www.samajalive.in
Monday, December 8, 2025
14.1 C
Bhubaneswar

ସମ୍ପର୍କୀୟଙ୍କୁ ମିଳୁନି ସ୍ୱାସ୍ଥ୍ୟାବସ୍ଥା ସୂଚନା, ମହାମାରୀ ପରିଚାଳନାରେ ତ୍ରୁଟି

ମୃତ୍ୟୁର ୧୦ଦିନ ପରେ ଡାକ୍ତରଖାନାରୁ ଯାଉଛି ଫୋନ୍‌
ପରିବାର ଲୋକଙ୍କ ଅଜାଣତରେ ଶବ ସଂସ୍କାର
ନିର୍ଦେଶ ପାଳନ କରୁନାହାନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ

ଭୁବନେଶ୍ୱର: ସଂକ୍ରମିତଙ୍କୁ ଚିକିତ୍ସା ପାଇଁ ରାଜ୍ୟ ସରକାର ଉତ୍ସର୍ଗୀକୃତ କରୋନା ଡାକ୍ତରଖାନା ବ୍ୟବସ୍ଥା କରିଛନ୍ତି। ଗୁରୁତର ରୋଗୀଙ୍କୁ ଗୁଣାତ୍ମକ ଚିକିତ୍ସା ପ୍ରଦାନ ନିମନ୍ତେ ସ୍ୱତନ୍ତ୍ର ଯତ୍ନ କୋଠରି (ଆଇସିୟୁ) ଏବଂ ଜୀବନ ରକ୍ଷା (ଭେଣ୍ଟିଲେଟର)ଶଯ୍ୟା ବ୍ୟବସ୍ଥା କରାଯାଇଛି। ଡାକ୍ତରଖାନାରେ ଚିକିତ୍ସିତ କରୋନା ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସୂଚନା ସମ୍ପର୍କୀୟଙ୍କୁ ଜଣାଇବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସରକାରୀ ଓ ଘରୋଇ କରୋନା ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି। ବିଭାଗର ପରାମର୍ଶ ସତ୍ତ୍ବେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷ ପରିବାରବର୍ଗଙ୍କୁ ଜଣାଉ ନଥିବା ଅଭିଯୋଗ ହୋଇଛି। ଏପରିକି ରୋଗୀଙ୍କ ମୃତ୍ୟୁ ହେଲେ ପରିବାର ଲୋକଙ୍କୁ ସୂଚନା ଦିଆନଯାଇ ଶବସଂସ୍କାର କରି ଦିଆଯାଉଛି। ମୃତ୍ୟୁର ୧୦ଦିନ ପରେ ଡାକ୍ତରଖାନାର ନିୟନ୍ତ୍ରଣ କକ୍ଷରୁ ପରିବାର ବର୍ଗଙ୍କୁ ଫୋନ୍‌ କରି ପଚରା ଯାଉଛି ‘ରୋଗୀ କିପରି ଅଛନ୍ତି?’ ଡାକ୍ତରଖାନାରୁ ଏଭଳି ଫୋନ୍‌ ପାଇବା ପରେ ପରିବାର ଲୋ‌େ‌କ ବିଚଳିତ ହୋଇ ପଡୁଛନ୍ତି। ସତରେ କ’ଣ ମୃତ୍ୟୁ ହୋଇନି। ଡାକ୍ତରଖାନାରୁ ଏଭଳି କାହିଁକି ପଚରା ଯାଉଛି। ଏହାକୁ ନେଇ ଅନେକ ପ୍ରଶ୍ନ ଉଙ୍କିମାରୁଛି ପରିବାରବର୍ଗଙ୍କ ମନରେ।

