କଲକାତା: କୋଭିଡ୍-୧୯ ମହାମାରୀ ଏବେ ସାରାବିଶ୍ୱକୁ କବଳିତ କରି ରଖିଛି। ବିଶ୍ୱର ୧୧୦ଟି ଦେଶ ଏହାର ମୁକାବିଲା କରୁଛନ୍ତି। ଏହି ମହାମାରୀ କବଳରୁ ମନୁଷ୍ୟ ନିଜ ବଞ୍ଚାଇବା ଏବେ ସବୁଠାରୁ ବଡ଼ ଆହ୍ୱାନ ଭାବେ ଦେଖାଦେଇଛି। ଏପରି ସମୟରେ କ୍ରିକେଟ ମ୍ୟାଚ୍ ଖେଳାଯିବା ପ୍ରସଙ୍ଗରେ ଆଲୋଚନା କରିବା ନିରର୍ଥକ। ମନୁଷ୍ୟଙ୍କ ଜୀବନ ବଞ୍ଚାଇବା ଏବେ ପ୍ରାଥମିକତା; କ୍ରିକେଟକୁ ଏବେ ଅପେକ୍ଷା କରିବାକୁ ପଡ଼ିବ ବୋଲି କହିଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଫ୍ସ୍ପିନର ହରଭଜନ ସିଂହ। ବିନା ଦର୍ଶକରେ ଆଇପିଏଲ୍ ଖେଳାଯିବା; ଏହାକୁ ବିଦେଶରେ ଖେଳାଯିବା ଏବଂ ଏସିଆ କପ୍କୁ ବାତିଲକରି ଆଇପିଏଲ୍ ଆୟୋଜନ କରିବାର ଚର୍ଚ୍ଚା ଗତ କିଛି ସପ୍ତାହ ହେଲା ଗଣମାଧ୍ୟମରେ ଚାଲିଛି। ଏପରି ଆଲୋଚନା କରୁଥିବା ବ୍ୟକ୍ତିଙ୍କୁ ଆକ୍ଷେପକରି ହରଭଜନ ଏ କଥା କହିଛନ୍ତି।
ସାରାବିଶ୍ୱରେ ଏବେ କ୍ରୀଡ଼ା ପ୍ରତିଯୋଗିତା ବନ୍ଦ ହୋଇଯାଇଛି। ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ବାତିଲ ହେବା ସହ କିଛି ପ୍ରତିଯୋଗିତାକୁ ସ୍ଥଗିତ ରଖାଯାଇଛି। ଏପରି ପରିସ୍ଥିତିରେ କ୍ରିକେଟ୍ ମଧ୍ୟ ଲକ୍ଡାଉନ୍ ପରିସ୍ଥିତିରେ ରହିଛି। କରୋନାକୁ ପରାସ୍ତକରିବା ଲାଗି ଭାରତ ସହ ବିଶ୍ୱର ଅଧିକାଂଶ ଦେଶ କଟକଣା ଲଗାଇଛନ୍ତି। ତେବେ ସମସ୍ତ କଟକଣା ଉଠିଯିବା ପରେ ବିନା ଦର୍ଶକରେ କ୍ରିକେଟ ମ୍ୟାଚ୍ ଆୟୋଜନ ସପକ୍ଷରେ ଇଂଲଣ୍ଡ ସୀମିତ ଓଭର କ୍ରିକେଟ ଦଳର ଅଧିନାୟକ ଇଓନ୍ ମୋର୍ଗାନ୍ଙ୍କ ସହ ଏକାଧିକ କ୍ରିକେଟ ବ୍ୟକ୍ତିତ୍ୱ ମତ ଦେଇଛନ୍ତି। କୋଭିଡ୍-୧୯ର ମୁକାବିଲା ଲାଗି ପାଣ୍ଠି ଯୋଗାଡ଼ କରିବା ପାଇଁ ଭାରତ ଓ ପାକିସ୍ତାନ କ୍ରିକେଟ ଦଳ ମଧ୍ୟରେ ୩ଟି ମ୍ୟାଚ୍ ଖେଳାଯିବା ସପକ୍ଷରେ ଯୁକ୍ତି ବାଢ଼ିଥିଲେ ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଫାଷ୍ଟବୋଲର ସୋଏବ୍ ଅଖ୍ତାର। ଏହାକୁ କପିଳ ଦେବଙ୍କ ସହ ବହୁ କ୍ରିକେଟ ବ୍ୟକ୍ତିତ୍ୱ ନାପସନ୍ଦ କରିଥିଲେ। ହରଭଜନ ସିଂହ କହିଛନ୍ତି, କ୍ରିକେଟ କଥା ମୋ ମନରେ ହିଁ ନାହିଁ। କରୋନା ମୁକାବିଲା ଲାଗି ପାଣ୍ଠି ଯୋଗାଡ଼ର ଅନ୍ୟ ଉପାୟ ରହିଛି। କ୍ରିକେଟ ମ୍ୟାଚ୍ ଆୟୋଜନ ସମ୍ଭବ ନୁହେଁ। ମୋତେ ଲାଗୁନାହିଁ ଯେ ବର୍ତ୍ତମାନ ସମୟରେ କେହି କ୍ରିକେଟ କିମ୍ବା ଅନ୍ୟ କେଉଁ କ୍ରୀଡ଼ାର ଆୟୋଜନ କଥା ଭାବୁଥିବେ। ମନୁଷ୍ୟ ଜୀବନ ତୁଳନାରେ ଏସବୁ ବହୁତ ଛୋଟ। ଏବେ ମନୁଷ୍ୟ ଜୀବନ ସଙ୍କଟରେ। କ୍ରିକେଟ ମୋତେ ସବୁକିଛି ଦେଇଛି। ଆଜି ଯାହା ବି ହୋଇଛି; ତାହା କ୍ରିକେଟ ଯୋଗୁଁ। ତେବେ ଏହା କ୍ରିକେଟ ବିଷୟରେ ଆଲୋଚନାର ବେଳ ନୁହେଁ। କରୋନାର ମୁକାବିଲା ପାଇଁ ଆମ ଦ୍ୱାରା ଯାହା ସମ୍ଭବ; ତାହା କରିବା ଉଚିତ। ଗୋଟିଏ ଆଇପିଏଲ୍ ସଂସ୍କରଣ କି ଗୋଟିଏ ଟ୍ୱେଣ୍ଟି୨୦ ବିଶ୍ୱକପ୍ ବନ୍ଦ ହୋଇଗଲେ; କିଛି ଫରକ ପଡ଼ିବ ନାହିଁ। ସୂଚନାଯୋଗ୍ୟ; ୩୯ ବର୍ଷ ବୟସ୍କ ହରଭଜନ ତାଙ୍କ ସହର ପଞ୍ଜାବର ଜଳନ୍ଧରରେ ନିଜ ଖର୍ଚ୍ଚରେ ଦୈନିକ ୫୦୦୦ ନିରାଶ୍ରୟ ଓ ଦିନ ମଜୁରିଆକୁ ଖାଦ୍ୟ ଯୋଗାଉଛନ୍ତି। ଭାରତ ପାଇଁ ୧୦୩ଟି ଟେଷ୍ଟମ୍ୟାଚ୍ ଖେଳିଥିବା ହରଭଜନ ସିଂହ ଦେଶର ୩ୟ ସର୍ବାଧିକ ଟେଷ୍ଟ ୱିକେଟ ହାସଲକାରୀ।



