ ଦି ଅଷ୍ଟ୍ରେଲିଆନ୍ ଓ ଦି ଏଜ୍ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଷ୍ଟକ୍ ମାର୍କେଟ୍ରେ ମାନ୍ଦାବସ୍ଥା ସୃଷ୍ଟି ହୋଇଥିବାରୁ କ୍ରିକେଟ୍ ଅଷ୍ଟ୍ରେଲିଆ ମଧ୍ୟ ବ୍ୟାପକ କ୍ଷତି ସହିଛି। ଆର୍ଥିକ ପରିସ୍ଥିତିରେ ଉନ୍ନତି ଆଣିବାକୁ କ୍ରିକେଟ୍ ଅଷ୍ଟ୍ରେଲିଆ ତରଫରୁ କେତେକ ପଦକ୍ଷେପ ଗ୍ରହଣ କରାଯାଉଛି ତେବେ ନିକଟ ଭବିଷ୍ୟତରେ କ୍ରିକେଟ୍ ଅଷ୍ଟ୍ରେଲିଆର ଆର୍ଥିକ ଅବସ୍ଥାରେ ଆଖିଦୃଶିଆ ଉନ୍ନତି ଆସିବାର ସମ୍ଭାବନା ନାହିଁ।