- Advertisement -

ଅଭିଯୋଗ ଅନୁଯାୟୀ, ପୁରୀ ନୋଳିଆସାହିର ଏମ୍‍. ତ୍ରିନାଥ କରୋନାରେ ଆକ୍ରାନ୍ତ ହୋଇ ପୁରୀ କରୋନା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ସମ୍‍ କରୋନା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଗତ ୨୦ ତାରିଖରେ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ପୁଅ ଏମ୍‍. ଭାସ୍କର। ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଥିଲା। ପରଦିନ ବାପାଙ୍କ ସହିତ କଥା ହେବା ପାଇଁ ଚିକିତ୍ସାଳୟ କର୍ମଚାରୀଙ୍କୁ ଅନୁରୋଧ କରିଥିଲେ ପୁଅ ଭାସ୍କର। କିନ୍ତୁ ଡାକ୍ତରଖାନା ପକ୍ଷରୁ କୁହାଯାଇଥିଲା ‘ତୁମ ବାପା ମରିଯାଇଛନ୍ତି।’ ତାଙ୍କ ମୃତଦେହକୁ ରାଜଧାନୀ ଚିକିିତ୍ସାଳୟକୁ ପଠାଇ
ଦିଆଯାଇଛି। ଏମ୍‌.ଭାସ୍କର ଭୁବନେଶ୍ୱର ଆସି ବିଭିନ୍ନ ଡାକ୍ତରଖାନା ବୁଲିବା ପରେ ରାଜଧାନୀ ଚିକିତ୍ସାଳୟକୁ ଯାଇଥିଲେ। ଚିକିତ୍ସାଳୟ ପକ୍ଷରୁ କୁହାଯାଇଥିଲା ଏକ ଅଜଣା ବ୍ୟକ୍ତିଙ୍କ ଶବ ଆସିଥିଲା। ଦାହ ପାଇଁ ସତ୍ୟନଗର ଶ୍ମଶାନକୁ ପଠାଇ ଦିଆଯାଇଛି।

ଏଠାରେ ପ୍ରଶ୍ନ ହେଉଛି, ସମ୍‍ ଡାକ୍ତରଖାନା ପକ୍ଷରୁ ଯେଉଁ ମୃତଦେହକୁ ରାଜଧାନୀ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା ସେଥିରେ କ’ଣ ମୃତକଙ୍କ ବିବରଣୀ ଡାକ୍ତରଖାନା କର୍ତ୍ତୃପକ୍ଷ ଦେଇ ନଥିଲେ କି? କରୋନାରେ ମୃତ୍ୟୁ ହେଲେ ସିଧା ସତ୍ୟନଗର ଶ୍ମଶାନ ନେଇ ସଂସ୍କାର କରାଯିବା କଥା। କିପରି ସମ୍‍ କରୋନା ଡାକ୍ତରଖାନା କର୍ତ୍ତୃପକ୍ଷ ମୃତଦେହ ରାଜଧାନୀ ଚିକିତ୍ସାଳୟକୁ ପଠାଇଥିଲେ? କେବଳ ଏହି ଗୋଟିଏ ଘଟଣା ନୁହେଁ। ଆହୁରି ଏମିତି ଅନେକ ଘଟଣା ରହିଛି। ତାଳଚେର ହାଟତୋଟା ଅଞ୍ଚଳର କର୍ଣ୍ଣବୀର ରାୟ(୮୫)ଙ୍କୁ ଶ୍ୱାସକ୍ରିୟାରେ ଅସୁବିଧା ହେବାରୁ ଅନୁଗୋଳ ଡାକ୍ତରଖାନାକୁ ନିଆଯାଇଥିଲା। ଆରଟି-ପିସିଆର ପରୀକ୍ଷାରୁ ଜଣାପଡ଼ିଲା କି କର୍ଣ୍ଣବୀରଙ୍କୁ କରୋନା ହୋଇଛି। ପରେ ପରିବାର ଲୋକ ତାଙ୍କୁ କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ରୋଗୀକୁ ଭର୍ତ୍ତି କରାଯିବା ପରଠାରୁ ସ୍ୱାସ୍ଥ୍ୟ ବିଷୟରେ କୌଣସି ସୂଚନା ଡାକ୍ତରଖାନା କର୍ତ୍ତୃପକ୍ଷ ଜଣାଉନଥିଲେ। ଏପ୍ରିଲ ୨୭ରେ କର୍ଣ୍ଣବୀରଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପୁଅ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଲେ। ପରିବାରବର୍ଗଙ୍କୁ ନଜଣାଇ ଶବଦାହ କରି ଦିଆଯାଇଥିଲା। ଶବଦାହ କରିବାର ୧୦ଦିନ ପରେ ପୁଣି ଡାକ୍ତରଖାନାରୁ ମୃତକଙ୍କ ନାତି ପାଖକୁ ଫୋନ୍‌ ଆସିଥିଲା ‘ତୁମ ଅଜା ସୁସ୍ଥ ଅଛନ୍ତି, ଅମ୍ଳଜାନ ସ୍ତର ୯୩ ରହିଛି।’

ସେହିପରି ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ମିଥୁନ ପାଣିଗ୍ରାହୀ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଫୁସ୍‌ଫୁସ୍‍ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଆରଟି-ପିସିଆର ପରୀକ୍ଷାରୁ ଜଣାପଡ଼ିଲା କି କରୋନା ସଂକ୍ରମିତ। ମିଥୁନ ବେଳକୁ ବେଳ ଗୁରୁତର ହେବାରୁ ପରିବାର ଲୋକ ଭୁବନେଶ୍ୱର ସ୍ଥାନାନ୍ତର କରିବାକୁ ଚିନ୍ତା କଲେ। କିନ୍ତୁ ପୂର୍ବଦିନ ମିଥୁନଙ୍କ ମୃତ୍ୟୁ ହୋଇଥିଲା। ପରିବାର ଲୋକଙ୍କ ଜାଣତରେ ଶବସଂସ୍କାର ହେଲା। କିନ୍ତୁ ୭ଦିନ ପରେ ଡାକ୍ତରଖାନାରୁ ଫୋନ୍‌ କରି ସମ୍ପର୍କୀୟଙ୍କୁ ପଚରାଗଲା ‘ରୋଗୀ କିପରି ଅଛନ୍ତି?’

ସମ୍ପର୍କୀୟଙ୍କୁ ତ୍ୱରିତ ସ୍ୱାସ୍ଥ୍ୟାବସ୍ଥା ସୂଚନା ପ୍ରଦାନ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସରକାରୀ ଓ ଘରୋଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି। ଆକ୍ରାନ୍ତଙ୍କ ଚିକିତ୍ସା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇବା ପାଇଁ ୨୪ ଘଣ୍ଟିଆ ସହାୟକ ଡେସ୍କ ଖୋଲିବା ବାଧ୍ୟତାମୂଳକ ବୋଲି କୁହାଯାଇଛି। ସରକାରଙ୍କ ପକ୍ଷରୁ ଏଭଳି ନିର୍ଦେଶ ଦିଆଯାଇଥିଲେ ମଧ୍ୟ ପରିବାରବର୍ଗଙ୍କୁ ଅନେକ ସମୟରେ ଠିକ୍‌ ସୂଚନା ମିଳୁନଥିବା ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ ରବିବାର ରାଜଧାନୀରେ ମହାମାରୀ ପରିଚାଳନାର ଆଉ ଏକ ନଗ୍ନ ଉଦାହରଣ ସାମ୍ନାକୁ ଆସିଛି। ସଂକ୍ରମିତଙ୍କୁ ରାସ୍ତା କଡ଼ରେ ଶୁଆଇ ଦେଇ ରୋଗୀବୁହା ଯାନ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ସ୍ବାସ୍ଥ୍ୟ ନିର୍ଦେଶକ ଡା. ବିଜୟ କୁମାର ମହାପାତ୍ର କହିଛନ୍ତି, ରୋଗୀଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ସମ୍ପର୍କୀୟ ଠିକ୍‌ ମୋବାଇଲ ନମ୍ବର ପ୍ରଦାନ କରିବା ଆବଶ୍ୟକ। ଅନେକ ସମୟରେ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ ସମ୍ଭବ ହୋଇପାରୁନି। ଯଦି ରୋଗୀଙ୍କ ମୃତ୍ୟୁ ହୋଇଯାଉଛି, ଯୋଗାଯୋଗ ସମ୍ଭବ ନହେଲେ ନିକଟସ୍ଥ ଥାନାକୁ ଜଣାଇ ପରିବାର ଲୋକଙ୍କୁ ସୂଚନା ଦିଆଯାଉଛି। କୌଣସି କୋଭିଡ ଡାକ୍ତରଖାନା ରୋଗୀ ସମ୍ପର୍କରେ ସମ୍ପର୍କୀୟଙ୍କୁ ସୂଚନା ଦେଉନଥିଲେ ଏନେଇ ବିଭାଗକୁ ଜଣାଇଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories